ଶତାଧିକ ସ୍ଥାନ ଉଠିଲେ କାର୍ତ୍ତିକ

ଆଇସିସି ଟି-୨୦ ମାନ୍ୟତା
ଦୁବାଇ, ୨୨ା୬ (ଏଜେନ୍ସି): ଉତ୍ତମ ପ୍ରଦର୍ଶନ ବଳରେ ଭାରତୀୟ ଭେଟେରାନ୍ ଦିନେଶ କାର୍ତ୍ତିକ ସଦ୍ୟତମ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ୧୦୮ ସ୍ଥାନର ବ୍ୟାପକ ଉନ୍ନତି ସହିତ ୮୭ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ, ଯୁବ ଓପନର୍ ଈଶାନ କିଶନ ଟପ୍-୧୦ରେ ଏକମାତ୍ର ଭାରତୀୟ ବ୍ୟାଟର୍ ଭାବେ ତିଷ୍ଠି ରହିଛନ୍ତି ।
ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଈଶାନ ଦୁଇଟି ଅର୍ଦ୍ଧଶତକ ସହାୟତାରେ ୪୧ ଆଭରେଜ୍ରେ ସର୍ବାଧିକ ୨୦୬ ରନ୍ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ଯୋଗଁୁଁ ବାମହାତି ବ୍ୟାଟର୍ ଗୋଟିଏ ସ୍ଥାନ ଉଠି ଷଷ୍ଠ ସ୍ଥାନକୁ ଚାଲିଆସିଛନ୍ତି । କାର୍ତ୍ତିକ ଆଇପିଏଲ୍-୧୫ ଠାରୁ ଉତ୍ତମ ଫର୍ମରେ ରହିଛନ୍ତି ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷର ବି କେତେକ ଭଲ ଇନିଂସ୍ ଖେଳିଥିଲେ । ପାକିସ୍ତାନର ଅଧିନାୟକ ବାବର ଆଜମ୍ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
ଟି-୨୦ ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର୍ ଯୁଜବେନ୍ଦ୍ର ଚହଲ ତିନି ସ୍ଥାନ ଉଠି ୨୩ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ୬ ୱିକେଟ୍ ନେଇଛନ୍ତି । ଅଷ୍ଟ୍ରେଲୀୟ ପେସର୍ ଜୋଶ୍ ହାଜଲଉଡ୍ ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି । ଆଫଗାନିସ୍ତାନର ସ୍ପିନର୍ ରଶିଦ୍ ଖାଁ (ମିଳିତ ତୃତୀୟ) ଓ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା (ଷଷ୍ଠ) ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି ।
ଟେଷ୍ଟ ଅଲ୍ରାଉଣ୍ଡର ତାଲିକା: ଜାଡ଼େଜା ଶୀର୍ଷରେ ଅପରିବର୍ତ୍ତିତ
ଆଇସିସି ଟେଷ୍ଟ ଅଲ୍ରାଉଣ୍ଡର୍ ତାଲିକାରେ ଭାରତର ରବୀନ୍ଦ୍ର ଜାଡ଼େଜା ୩୮୫ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ଏବେ ଭାରତର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ବିଦେଶ ଗସ୍ତରେ ଅଛନ୍ତି । ବାଂଲାଦେଶର ଅଧିନାୟକ ସାକିବ ଅଲ୍ ହସନ ୩୪୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
ବ୍ୟାଟର୍ ତାଲିକାରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି (୭୪୨ ରେଟିଂ ପଏଣ୍ଟ) ୧୦ମ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି । ବୋଲିଂ ମାନ୍ୟତାରେ ରବିଚନ୍ଦ୍ରନ୍ ଅଶ୍ୱିନ (୮୫୦) ଓ ପେସର୍ ଯଶପ୍ରୀତ ବୁମ୍ରା (୮୩୦) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । କାରିବୀୟ ବୋଲର୍ କେମାର ରୋଚ୍ ଚାରି ସ୍ଥାନ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲୀୟ ପେସର୍ ପାଟ୍ କମିନ୍ସ ୯୦୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *