ରୋମ୍ରେ ଅହିଂସା ବାର୍ତ୍ତା
ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳିରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକ୍ରମ ଆରମ୍ଭ
ଭୁବନେଶ୍ୱର,୨୧ା୬(ବୁ୍ୟରୋ): ବିଶ୍ୱର ସର୍ବ ପୁରାତନ ସହର ରୋମ୍ରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ର ପିଆଜା ଗାନ୍ଧୀ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ୍ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଦ୍ୱାରା ସେ ଅନୁପ୍ରାଣିତ । ଶାସନ ଓ ପ୍ରଶାସନରେ ଗାନ୍ଧୀବାଦକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ୨୦୧୮ରୁ ସମ୍ବିଧାନର ମୁଖବନ୍ଧରେ ମହାତ୍ମାଙ୍କ ‘ଅହିଂସା’କୁ ସ୍ଥାନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରଥମ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ । ଏହା ଜାତିର ପିତାଙ୍କ ପ୍ରତି ତାଙ୍କ ୧୫୦ ତମ ଜୟନ୍ତୀରେ ଶ୍ରେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମହାତ୍ମାଙ୍କ ଉକ୍ତିକୁ ଆଧାର କରି ଶାନ୍ତି ବିନା ପ୍ରଗତି ସମ୍ଭବ ନୁହେଁ ବୋଲି କହିଥିଲେ । ସେହିଭଳି ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ । ନିଃସ୍ୱାର୍ଥପର ଭାବେ ସମାଜର ଗରିବଗୁରୁବାଙ୍କ ପାଇଁ କାର୍ଯ୍ୟ କରିବାକୁ ଗାନ୍ଧୀଙ୍କ ଏହି ପରଶମଣିକୁ ନବୀନ ଲୋକସେବା ଭବନରେ ମଧ୍ୟ ସ୍ଥାନୀତ କରିଛନ୍ତି ।
ଗାନ୍ଧୀ ଜୟନ୍ତୀରେ ରାଜ୍ୟର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଏହି ପରଶମଣିକୁ ଲୋକସେବା ଭବନରେ ସ୍ଥାନୀତ କରାଯାଇଛି । ଏହା ଗରିବଗୁରୁବାଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।
ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧ଠ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ସୋମବାର ନବୀନ ରୋମ୍ରେ ପହଞ୍ଚିବା ପରେ ଭାରତର ରାଷ୍ଟ୍ରଦୂତ ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ମୁଖ୍ୟାଳୟ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ସେଠାରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଉଦ୍ବୋଧନ ଦେବେ । ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତା ନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ର ଦେବେ । ଏଥିସହ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଫ୍ରାନ୍ସିସ୍ଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ପୋପ୍ଙ୍କୁ ଭେଟିଥିଲେ । ୧୯୮୯ ମସିହାରେ ଗିରିଧର ଟେଲିକମ୍ ମନ୍ତ୍ରୀ ଥିବା ସମୟରେ ଇଟାଲୀ ଗସ୍ତରେ ଯାଇ ଭାଟିକାନ୍ ସିଟିରେ ପୋପ୍ଙ୍କୁ ସାକ୍ଷାତ୍ କରିଥିଲେ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ତାରିଖରେ ରୋମ୍ରୁ ଦୁବାଇ ଅଭିମୁଖେ ଗସ୍ତ କରିବେ । ଦୁବାଇରେ ୨୯ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବେ । ପୁଞ୍ଜି ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ଏହି ଆଲୋଚନାରୁ ଓଡ଼ିଶାକୁ ବଡ଼ ଧରଣର ପୁଞ୍ଜି ଆସିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ୩ଠ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶରୁ ଫେରିବାର କାର୍ଯ୍ୟକ୍ରମ ରହିଛି ।