ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ନବୀନଙ୍କ ଅପିଲ୍
ଭୁବନେଶ୍ୱର,୨୨ା୬(ବୁ୍ୟରୋ): ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତିକ୍ରମେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି । ଏଥିସହ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ସମର୍ଥନ କରିବାକୁ ସେ ଅପିଲ୍ କରିଛନ୍ତି ।
ମୟୁରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ମଙ୍ଗଳବାର ତାଙ୍କ ନାମ ଘୋଷଣା ହେବା ପରେ ଓଡ଼ିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଥିଲେ ଯେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନ୍ଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି । ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାରଣ ସୃଷ୍ଟି କରିବେ ।
ଅନ୍ୟପକ୍ଷରେ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ସମର୍ଥନ ନେଇ ରାଜ୍ୟ କଂଗ୍ରେସରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।
କଂଗ୍ରେସର ୯ ଜଣ ବିଧାୟକ ଓ ଜଣେ ସାଂସଦ ରହିଥିବାବେଳେ ସେମାନେ ଏନ୍ଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ସେନେଇ ଅକଳରେ ପଡ଼ିଛନ୍ତି । ଦଳ ଯାହା ନିଷ୍ପତ୍ତି ନେବ, ତାହା ହିଁ କରିବୁ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏବଂ ସୁରେଶ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି । ଜଣେ ଓଡ଼ିଆ ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ବ୍ୟକ୍ତିଗତ ଭାବେ ଖୁସି ହେଲେ ଦଳର ଶୃଙ୍ଖଳିତ କର୍ମୀ ଭାବେ ଦଳର ନିଷ୍ପତ୍ତିିକୁ ମାନିବାକୁ ପଡ଼ିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।