ୟୁକ୍ରେନ୍ ପିଲାଙ୍କ ପାଇଁ ବିକିଲେ ନୋବେଲ୍
ମହାନତାର ପରିଚୟ ଦେଲେ ରୁଷ୍ ସାମ୍ବାଦିକ
ମସ୍କୋ/ କିବ୍ (ଏଜେନ୍ସି): ୩ ମାସରୁ ଅଧିକ ସମୟ ଅତିବାହିତ ହୋଇଥିଲେ ମଧ୍ୟ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆଜି ବି ଜାରି ରହିଛି । ରୁଷ୍ ସୈନ୍ୟ ଆଜି ବି ୟୁକ୍ରେନ୍ର ଅନେକ ଅଞ୍ଚଳରେ ଆକ୍ରମଣ କରୁଛନ୍ତି । ତେବେ ରୁଷ୍ର ଏପ୍ରକାର ଆକ୍ରମଣ ଯୋଗୁ ୟୁକ୍ରେନ୍ର ଅନେକ ନୀରିହ ଲୋକ ସବୁକିଛି ହରାଇ ନିଶ୍ୱ ପାଲଟିଯାଇଛନ୍ତି । ରୁଷ୍, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଯୋଗୁ ଅନେକ ୟୁକ୍ରେନ୍ ନାଗରିକ ଶରଣାର୍ଥୀ ପାଲଟିଯାଇଛନ୍ତି ଏବଂ ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏସବୁକୁ ନେଇ ବିଶ୍ୱସ୍ତରରେ ତୀବ୍ର ଆଲୋଡ଼ନ ମଧ୍ୟ ସୃଷ୍ଟି ହୋଇଛି । ତେବେ ନିଜ ମା’ ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଥିବା ୟୁକ୍ରେନ୍ର ଅନେକ ଶିଶୁଙ୍କ ଭବିଷ୍ୟତ ସମ୍ପର୍କରେ କେହି ଚିନ୍ତା ମଧ୍ୟ କରିନାହାନ୍ତି । କିନ୍ତୁ ରୁଷ୍ର ଜଣେ ସାମ୍ବାଦିକ ଏସମ୍ପର୍କରେ କେବଳ ଭାବିଛନ୍ତି ତାହା ନୁହେଁ, ବରଂ ସେ ମିଳିଥିବା ନୋବେଲ୍ ସମ୍ମାନକୁ ମଧ୍ୟ ବିକ୍ରି କରିଦେଇଛନ୍ତି ।
ରୁଷ୍ର ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ଦିମିତ୍ରି ମୁୂରାତୋଭ୍ ଏହି ୟୁକ୍ରେନୀ ପିଲାମାନଙ୍କ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଅନେକ ଦିନରୁ ଚିନ୍ତିତ ଥିଲେ । ଏସମ୍ପର୍କରେ ସେ ଅନେକ ଚିନ୍ତା କରିବା ପରେ ଶେଷରେ ସେ ନିଜ ନୋବେଲ ସମ୍ମାନକୁ ସୋମବାର ରାତିରେ ନିଲାମ କରିଛନ୍ତି । ନିଲାମ ପ୍ରକ୍ରିୟାରୁ ମିଳିଥିବା ୧ଠ.୩୫ କୋଟି ଡ଼ଲାର ଅର୍ଥରାଶିକୁ ସେ ୟୁକ୍ରେନ୍ରୁ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିବା ପିଲାଙ୍କ ଉଦେ୍ଦଶ୍ୟରେ ୟୁନିସେଫ୍କୁ’ ଦାନ କରିଦେଇଛନ୍ତି । ୨ଠ୨୧ରେ ଫିଲିପାଇନ୍ସର ଅନ୍ୟଜଣେ ସାମ୍ବାଦିକ ମାରିଆ ରସା ଏବଂ ଦିମିତ୍ରୀଙ୍କୁ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ର ରକ୍ଷା ପାଇଁ ମିଳିତ ଭାବେ ନୋବେଲ ଶାନ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ରୁଷ୍ରେ ପ୍ରକାଶିତ ଏକ ସ୍ୱତନ୍ତ୍ର ସମ୍ବାଦପତ୍ର ନୋବାୟା ଗଜେଟା’ର ସମ୍ପାଦକ ଥିବା ଦିମିତ୍ରି ମୁରାତୋଭ୍ଙ୍କ ଏପ୍ରକାର କାର୍ଯ୍ୟକୁ ଏବେ ଚାରିଆଡୁ ପ୍ରଶଂସା କରାଯାଉଛି ।