ଭାଇଚାରାକୁ ବାନ୍ଧି ରଖିଛି କଳା, ସଂସ୍କୃତି

ଲୋକ ମେଳା ଓ କୃଷି ମେଳାର ଦ୍ୱିତୀୟ ସନ୍ଧ୍ୟା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆରମ୍ଭ ହୋଇଥିବା ୫ ଦିନିଆ ୨ଠ ତମ ଲୋକ ମେଳା ଓ ୧୩ଶ କୃଷି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ଦାସବର୍ମା କହିଥିଲେ ଯେ ସଂପ୍ରତି ସମାଜରୁ କଳା, ସଂସ୍କୃତି ହଜିବାକୁ ବସିଥିବା ବେଳେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଭଳି ଅନୁଷ୍ଠାନ ତାହାକୁ ଜୀବନ୍ତ କରିବାରେ ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାର କଳା ଓ ସଂସ୍କୃତିର ମାଟି ହେଉଛି ପୁରୀ । ଓଡ଼ିଶାର ଘରେ ଘରେ ଗୀତା, ଭାଗବତ ଏବେ ବି ବଞ୍ଚôରହିଛି । ଗୀତା, ଭାଗବତ ଏବଂ କଳା ଓ ସଂସ୍କୃତି ଲୋକମାନଙ୍କ ମଧ୍ୟରେ ଭାଇଚାରା ସମ୍ପର୍କକୁ ବାନ୍ଧି ରଖିଛି । କେବଳ ଯେ ପୁରୀ ନୁହେଁ ଓଡ଼ିଶା ସମେତ ବାହାର ରାଜ୍ୟର କଳା, ସଂସ୍କୃତିକୁ ଆଜି ନୃତ୍ୟ ସଙ୍ଗୀତ ମାଧ୍ୟମରେ ପୁରୀବାସୀ ଦେଖିବାକୁ ପାଉଛନ୍ତି । ଆଜିର ବୈଜ୍ଞାନିକ ଯୁଗରେ ଉନ୍ନତ ଜ୍ଞାନକୌଶଳରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଉଥିଲେ ସୁଦ୍ଧା ପୁରୁଣା ସଂସ୍କୃତିର ନୃତ୍ୟ ଏବେ ବି ଉଜ୍ଜୀବୀତ ହୋଇ ରହିଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି । ତେଣୁ ଐତିହ୍ୟ ସଂସ୍କୃତିକୁ ଲୋକଲୋକଚନକୁ ଆଣୁଥିବାରୁ ଅନୁଷ୍ଠାନର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ନିଶ୍ଚିତ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ ଓଡ଼ିଶା ହେଉଛି କଳା ସଂସ୍କୃତିର ରାଜ୍ୟ । ୨୨ ରାଜ୍ୟର କଳାକାରମାନେ ସେମାନଙ୍କ ନିଖୁଣ କଳା ପ୍ରଦର୍ଶନ କରିଛନ୍ତି । ସେହିପରି ଅନୁଷ୍ଠାନ ପକ୍ଷରୁ ଦୀର୍ଘବର୍ଷ ଧରି ଏହି ଲୋକ ମେଳା ଓ କୃଷି ମେଳା ଆୟୋଜନ କରାଯାଉଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଉତ୍ସବ କମିଟିର ଅଧ୍ୟକ୍ଷ ବଦ୍ରି ମିଶ୍ର, ବିଶ୍ୱନାଥ ମିଶ୍ର, ହେକ୍ଟର ମିଶ, ଷ୍ଟାଲିନ୍ ପରିଜା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପ୍ର. ହରେକୃଷ୍ଣ ଶତପଥି ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି । ଶେଷରେ ବାହାର ରାଜ୍ୟରୁ ଆସିଥିବା କଳାକାରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *