ଇଂଲଣ୍ଡ ଟି-୨୦ରେ ବି ଖେଳିବ ପାଣ୍ଡ୍ୟା ଟିମ୍!
ନୂଆଦିଲ୍ଲୀ, ୨୧ା୬ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ ଯେ ଟିମ୍ ଇଣ୍ଡିଆରେ ପ୍ରୟୋଗର ପର୍ଯ୍ୟାୟ ଆୟରଲାଣ୍ଡ ଗସ୍ତ ଯାଏଁହିଁ ଚାଲିବ । ତଦନୁଯାୟୀ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତର ପ୍ରାୟତଃ ସେହି ଟିମ୍ ଖେଳିବ, ଯିଏ ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ରେ ଖେଳିବ । କିନ୍ତୁ ଏବେ ଲାଗୁଛି ଯେ ଏଭଳି ହେବ ନାହିଁ ।
ଖୁବ୍ ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଭାରତକୁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାରେ ମଧ୍ୟ ପ୍ରୟୋଗ ଜାରି ରଖିବାକୁ ପଡ଼ିପାରେ ଏବଂ ଆୟରଲାଣ୍ଡ ଭଳି ସେଠାରେ ବି ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିପାରେ ।
୫ରେ ଶେଷ ହେବ ଟେଷ୍ଟ, ୭ରେ ପ୍ରଥମ ଟି-୨୦
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଜୁନ୍ ୨୬ ଓ ୨୮ରେ ଆୟରଲାଣ୍ଡରେ ଆୟୋଜକ ଟିମ୍ ବିପକ୍ଷରେ ଦୁଇଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ର ଶୃଙ୍ଖଳା ଖେଳିବ । ଅନ୍ୟପଟେ, ଭାରତର ମୁଖ୍ୟ ଟିମ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଯଦି ଏହି ଟେଷ୍ଟ ପୂରା ପାଞ୍ଚ ଦିନ ଯାଏଁ ଚାଲେ, ତା’ହେଲେ ରୋହିତଙ୍କ ସମେତ ଟେଷ୍ଟ ଟିମ୍ରେ ସାମିଲ୍ ଖେଳାଳିଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଖେଳିବା କଷ୍ଟସାଧ୍ୟ ହେବ, କାରଣ ଏହି ସ୍ଥିତିରେ ଖେଳାଳିମାନଙ୍କ ପାଖରେ ବିଶ୍ରାମ ପାଇଁ ମାତ୍ର ଗୋଟିଏ ଦିନ ରହିବ ।
ହାର୍ଦ୍ଦିକଙ୍କ ଟିମ୍କୁ ଆୟରଲାଣ୍ଡ ପରେ ଇଂଲଣ୍ଡ ଯିବାକୁ କୁହାଯାଇଛି
ସୂତ୍ରରୁ ପ୍ରକାଶ ଯେ ବ୍ୟସ୍ତ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ବିସିସିଆଇ ହାର୍ଦ୍ଦିକଙ୍କ ଟିମ୍କୁ କହିଛି ଯେ ଟିମ୍ ଆୟରଲାଣ୍ଡ ବିପକ୍ଷ ଶୃଙ୍ଖଳା ଶେଷ କରି ଇଂଲଣ୍ଡରେ ପହଞ୍ଚୁ । ଯେଉଁ ସମୟରେ ଭାରତର ମୁଖ୍ୟ ଟିମ୍ ଇଂଲଣ୍ଡ ସହିତ ଟେଷ୍ଟ ମ୍ୟାଚ୍ ଖେଳୁଥିବ, ସେହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଟି-୨୦ ଟିମ୍ ଇଂଲଣ୍ଡର ସ୍ଥାନୀୟ ଟିମ୍ ସହିତ ଦୁଇଟି ୱାର୍ମଅପ୍ ମ୍ୟାଚ୍ ବି ଖେଳିବ ।
ଟେଷ୍ଟ ଶୀଘ୍ର ଶେଷ ହେଲେ ବଦଳି ଯାଇପାରେ ଯୋଜନା
ଯଦି ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ତିନି କିମ୍ବା ଚାରି ଦିନରେ ଶେଷ ହୋଇଯିବ, ତା’ହେଲେ ରୋହିତ, ବିରାଟ, ବୁମ୍ରା, ଶାମିଙ୍କ ଭଳି ଖେଳାଳିଙ୍କୁ ପ୍ରଥମ ଟି-୨୦ରେ ଖେଳାଇବା ନେଇ ବିଚାର କରାଯାଇପାରେ । କିନ୍ତୁ ଏହାର ଆଶା କମ୍ । ବିସିସିଆଇ ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଟିମ୍ର ଆନୁଷ୍ଠାନିକ ଘୋଷଣା କରି ନାହିଁ ।