ବୈତରଣୀରୁ ପ୍ରାଚୀନ ମନ୍ଦିର ପ୍ରସ୍ତରଖଣ୍ଡ ଉଦ୍ଧାର

ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେବାକୁ ଦାବି
ଧାମନଗର (ଆପ୍ର): ଧାମନଗର ବ୍ଲକ୍ ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା ନିକଟସ୍ଥ ବାସୁଦବଙ୍କ ପୀଠ ସନ୍ନିକଟ ବୈତରଣୀ ନଦୀଗର୍ଭରୁ ଗୁରୁବାର ପୁରାତନ ମନ୍ଦିରର ଭଗ୍ନାବଶେଷ ଭଳି ଦିଶୁଥିବା ପ୍ରାଚୀନ ପ୍ରସ୍ତର ଦେଖିବାକୁ ମଳିଛି । ଏଠାରେ ଅବଲୁପ୍ତ ମନ୍ଦିର ଥିବାର ଅନୁମାନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଡୋଜର ମାଧ୍ୟମରେ ଖୋଳିବାପରେ ବହୁ ପ୍ରାଚୀନ ପଥରଖଣ୍ଡ ମିଳିଥିଲା । ଟ୍ରାକ୍ଟର ଓ ଟ୍ରକ୍ରେ ଡ୍ରୋଜର ମାଧ୍ୟମରେ ବାଲି ଉଠାଯାଉଥିବା ବେଳେ ଏକ ପଥର ବାଜିବା ଫଳରେ ତାହାକୁ ଉଠାଯାଇ ଦେଖିଲାବେଳେ ପ୍ରାଚୀନ ପଥର ବାହାରିଲା । ପରେ ଗ୍ରାମବାସୀ ପହଞ୍ଚି ବାଲିକୁ ଖୋଳିବା ଫଳରେ ମନ୍ଦିରର ଗମ୍ବୁଜ, ଚୁଳ, ଦଧିନଉତିରେ ବ୍ୟବହୃତ ଅନେକ ପଥରଖଣ୍ଡ ବାହାରିଥିଲା ଏବଂ ସେଠାରେ ପାଣି ଥିବାରୁ ଆଉ ଖୋଳାଯାଇ ପାରି ନ ଥିଲା ।
ଶ୍ରୀଶ୍ରୀ ବାସୁଦେବ ଠାକୁର ପ୍ରାୟ ୫ଶହ ବର୍ଷ ପୂର୍ବେ ଆଳିର ରାଜା ବାସୁଦେବ ନୌକାରେ ବୈତରଣୀ ନଦୀରେ ନେଇ ଯାଉଥିବା ବେଳେ ବାଲିପାଟଣା ନିକଟରେ ନୌକା ଆଗକୁ ଯାଇ ନ ଥିଲା । ସେଠାରେ ଥିବା ସାଧୁ ସନ୍ନ୍ୟାସୀଙ୍କ ଦ୍ୱାରା ବାସୁଦେବଙ୍କ ମୂର୍ତ୍ତିକୁ ସେହି ନଦୀକୂଳରେ ସ୍ଥାପନା କରାଯାଇଥିଲା । ସେତେବେଳ ସମୟରେ ସେଠାରେ ଏକ ଅଲୌକିକ ଶକ୍ତି ଅଛି ବୋଲି ରାଜାଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଅଧିବାସୀ ଅନୁଭବ କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଭଗବାନ ବାସୁଦେବଙ୍କୁ ଏକ ଚାଳିଆଘର କରି ପୂଜାର୍ଚ୍ଚନା କରାଗଲା । ୨୦୦୪ ମସିହାରେ ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ମିଳିତ ସହଯୋଗରେ ପ୍ରାଚୀନ ବାସୁଦେବଙ୍କ ବିଗ୍ରହ ସମ୍ପର୍କରେ ଅନୁଧ୍ୟାନ କରି ସେଠାରେ ପୀଠର ପୁନରୁଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଗ୍ରାମର କିଛି ବଦାନ୍ୟ ତଥା ଧର୍ମପରାୟଣ ବ୍ୟକ୍ତିମାନେ ସେଠାରେ ବିରାଟ ମନ୍ଦିର ନିର୍ମାଣ କରିଥିଲେ । କାଳକ୍ରମେ ବାସୁଦେବଙ୍କ ଅଲୌକିକଶକ୍ତି ପ୍ରସାର ହେବାପରେ ବହୁ ଆଧ୍ୟାତ୍ମିକ ବ୍ୟକ୍ତି ଓ ଭକ୍ତ ସେଠାରେ ପହଞ୍ଚି ଭଗବାନ ବାସୁଦେବଙ୍କ ପୂଜାର୍ଚ୍ଚନା କରିଥିଲେ ।
ଯାହା ଶୁଣିବାକୁ ମିଳେ ରାଜାଙ୍କ ଦ୍ୱାରା ଅଣାଯାଇଥିବା ବାସୁଦେବଙ୍କ ବିଗ୍ରହ ରହିବା ପରେ ସେଠାରେ ମନ୍ଦିର ନିର୍ମାଣ ପାଇଁ ପଥର ଆସିଥିବା ଅନୁମାନ କରାଯାଉଛି । ଏ ସମ୍ପର୍କରେ ରାଜ୍ୟସରକାର ପ୍ରତ୍ନତତ୍ତ୍ୱ ବିଭାଗ ସେଠାରେ ପହଂଚି ଅଧିକ ଗବେଷଣା କଲେ ଏହି ପ୍ରାଚୀନମନ୍ଦିର କିର୍ତ୍ତିରାଜିର ଉଦ୍ଧାର ସହ ଅବଲୁପ୍ତ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ବାସୁଦେବ ମନ୍ଦିର କମିଟି ସମେତ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *