ଭାରତର ଅପରାଜେୟ ଯାତ୍ରା ଅବ୍ୟାହତ

୨୩ ବର୍ଷରୁ କମ୍ ପଞ୍ଚରାଷ୍ଟ୍ରୀୟ ମହିଳା ହକି
ଡବଲିନ୍, ୨୨ା୬ (ଏଜେନ୍ସି): ଭାରତୀୟ ମହିଳା ହକି ଟିମ୍ ବୁଧବାର ୨୩ ବର୍ଷରୁ କମ୍ ପଞ୍ଚରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ତା’ର ଅପରାଜେୟ ଯାତ୍ରା ଅବ୍ୟାହତ ରଖି ୟୁକ୍ରେନ୍କୁ ୩-୦ରେ ପରାସ୍ତ କରିଛି ।
ନିକିତା ଟପ୍ପୋ (୩୩ତମ), ମଞ୍ଜୁ ଚୋରସିୟା (୪୪ତମ) ଓ ବିଉଟି ଡୁଙ୍ଗଡୁଙ୍ଗ (୫୫ତମ) ଭାରତ ପକ୍ଷରୁ ସ୍କୋର୍ କରିଥିଲେ । ଭାରତ ଗୁରୁବାର ନିଜ ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚ୍ରେ ଆମେରିକାକୁ ଭେଟିବ ।
ମ୍ୟାଚ୍ର ପାଞ୍ଚ ମିନିଟ୍ ମଧ୍ୟରେ ୟୁକ୍ରେନ୍ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଭାରତୀୟ ରକ୍ଷଣପନ୍ଥୀ ଏହ ବିପଦକୁ ଏଡ଼ାଇ ଦେଇଥିଲେ । ଧୀରେ ଧୀରେ ଭାରତୀୟ ଟିମ୍ ମ୍ୟାଚ୍ ଉପରେ ନିୟନ୍ତ୍ରଣ ହାସଲ କରିଥିଲା ଏବଂ କ୍ରମାଗତ ଦୁଇଟି ପିସି ପାଇଥିଲେ, ହେଲେ କୌଣସିଟି କାମରେ ଲାଗି ନ ଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆଉ ଏକ ପିସି ପାଇଥିଲା, କିନ୍ତୁ ଏହି ସୁଯୋଗ ବି ହାତଛଡ଼ା ହୋଇଥିଲା । ମଧ୍ୟାନ୍ତର ସୁଦ୍ଧା ମ୍ୟାଚ୍ ଗୋଲ୍ଶୂନ୍ୟ ରହିଥିଲା । ତୃତୀୟ କ୍ୱାର୍ଟରର ତୃତୀୟ ମିନିଟ୍ରେ ଭାରତ ଡେଡ୍ଲକ୍ ଭାଙ୍ଗିଥିଲା । ନିକିତା ଏକ ଫିଲ୍ଡ ଗୋଲ୍ କରି ଭାରତକୁ ଅଗ୍ରଣୀ କରିଥିଲେ । ଏହି କ୍ୱାର୍ଟର ଶେଷ ହେବାକୁ ଗୋଟିଏ ମିନିଟ୍ ବାକି ଥିବା ବେଳେ ମଞ୍ଜୁ ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
ଚତୁର୍ଥ କ୍ୱାର୍ଟରରେ ୟୁକ୍ରେନ୍ ଖାତା ଖୋଲିବା ପାଇଁ ପାଲଟା ଆକ୍ରମଣ କରିଥିଲା । କିନ୍ତୁ ଭାରତୀୟ ରକ୍ଷଣପନ୍ଥୀ ପ୍ରାଚୀର ଭଳି ଛିଡ଼ା ହୋଇ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇ ନ ଥିଲେ, ଅନ୍ୟପଟେ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରହିଥିଲା । ୫୪ତମ ମିନିଟ୍ରେ ଭାରତ ଏକ ପିସି ପାଇଥିଲା, କିନ୍ତୁ ଏହା ଗୋଲ୍ରେ ରୂପାନ୍ତରିତ ହୋଇ ପାରି ନ ଥିଲା । ତେବେ ଏହାର ଏକ ମିନିଟ୍ ପରେ ଉପ-ଅଧିନାୟକ ଡୁଙ୍ଗ୍ଡୁଙ୍ଗ୍ ଟିମ୍ ପକ୍ଷରୁ ତୃତୀୟ ଗୋଲ୍ ଦେଇ ମ୍ୟାଚ୍କୁ ୟୁକ୍ରେନ୍ ଠାରୁ ଦୂରେଇ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *