୩ ସିଆର୍ପିଏଫ୍ ଯବାନ ସହିଦ

ନୂଆପଡ଼ା/ଭୁବନେଶ୍ୱର,୨୧ା୬(ବୁ୍ୟରୋ): ନୂଆପଡ଼ା ଜିଲ୍ଲାରେ ପୁଣି ମାଓ ଉପଦ୍ରବ ଘଟଣା ସାମ୍ନାକୁ ଆସିଛି । ନକ୍ସଲଙ୍କ ଗୁଳିରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍ପିଏଫ୍‌)ର ୩ ଜଣ ଯବାନ ସହିଦ ହୋଇଛନ୍ତି । ଜିଲ୍ଲାର ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ସିଆପିଏଫ୍‌ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ (ଏଏସ୍ଆଇ, ଉତ୍ତରପ୍ରଦେଶ), ଶିବପାଲ୍ (ଏଏସ୍ଆଇ, ହରିଆଣା) ଏବଂ ଧର୍ମେନ୍ଦ୍ର କୁମାର ସିଂହ (କନଷ୍ଟେବଲ୍, ବିହାର) ।
ସହିଦ ହୋଇଥିବା ୩ ସିଆର୍ପିଏଫ୍‌ ଯବାନଙ୍କ ପରିବାର ପାଇଁ ଓଡ଼ିଶା ସରକାର ସହାୟତା ଘୋଷଣା କରିଛନ୍ତି । ପ୍ରତି ସହିଦ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ପୁଲିସ୍ ମହାନିଦେ୍ର୍ଦଶକ (ଡିଜିପି) ସୁନିଲ୍ ବଂଶଲ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମାଓ କାର୍ଯ୍ୟକଳାପ ହ୍ରାସ ପାଇଁ ଉକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିବ । ସହିଦ୍ଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଡିଜିପି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନାନୁସାରେ, ନୂଆପଡ଼ାର ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସିଆର୍ପିଏଫ୍‌ ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସିଆର୍ପିଏଫ୍‌ ଯବାନମାନେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନ୍ରେ ବାହାରିଥିଲେ । ଗୋଟିଏ କ୍ୟାମ୍ପରୁ ଅନ୍ୟ ଏକ କ୍ୟାମ୍ପକୁ ଯାଉଥିବା ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇଯାଇଥିଲେ । ସେମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି କରିଥିଲେ । ଯବାନମାନେ ମଧ୍ୟ ପାଲଟା ଜବାବ୍ ଦେଇଥିଲେ । ତେବେ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୩ ଜଣ ଯବାନ ସହିଦ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଆଉ କିଛି ଯବାନ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍ପିଙ୍କ ସମେତ ସିଆରପିଏଫ୍ର ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ । ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ଏସ୍ଓଜି ଏବଂ ସିଆର୍ପିଏଫ୍ର ଅଧିକ ଟିମ୍ ଏହି ଅପରେସନ୍ରେ ସାମିଲ ହୋଇଛନ୍ତି । ମାଓବାଦୀଙ୍କୁ ସଫା ନ କରିବା ଯାଏ ଏ ଅପରେସନ୍ ଜାରି ରହିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
ବୋଡେନ୍‌ ଥାନା ପାଟଧରାରେ ସିଆର୍ପିଏଫ୍ର ଏକ ନୂଆ କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଛି । ଏହାକୁ ନକ୍ସଲମାନେ ବିରୋଧ କରୁଥିଲେ । କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ମାରି ଦାବି କରି ଆସୁଥିଲେ । ମଙ୍ଗଳବାର ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପ୍କୁ ଯାଉଥିଲେ । ଏହି ସମୟରେ ନକ୍ସଲମାନେ ହମ୍ଲା କରିଥିଲେ । ଏହାର କଡ଼ା ଜବାବ୍ ଦେଇଥିଲେ ସିଆରପିଏଫ୍‌ ଯବାନ । ତେବେ ନକ୍ସଲଙ୍କ ଗୁଳିରେ ୩ ଯବାନ ସହିଦ୍ ହୋଇଛନ୍ତି । ସହିଦ ଶିଶୁପାଳ ସିଂହଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡ଼ର ଲାଲଗରି ଗାଁରେ । ତାଙ୍କୁ ୪୯ ବର୍ଷ ହୋଇଥିଲା । ଶିବଲାଲଙ୍କ ଘର ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାର ପାଇଗା ଗାଁରେ । ଧର୍ମେନ୍ଦ୍ର କୁମାର ସିଂହଙ୍କ ଘର ବିହାରର ରୋହତସ୍‌ ଜିଲ୍ଲାର ସରାୟା ଗାଁରେ ବୋଲି ସୂଚନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *