କାଟିଦେଲା ଗର୍ଭସ୍ଥ ଶିଶୁର ମୁଣ୍ଡ
ଡାକ୍ତର ନୁହେଁ, କର୍ମଚାରୀ କଲା ପ୍ରସବ
କରାଚୀ (ଏଜେନ୍ସି): ପାକିସ୍ତାନରେ ସିନ୍ଧ ପ୍ରାନ୍ତରେ ଏକ ସରକାରୀ ହସ୍ପିଟାଲ (ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର)ରେ ଜଣେ ଗର୍ଭବତୀ ହିନ୍ଦୁ ମହିଳାଙ୍କ ସହ ଅତ୍ୟନ୍ତ କ୍ରୁର ତଥା ନିନ୍ଦନୀୟ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ହସ୍ପିଟାଲରେ ଡାକ୍ତର ନଥିବା କାରଣରୁ ଏଠାରେ କାମ କରୁଥିବା ଜଣେ ତଳିଆ କର୍ମଚାରୀ ମହିଳାଙ୍କ ପ୍ରସବ କରାଇଦେବେ ବୋଲି କହିଥିଲେ । ପରେ ସେ ମହିଳାଙ୍କ ସିଜରିଆନ୍ ଉପାୟରେ ପ୍ରସବ କରାଇବା ଆରମ୍ଭ କରିଥିଲେ । କିନ୍ତୁ ସନ୍ତାନ ପ୍ରସବ କରାଇବା ସମ୍ପର୍କରେ କୌଣସି ଅଭିଜ୍ଞତା ନଥିବାରୁ ଏହି କର୍ମଚାରୀଜଣକ ଜାଣତରେ ହେଉ କିମ୍ବା ଅଜାଣତରେ ଗର୍ଭସ୍ଥ ସନ୍ତାନର ମୁଣ୍ଡକାଟି ଦେଇଥିଲେ । ପରେ ସେହି ଗର୍ଭସ୍ଥ ସନ୍ତାନର ମୃତଦେହକୁ ମହିଳାଙ୍କ ଗର୍ଭରେ ହିଁ ରଖିଦେଇଥିଲେ ।
ପ୍ରାପ୍ତ ସୂଚନାନୁସାରେ ସିନ୍ଧ ପ୍ରଦେଶର ଥାରପାରକର ଜିଲ୍ଲାର ଏକ ଦୂରଦୂରାନ୍ତ ଗାଁର ୩୨ବର୍ଷୀୟା ହିନ୍ଦୁ ମହିଳାଜଣକ ହଠାତ୍ ପ୍ରସବ ବେଦନା ଅନୁଭବ କରିଥିଲେ । ପରେ ମହିଳାଙ୍କ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ନେଇଯାଇଥିଲେ । କିନ୍ତୁ ସେସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ନଥିଲେ । ତେବେ ଏଠାରେ ଥିବା ଜଣେ କର୍ମଚାରୀ କିଛି ପଇସା ପାଇବା ଲୋଭରେ ନିଜେ ପ୍ରସବ କରାଇଦେବେ ବୋଲି କହିଥିଲେ । ପରିବାର ଲୋକେ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ । ତେବେ ଏହି କର୍ମଚାରୀଙ୍କ କୌଣସି ଅଭିଜ୍ଞତା ନଥିବାରୁ ଗର୍ଭସ୍ଥ ଶିଶୁର ମୁଣ୍ଡକୁ ହିଁ କାଟିଦେଇଥିଲେ ଏବଂ ପରେ ଶିଶୁଟିର ମୃତଦେହକୁ ମହିଳାଙ୍କ ଗର୍ଭରେ ହିଁ ଛାଡିଦେଇଥିଲେ । ଫଳରେ ମହିଳାଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଯାଇଥିଲା । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଲୁମ୍ହସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ନବଜାତର ବାକି ଶରୀରକୁ ଗର୍ଭରୁ ବାହାର କରାଯାଇ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିଛି । ଏଭଳି ଏକ ସ୍ପର୍ଶକାତର ଘଟଣା ସମ୍ପର୍କରେ ଜଣାପଡିବା ପରେ ସିନ୍ଧ ସ୍ୱାସ୍ଥ୍ୟ ସେବାର ମହାନିଦେ୍ର୍ଦଶକ ଡ. ଜୁମାନ୍ ବହୋତେ କହିଛନ୍ତି, ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି, ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।