ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ
ପୁରୀ (ବୁ୍ୟରୋ): ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ । ନିର୍ମାଣ ହେବାକୁ ଥିବା ଷ୍ଟେସନର ରୂପରେଖ ପ୍ରଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତତ୍ସହିତ ଏକ ଫଟୋଚିତ୍ର ମଧ୍ୟ ପ୍ରଦର୍ଶନୀ କରିଥିଲେ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ।
ସେ ଆହୁରି ମଧ୍ୟ କହିଛନ୍ତି ପୁରୀ ଷ୍ଟେସନ ବିଶ୍ୱସ୍ତରୀୟ ରୂପ ଦିଆଯିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ରେଳ ସେବା କ୍ଷେତ୍ରରେ ପୁରୀ ଅର୍ନ୍ତର୍ଜାତୀୟ ଗମନାଗମନର ହେବ ପ୍ରାଣକେନ୍ଦ୍ର । ଦୈନିକ ୨୦ ହଜାର ଯାତ୍ରୀଙ୍କ ଗମନାଗମନର ମାର୍ଗ ପ୍ରଶସ୍ତ ହେବ । ଏହାଦ୍ୱାରା କେବଳ ପର୍ଯ୍ୟଟକଙ୍କ ଗମନାଗମନର ସୁବିଧା ସହ ବାଣିଜ୍ୟକ ଦୃଷ୍ଟିକୋଣରୁ ବି ରେଳ ବିଭାଗ ଲାଭବାନ ହୋଇପାରିବ । କର୍ମନିଯୁକ୍ତିର ବି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପ ଲାଗି ୩୬୪କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକୁ ଦୁଇବର୍ଷ ମଧ୍ୟରେ ଶେଷ କରାଯିବ । ପ୍ରଥମେ ୧୬୧କୋଟି ୫୧ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ।
ବିଶ୍ୱସ୍ତରୀୟ ଷ୍ଟେସନ ବିଲ୍ଡିଂ, ଉନ୍ନତମାନର ଯାତ୍ରୀନିବାସ ନିର୍ମାଣ ସହ ଓଡ଼ିଶାର ସ୍ଥାପତ୍ୟ କଳା ସଂସ୍କୃତି ଅନୁଯାୟୀ ଡିଜାଇନ୍ରେ ନିର୍ମାଣ କରାଯିବ । ଏପରିକି ବାତ୍ୟା ସମୟରେ ୨୦୦ରୁ ୩୦୦ କିଲୋମିଟର ମଧ୍ୟରେ ପବନ ପ୍ରବାହିତ ହେଲେ ସୁଦ୍ଧା କୋଠାର କୌଣସି କ୍ଷୟକ୍ଷତି ହେବ ନାହିଁ । ପିପିପି ମୋଡ୍ରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପର ଟେଣ୍ଡର ଆହ୍ୱାନ ସରିଥିବାବେଳେ ଆସନ୍ତା ୨୩ରେ ଟେଣ୍ଡର ପେପର ଖୋଲାଯିବ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ରେଳବିଭାଗର ସୂଚନାନୁଯାୟୀ, ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ୍ ଅଧୀନରେ ଥିବା ପୁରୀ ରେଳଷ୍ଟେସନ ଏନ୍ଏସ୍କି-୨ ପର୍ଯ୍ୟାୟ ଷ୍ଟେସନ ଅନ୍ତର୍ଭୁକ୍ତ । ଏହି ରେଳ ଷ୍ଟେସନରେ ୮ଟି ପ୍ଲାଟଫର୍ମରେ ମେଲ୍, ଏକ୍ସପ୍ରେସ୍ ଓ ପାସେଞ୍ଜରକୁ ମିଶାଇ ୫୨ଟି ଟ୍ରେନ୍ ଚଳାଚଳ କରୁଛି । ଐତିହାସିକ ଦୃଷ୍ଟିକୋଣରୁ ପୁରୀ ରେଳଷ୍ଟସନ ଏକ ବିଶ୍ୱ ପରିଚିତ ସ୍ଥାନ ହୋଇଥିବାରୁ ଏଭଳି ବିକାଶର ପରିକଳ୍ପନା କରାଯାଇଛି । ରେଳଭୂମି ବିକାଶ ପ୍ରାଧିକରଣ ଏହି ବିକାଶ କାର୍ଯ୍ୟ ହାତକୁ ନେଇଥିବା ଜଣାପଡ଼ିଛି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଷ୍ଟେସନର ଭିତ୍ତିଭୂମି ବୁଲି ଦେଖିଥିଲେ । ପରେ ମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ ପଟିଦିଅଁଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ଆର୍ପିଏଫ୍ ଓ ଜିଆର୍ପି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।