ପୋପ୍ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଉପହାରରେ ଦେଲେ ଓଡ଼ିଶାର ପଟ୍ଟଚିତ୍ର
ଭୁବନେଶ୍ୱର,୨୨ା୬(ବୁ୍ୟରୋ): ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟିକାନ ସିଟିରେ ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କୁ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦ ଜାହିର କରିବା ସହ ପୋପ୍ଙ୍କୁ ଭେଟି ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି । ଏହି ସାକ୍ଷାତ୍ ଲାଗି ତାଙ୍କୁ ଧନ୍ୟବାଦ ଜଣାଇବା ସହ ସୁସ୍ଥ ଓ ଦୀର୍ଘଜୀବନ କାମନା କରିଛନ୍ତି ।
ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୋପ୍ଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦେଇଥିଲେ । ଏହି ପଟ୍ଟଚିତ୍ରରେ ‘ଜୀବନ ବୃକ୍ଷ’ର ଚିତ୍ରାୟନ କରାଯାଇଛି । ଏହାପରେ ପୋପ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଉପହାର ପ୍ରଦାନ କରିଥିଲେ । ସାକ୍ଷାତ୍ ସମୟରେ ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପୋପ୍ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ପଟ୍ଟଚିତ୍ରର ବାର୍ତ୍ତା ରହିଛି ଏକା ନୁହେଁ ଏକାଠି । ପବିତ୍ର ବୃକ୍ଷ ସହ ରହିଛି ଜୀବନ ବୃକ୍ଷର ସାମଞ୍ଜସ୍ୟ । ସମସ୍ତଙ୍କ ସହ ସମସ୍ତଙ୍କ ସମ୍ପର୍କ ରହିଛି ଏହାର ପ୍ରତୀକ । ଏହା ମଧ୍ୟ ସହାବସ୍ଥାନର ପ୍ରତୀକ ଏବଂ ଆମେ କେବେ ବି ଏକୁଟିଆ ନୁହେଁ-ଏହି ଅବବୋଧର ପରିଚାୟକ । ସର୍ବୋପରି ସମଗ୍ର ବିଶ୍ୱ ସହ ଆମର ବ୍ୟକ୍ତିସତ୍ତାର ରହିଛି ଘନିଷ୍ଠତା । ପଟ୍ଟଚିତ୍ର ଉକ୍ରଳୀୟ କଳାର ଏକ ଶ୍ରେଷ୍ଠ ପ୍ରତିଫଳନ । ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ପଟ୍ଟଚିତ୍ର ପ୍ରସ୍ତୁତ କରାଯାଇଥିଲା । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଭାଟିକାନ୍ରେ ପୋପ୍ଙ୍କୁ ସାକ୍ଷାତ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାକ୍ଷାତ୍ ଆନନ୍ଦଦାୟକ ଥିବା ସେ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମ୍ରେ ଅବସ୍ଥାନ କରିବେ । ମୁଖ୍ୟମନ୍ତ୍ରୀ ରୋମ୍ ସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ସେଠାରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସମ୍ପର୍କରେ ଆଲୋକପାତ କରିବେ । ୨୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ରୋମ୍ରୁ ଦୁବାଇ ଅଭିମୁଖେ ଗସ୍ତ କରିବେ । ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ସେ ଯୋଗଦେବେ । ରୋମ୍ ଓ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଭେଟିବେ । ୩ଠ ତାରିଖ ଅପରାହ୍ନରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ । ସେହିଦିନ ରାତିରେ ହିଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି ।