ଦ୍ରୌପଦୀ ବନାମ ଯଶୱନ୍ତ

ନୂଆଦିଲ୍ଲୀ, ୨୧ା୬: ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳମାନେ ଟିଏମ୍ସି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବା ପାଇଁ ସହମତ ହେବା ପରେ ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପକ୍ଷରୁ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି ।
ମଙ୍ଗଳବାର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ସଂସଦୀୟ ବୋର୍ଡ ବୈଠକରେ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିଜେଡିର ସମର୍ଥନ ମିଳିବା ସହଜ ହେବ ।
ସଂସଦୀୟ ବୋର୍ଡ ବୈଠକରେ ରାଷ୍ଟ୍ରପତି ପଦ ପାଇଁ ୨୦ ଜଣଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା । ପର୍ଯ୍ୟବେକ୍ଷକମାନଙ୍କ ମତରେ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଦିବାସୀ ତଥା ମହିଳା କାର୍ଡ ଖେଳିଛି । ଚଳିତ ବର୍ଷ ଶେଷ ବେଳକୁ ଏବଂ ଆସନ୍ତାବର୍ଷ ୧୧ଟି ରାଜ୍ୟ ଯଥା- ଗୁଜରାଟ, ହିମାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, କର୍ଣ୍ଣାଟକ, ଛତିଶଗଡ, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ । ସେଥିରୁ ୫ଟି ରାଜ୍ୟ ଆଦିବାସୀବହୁଳ । ଏହାଛଡା ୨୦୨୪ ଲୋକସଭା ଓ ଏକସଙ୍ଗେ ସିକିମ୍, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଓଡିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁର୍ମୁଙ୍କ ପ୍ରାର୍ଥôତ୍ୱ ଚୂଡାନ୍ତ କରାଯାଇଛି ।
ଦ୍ରୌପଦୀଙ୍କ ବିଜୟ ପାଇଁ ଏନ୍ଡିଏ ଆଉ ୯୦୦ ଭୋଟ୍ ଆବଶ୍ୟକ କରୁଛି । ବିଜେଡିର ସମର୍ଥନରେ ଦ୍ରୌପଦୀ ପରବର୍ତ୍ତୀ ରାଷ୍ଟ୍ରପତି ହେବା ସୁନିଶ୍ଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦ୍ରୌପଦୀଙ୍କ ପ୍ରାର୍ଥôତ୍ୱକୁ ସମର୍ଥନ ଜଣାଇଛନ୍ତି ।
ବିଜେପି ପକ୍ଷରୁ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥôତ୍ୱ ସମ୍ପର୍କରେ ଘୋଷଣା କରିଥିଲେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା । ତା ପୂର୍ବରୁ ଏନ୍ସିପି ନେତା ଶରଦ ପାୱାରଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନିଷ୍ପତ୍ତି ନିଆଯାଇଥିଲା । ୧୯ଟି ଦଳ ସିହ୍ନାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି ।
ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ୫ଟି ଆଞ୍ଚଳିକ ଦଳ ଯଥା- ବିଜେଡି, ଟିଆର୍ଏସ୍, ଆପ୍, ସିରୋମଣି ଅକାଳୀ ଦଳ ଓ ୱାଇଏସ୍ଆର୍ସିପି ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରିଆସିଛନ୍ତି । ତେବେ ଶେଷ ମୁହୂର୍ତ୍ତରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ଏହି ବୈଠକରେ ଭାଗ ନେଇ ନ ଥିଲେହେଁ ଦଳର ମୁଖିଆ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯଶୱନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି । ଏହାର ପ୍ରଧାନ କାରଣ ଉଲ୍ଲେଖ କରି ସେ କହିଛନ୍ତି, ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ନୀତିର କଟୁ ସମାଲୋଚନା କରି ଆସୁଥିବାରୁ ଟିଆର୍ଏସ୍ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବ ।
ମଙ୍ଗଳବାର ଅପରହ୍ଣରେ ବିରୋଧୀ ଦଳମାନଙ୍କ ପକ୍ଷରୁ ସିହ୍ନାଙ୍କ ପ୍ରାର୍ଥିତ୍ୱ ନେଇ ମିଳିତ ବିବୃତି ଜାରି କରାଯିବା ସହ ବିଜେପିର ସମର୍ଥନ ଲୋଡା ଯାଇଛି ।
ସିହ୍ନା ତୃଣମୂଳ କଂଗ୍ରେସରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଆସନ୍ତା ୨୭ ତାରିଖ ଦିନ ସେ ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ ୨୯ । ଜୁଲାଇ ୧୮ରେ ନିର୍ବାଚନ ଅନୁଷ୍ଠିତ ହୋଇ ୨୧ରେ ଭୋଟ୍ ଗଣତି ସହ ଫଳ ଘୋଷଣା କରାଯିବ । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ । ପରଦିନ ନୂଆ ରାଷ୍ଟ୍ରପତି ଶପଥଗ୍ରହଣ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *