ବଜ୍ରାଘାତରେ ଗଲା ୬ ଜୀବନ
ମୟୂରଭଞ୍ଜରେ ୨, କେନ୍ଦୁଝରରେ ୨, ଭଦ୍ରକ ଓ ନବରଙ୍ଗପୁରରେ ଜଣେ ଲେଖାଏଁ ମୃତ
ବାରିପଦା/ଗୋଳାବନ୍ଧ/ତିହିଡ଼ି/ନବରଙ୍ଗପୁର (ଆପ୍ର): ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୬ ଜଣଙ୍କ ମୃତୁ୍ୟ ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର ଏବଂ ଭଦ୍ରକ ଜିଲ୍ଲାରୁ ୬ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅଧୀନ ମଣଦା ଗାଁରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ମାନେ ହେଲେ ମତଦାନ ଗାଁର ଶୁଶାନ୍ତ ଗିରି ଏବଂ ଜାଲେ ପିଙ୍ଗୁଆ ।
ଅପରପକ୍ଷେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସାନ୍ତରାପୁର ପଞ୍ଚାୟତ ମୁଣ୍ଡାସାହିରେ ବଜ୍ରାଘାତ ଘଟି ଦୁଇ ମହିଳାଙ୍କ ମୃତୁ୍ୟ ହୋଇଛି । ସେମାନେ ହେଲେ ବିନତୀ ମୁଣ୍ଡା(୩୨) ଏବଂ ହୀରା ମୁଣ୍ଡା (୬୫) । ଦୁହେଁ ନିକଟବର୍ତ୍ତି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୨ଟା ବେଳେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଦୁହେଁ ଗୋଟିଏ ପଥର ଖୋଲ ଭିତରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପୀରହାଟ ଥାନା ବାହାବଳପୁର ପଞ୍ଚାୟତ ଦୋହରାସାହିର ଦାନବୀର ମାଝୀ (୨୦)ଙ୍କ ବଜ୍ରାଘାତରେ ମୃତୁ୍ୟ ହୋଇଛି । ଦାନବୀର ମଧ୍ୟାହ୍ନରେ ବିଲରୁ କାମ କରି ଘରକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳପୁର ପଞ୍ଚାୟତ ଅଧୀନ କନାଟିଆ ଗ୍ରାମର କମଳାକାନ୍ତ ଗିରି (୫୪) ଆହତ ହୋଇଥିବା ବେଳେ ସାମନ୍ତରାୟପୁରର ସନ୍ଥଚରଣ ବିଶ୍ୱାଳଙ୍କ ଘର ବଜ୍ରଘାତରେ ବିଦୁ୍ୟତ୍ ସର୍ଟସର୍କିଟ୍ ହୋଇ ଆଂଶିକ ପୋଡ଼ି ଯାଇଛି । ଏହାସହ ଗାଁର ଏକ ନଡ଼ିଆ ଗଛକୁ ବଜ୍ରାଘାତ ଲାଗିଥିବା ବେଳେ ଏହାର ପ୍ରଭାବରେ ଅନ୍ୟ କେତେକଙ୍କ ଘରେ ମଧ୍ୟ ବିଦୁ୍ୟତ୍ ସର୍ଟସର୍କିଟ୍ ହୋଇ ସାମଗ୍ରୀ ପୋଡ଼ି ଯାଇଛି ।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଜଗରନ୍ନାଥପୁର ପଞ୍ଚାୟତର ଗୌଡ଼କଷ୍ଟିଗୁଡା ଗ୍ରାମରେ ବଜ୍ରାଘାତରେ ସ୍ତ୍ରୀ ମୃତ୍ୟୁବରରଣ କରିଥବବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅପରାହ୍ଣ ୩ଟାରେ ଗ୍ରାମର ଚନ୍ଦ୍ର ନାୟକ (୪୮) ଓ ତାଙ୍କ ସ୍ତ୍ରୀ ଦୂତିକା ନାୟକ (୪୦) ନିଜ ଜମିରେ ଧାନ ତଳି ପକାଇବାକୁ ଯାଇଥିବା ସମୟରେ ବର୍ଷାପବନ ସହିତ ଘଡ଼ଘଡ଼ି ମାରିଥିଲା । ସେମାନେ ବିଲରେ ଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ