ଜୋକୋଭିଚ୍ ଟପ୍ ସିଡ୍, ସେରେନା ଅନ୍ସିଡ୍
ଲଣ୍ଡନ, ୨୧ା୬ (ଏଜେନ୍ସି): ଟେନିସ୍ର ସବୁଠାରୁ ପ୍ରତିଷ୍ଠିତ ଗ୍ରାଣ୍ଡ୍ସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ର ସିଡିଂ ମଙ୍ଗଳବାର ଜାରି କରାଯାଇଛି । ପୁରୁଷ ଏକକରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ଙ୍କୁ ଟପ୍ ସିଡ୍ ଦିଆଯାଇଥିବା ବେଳେ ସ୍ପେନ୍ର ରାଫେଲ୍ ନାଦାଲ୍ଙ୍କୁ ଦ୍ୱିତୀୟ ସିଡ୍ ମିଳିଛି । ଏହାର ଅର୍ଥ ଏହି ଦୁଇ ଖେଳାଳି ଫାଇନାଲ୍ ପୂର୍ବରୁ ମୁହାଁମୁହିଁ ହେବେ ନାହିଁ । ଜୋକୋଭିଚ୍ ଛଅ ଥର ୱିମ୍ବଲଡନ୍ ମୁକୁଟ ଜିତିଥିବା ବେଳେ ନାଦାଲ୍ ଦୁଇ ଥର ଏହି ମୁକୁଟ କରାୟତ୍ତ କରିଛନ୍ତି ।
ଅନ୍ୟପଟେ, ମହିଳା ଏକକରେ ସାତ ଥର ବିଜୟିନୀ ସେରେନା ଉଇଲିଅମ୍ସ ଅନ୍ସିଡ୍ ଖେଳାଳି ଭାବେ କୋର୍ଟକୁ ଓହ୍ଲାଇବେ । ୪୦ବର୍ଷୀୟା ସେରେନା ମୋଟ୍ ୨୩ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ଜିତିଛନ୍ତି ଏବଂ ମହିଳା ଏକକରେ ମାରଗ୍ରେଟ୍ କୋର୍ଟଙ୍କ ରେକର୍ଡ ଠାରୁ ମାତ୍ର ଗୋଟିଏ ମୁକୁଟ ପଛରେ ଅଛନ୍ତି ।
ମେଦଭେଦେଭ ଓ ଜ୍ୱେରେଭଙ୍କ ଅନୁପସ୍ଥିତିରୁ ଜୋକୋଭିଚ୍ଙ୍କ ଫାଇଦା
ଏବେ ପୁରୁଷ ଏକକରେ ରୁଷିଆର ଡାନିଲ୍ ମେଦଭେଦେଭ ବିଶ୍ୱର ଏକ ନମ୍ବର ଖେଳାଳି । ଜର୍ମାନୀର ଆଲେକ୍ଜାଣ୍ଡର ଜ୍ୱେରେଭ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ଜଣ ଏଥର ୱିମ୍ବଲଡନ୍ରେ ଭାଗ ନେଉ ନାହାନ୍ତି । ଏହି କାରଣରୁ ଜୋକୋଭିଚ୍ ଓ ନାଦାଲଙ୍କୁ ସିଡିଂରେ ଫାଇଦା ହୋଇଛି । ୱିମ୍ବଲଡନ୍ର ଆୟୋଜକ ଅଲ୍ ଇଂଲଣ୍ଡ କ୍ଲବ୍ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ରୁଷୀୟ ଖେଳାଳିଙ୍କ ଖେଳିବା ଉପରେ ଅଙ୍କୁଶ ଲଗାଇଛନ୍ତି । ଫଳରେ ମେଦଭେଦେଭ ଏଥିରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ, ଜ୍ୱେରେଭ୍ ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ରେ ନାଦାଲ୍ଙ୍କ ବିପକ୍ଷ ମ୍ୟାଚ୍ ସମୟରେ ଆହତ ହୋଇଥିଲେ । ସେ ଏ ଯାବତ୍ ସୁସ୍ଥ ହୋଇପାରି ନାହାନ୍ତି ।
ଫ୍ରେଞ୍ଚ୍ ଓପନ୍ କ୍ୱାର୍ଟରରେ ମୁହାଁମୁହିଁ ହୋଇଥିଲେ ଜୋକୋଭିଚ୍-ନାଦାଲ୍
ନାଦାଲ୍ ଓ ଜୋକୋଭିଚ୍ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ । ତେବେ ପ୍ରଶଂସକ ଫାଇନାଲ୍ରେ ସେମାନଙ୍କ ମୁକାବିଲା ଦେଖିବାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଫ୍ରେଞ୍ଚ୍ ଓପନ୍ରେ ଫେଭରେବଲ୍ ସିଡିଙ୍ଗ୍ ନ ମିଳିବା ଯୋଗୁଁ ଏହି ଦୁଇ ଭେଟେରାନ୍ କ୍ୱାର୍ଟର୍-ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍ରେ ନାଦାଲ୍ ତାଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ଜୋକୋଭିଚ୍ଙ୍କୁ ପରାଜିତ କରିଥିଲେ । ସ୍ପେନୀୟ ତାରକା ମଧ୍ୟ ଫ୍ରେଞ୍ଚ୍ ଓପନ୍ ମୁକୁଟ ଜିତିଥିଲେ ।
ସ୍ୱିଅଟେକ ଟପ୍ ସିଡ୍
ଆମେରିକୀୟ ସେରେନା ପ୍ରାୟ ବର୍ଷକ ପରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେ ଗତ ବର୍ଷ ୱିମ୍ବଲଡନ୍ର ପ୍ରଥମ ରାଉଣ୍ଡରେ ଆଘାତ ଯୋଗୁଁ ବିଦାୟ ନେଇଥିଲେ । ଏହାପରେ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳି ନ ଥିଲେ । ମହିଳା ଏକକରେ ବିଶ୍ୱର ଏକ ନମ୍ବର ଖେଳାଳି ପୋଲାଣ୍ଡର ଇଗା ସ୍ୱିଅଟେକଙ୍କୁ ଟପ୍ ସିଡ୍ ଦିଆଯାଇଥିବା ବେଳେ ଇସ୍ତୋନିଆର ଅନ୍ନେଟ୍ଟ କୋଣ୍ଟାଭିଟ ଦ୍ୱିତୀୟ ସିଡ୍ ପାଇଛନ୍ତି ।