ଅବ୍ୟବସ୍ଥା ଘେରରେ ଛେଳିଗଡ଼ ୫-ଟି ସ୍କୁଲ

ଉଦ୍ଘାଟନକୁ ୭ମାସ ପୂରିନି
ମୋହନା (ଆପ୍ର): ଶିକ୍ଷାର ବିକାଶକୁ ଆଗକୁ ନେବା ଶହ ପିଲାଙ୍କୁ ଆଧୁନିକ ଯୁଗରେ କୌଶଳ ଓ ଉନ୍ନତମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ନିର୍ମାଣ କରୁଛନ୍ତି ସ୍ମାର୍ଟ ଶ୍ରେଣୀ ଗୃହ । ହେଲେ ଠିକା ସଂସ୍ଥା ଓ ସହକାରୀ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ନିର୍ମାଣର କିଛି ମାସ ନ ପୁରୁଣୁ ରୂପାନ୍ତରିତ ବିଦ୍ୟାଳୟରେ ବହୁ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି ।
ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୬୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୧୫ ଶିକ୍ଷକ-ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ି ସ୍ମାର୍ଟ ହେବା ଲକ୍ଷ୍ୟରେ ରାଜ୍ୟ ସରକାର ବିଦ୍ୟାଳୟକୁ ୫-ଟି ଯୋଜନାରେ ରୂପାନ୍ତରିତ କରି ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍, ଆଦର୍ଶ ଶୌଚାଳୟ, ପାନୀୟ ଜଳ, ବିଦୁ୍ୟତ୍ ସେବା ଯୋଗାଇବା ସହ ସୁନ୍ଦର ବଗିବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଛନ୍ତି । ୨୦୨୧ ନଭେମ୍ବର ୨୯ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ବିଦ୍ୟାଳୟ ଉଦ୍ଘାଟନ କରିଥିଲେ । ହେଲେ ଉଦ୍ଘାଟନର ୭ମାସ ନ ହେଉଣୁ ବିଦ୍ୟାଳୟରେ ଏବେ ବହୁ ଅବ୍ୟବସ୍ଥା ଦେଖାଦେଇଛି । ଶୌଚାଳୟକୁ ପାଣି ଆସୁନ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ପିଇବା ପାଣି ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି । ବର୍ଷା ହେଲେ ଶ୍ରେଣୀ ଗୃହରେ ପଶୁଛି ବର୍ଷା ପାଣି । ଏବେ ମଧ୍ୟ ଅନେକ ପୁରୁଣା ଶୌଚାଳୟ ମରାମତି କରାଯାଉ ନ ଥିବା ଯୋଗୁ ସେଠାରେ ଗଛ ଉଠିଗଲାଣି । ବିଦ୍ୟାଳୟ ପରିସରରେ କୂଅ ଥିଲେ ମଧ୍ୟ ମରାମତି ଅଭାବରୁ ଭୁଶୁଡିଗଲାଣି । ତାକୁ ଚୂନ ଦେଇ ନୂଆ କରାଯାଇଛି । ବିଭାଗୀୟ ସହକାରୀଯନ୍ତ୍ରୀ ସାନୁଜ କୁମାରଙ୍କ ସୂଚନା ପ୍ରକାରେ ଏହି ବିଦ୍ୟାଳୟକୁ ୫-ଟି ମାଧ୍ୟମରେ ୭୮ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯାଇଛି । ବିଦ୍ୟାଳୟ କାନ୍ଥଗୁଡିକୁ ଅନଭିଜ୍ଞ ମିସ୍ତ୍ରୀ ଦ୍ୱାରା ମରାମତି କରାଯାଇଥିବା ବେଳେ ବିଦ୍ୟାଳୟର ଅନେକ ସ୍ଥାନରେ କାନ୍ଥ ଫାଟି ଅାଁ ହେଲାଣି । ଏଗୁଡିକ ସବୁ ପୁରୁଣା କୋଠା ତାହାକୁ କେବଳ ରଙ୍ଗ ଦିଆଯାଇଛି । ଫଳରେ ଚଳିତ ମାସ ୮ତାରିଖରେ କାଳବୈଶାଖି ଝଡବାତ୍ୟା ଯୋଗୁ ରଙ୍ଗ ଦିଆଯାଇଥିବା ଟିଣଛପର ମଧ୍ୟ ଉଡିଯାଇଛି । ତଥାପି କାହାକୁ ସଜାଡିବା ପାଇଁ ଯେମିତି କାହାର ଦୃଷ୍ଟି ପଡୁନି । ୭୮ଲକ୍ଷ ଟଙ୍କା କାହା ସ୍ୱାର୍ଥରେ ଖର୍ଚ୍ଚ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଦ୍ୟାଳୟର ଏଭଳି ଅବସ୍ଥା ସମ୍ପର୍କରେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ । ନିମ୍ନମାନର କାମ ପଛରେ ଯେଉଁମାନେ ସମ୍ପୃକ୍ତ ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି କହିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ସଚିବ ଏହି ବିଦ୍ୟାଳୟଗୁଡିକରେ ନିମ୍ନମାନର ନିର୍ମାଣ କାମର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *