କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ
କୋରାପୁଟ, ୨୧ା୬(ଆପ୍ର): ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ମୋହ ଛାଡ଼ି ପାରୁନାହାନ୍ତି ଆନ୍ଧ୍ର ପ୍ରଦେଶ ସରକାର । କୋଟିଆ ଲୋକଙ୍କୁ ପ୍ରଭାବିତ କରି ଏହାକୁ ନିଜ ରାଜ୍ୟରେ ମିଶିବା ପାଇଁ ଆନ୍ଧ୍ର ପ୍ରଦେଶ ଅଫିସର ଓ ମନ୍ତ୍ରୀ ଦମ୍ ଲଗାଇ ଦେଇଛନ୍ତି । ଓଡ଼ିଶାର ଦୃଢ଼ ପ୍ରତିବାଦ ସତ୍ତ୍ୱେ ସେମାନେ କୋଟିଆ ଦଖଲ ପ୍ରୟାସରୁ ବିରତ ରହୁନାହାନ୍ତିି । ପୂର୍ବରୁ ଅଫିସର, ବିଧାୟକ କୋଟିଆରେ ଅନୁପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ । ଏବେ ଉପମୁଖ୍ୟମନ୍ତ୍ରୀ ପି ରାଜନ ଦୋରା କୋଟିଆର ଦୁଇ ଗାଁରେ ନିଜ ସରକାରଙ୍କ ଜନ କଲ୍ୟାଣ ଯୋଜନାର ସୁଫଳ ନେବା ନିମିତ୍ତ ଆହ୍ୱାନ କରିଛନ୍ତି । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦୀର୍ଘ ସମୟ ଧରି କୋଟିଆରେ ରହିଥିଲେ ବି କୋରାପୁଟ ଜିଲ୍ଲାା ପ୍ରଶାସନ, ପଟାଙ୍ଗି ବ୍ଳକ ପ୍ରଶାସନ କିମ୍ବା ପୁଲିସ ଅଧିକାରୀଙ୍କ ଦେଖା ନ ଥିଲା । ଯାହାକୁ କେନ୍ଦ୍ରକରି ସାଧାରଣରରେ ଉଦ୍ବେଗ ପ୍ରକାଶ ପାଇଛି ।
ଆନ୍ଧ୍ର ସରକାରଙ୍କ ତିନି ବର୍ଷ ପୂର୍ତ୍ତି ଅବସରରେ ରବିବାର ଦିନ ଶ୍ରୀ ଦୋରା ସଦଳବଳ କୋଟିଆ ପଞ୍ଚାୟତର ନେରଡ଼ିବଲସା ଓ ତାଡିବାଲସା ଗାଁ ପରିଦର୍ଶନ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଦୋରା ଗ୍ରାମବାସୀଙ୍କୁ ଏକାଠି କରି ୱାଇଏସ୍ଆର ଓ ନବ ରତ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ । ଝିପି ଝିପି ବର୍ଷା ସତ୍ତ୍ୱେ ସେ ଘର ଘରକୁ ଘର ବୁଲି ଲୋକଙ୍କୁ ଭେଟିଥିଲେ । ନେରଡିବଲସାରେ ହାଟ ପିଣ୍ଡି ନିର୍ମାଣ କରିଥିବା ଠିକାଦାର ବିଲ ପାଇ ନ ଥିବା ଅଭିଯୋଗ କରିବାରୁ ତୁରନ୍ତ ସମାଧାନ କରାଯିବ ବୋଲି ଶ୍ରୀ ଦୋରା ପ୍ରତିଶ୍ରୁତି ଦେଇଥିଲେ । ତଳଗଞ୍ଜେଇ ପଦରରେ ଆନ୍ଧ୍ର ତରଫରୁ ୱାଇଏସ୍ଆର୍ ବୀମା ଯୋଜନାର ସୁଫଲ ସଂପର୍କରେ ଲୋକଙ୍କୁ କହିଥିଲେ ।
ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଆନ୍ଧ୍ର ଏଥର ଏକ ନୂଆ ଚାଲ୍ ଖେଳିଛି ।
କୋଟିଆ ପଞ୍ଚାୟତର ୨୧ଗାଁ ପାଇଁ ସ୍ଥାନୀୟ ଅଞ୍ଚଳର ୧୬ ଜଣ ଶିକ୍ଷିତ ପିଲାଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ଲେଖାଏ ପାରିଶ୍ରମିକ ଦେଇ ନିଜ ଏଜେଣ୍ଟ ସଜାଇ କୋଟିଆରେ ୱାଇଏସ୍ଆର୍ ବୀମା ଯୋଜନା ଓ ଅନ୍ୟାନ୍ୟ ସରକାରୀ କାମ କରୁଛି । ଅର୍ଥ ଲୋଭ ଦେଖାି ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଦଖଲ ଯୋଜନାରେ ଅଛନ୍ତି ।
ଏହା ଉପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆନ୍ଧ୍ର ପ୍ରଶାସନ ବାରମ୍ବାର ଆସିଲେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ଏହା ପଞ୍ଚାୟତ ନିର୍ବାଚନ ସମୟରେ ପ୍ରମାଣିତ ହୋଇଛି । ଆନ୍ଧ୍ର ଅଧିକାରୀଙ୍କୁ ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ କିମ୍ବା କଂଗ୍ରେସ ଦଳ କେହି ବରଦାସ୍ତ କରିବାର ପ୍ରଶ୍ନ ଉଠୁନାହିଁ ।
ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ରାଜନ ଦୋରାଙ୍କ ଅନୁପ୍ରବେଶକୁ ନିନ୍ଦା କରି କହିଛନ୍ତି ଆନ୍ଧ୍ର ସରକାର ସୁପ୍ରିମ୍ କୋର୍ଟ ନିଦେ୍ର୍ଦଶ ଅବମାନନା କରୁଛନ୍ତି । କୋଟିଆ ଓଡ଼ିଶାରେ ଅଛି ଓ ରହିବ । ସେଠାରେ ଯାହା ଉନ୍ନୟନ କାର୍ଯ୍ୟ ହୋଇଛି ତାହା ଓଡିଶା ସରକାର କରିଛନ୍ତି । ରାଜନ ଦୋରା ପ୍ରୋଟୋକଲ୍ ଉଲ୍ଲଂଘନ କରିଛନ୍ତି । ଆନ୍ଧ୍ରର କୌଣସି କାର୍ଯ୍ୟକ୍ରମ କୋଟିଆରେ କରାଇଦେବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।