ଆମ୍ବଗାଁରେ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୨ ବାଇକ୍
ହିଞ୍ଜିଳିକାଟୁ (ଆପ୍ର): ପଞ୍ଚାୟତ ନିର୍ବାଚନ ପରେ ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ଆମ୍ବଗାଁ ପଞ୍ଚାୟତ ବାଦିଆମ୍ବ ଗ୍ରାମରେ ରାଜନୈତିକ ଆକ୍ରୋଶରୁ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଦୁଇଟି ବାଇକ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସଂଘର୍ଷରେ ଆହତମାନେ ପୁଲିସ ଭୟରେ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି ।
ପଞ୍ଚାୟତ ନିର୍ବାଚନ ପରେ ଆମ୍ବଗାଁରେ ରାଜନୈତିକ ହିଂସା ଲାଗି ରହିଛି । ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାରେ ମାମଲା ରୁଜୁ ହୋଇଛି । ସୋମବାର ରାତି ଗ୍ରାୟ ୧୦ଟାରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ଝଗଡ଼ା ହୋଇ ଗଣ୍ଡଗୋଳ ହୋଇଥିଲା । ଶାସନ ଆମ୍ବାଗାଁରୁ ଗୋଟିଏ ଗୋଷ୍ଠୀ ବାଦିଆମ୍ବଗାଁ ରେ ଗଣ୍ଡଗୋଳ କରିଥିଲେ । ବାଦିଆମ୍ବଗାଁର ଗୋଷ୍ଠୀ ଅନ୍ୟ ଭୋଷ୍ଠୀର ଏକ ବାଇକ୍କୁ କିରୋସିନି ଢାଳି ପୋଡ଼ି ଦେଇଥିଲେ । ଉତ୍ୟକ୍ତ ହୋଇ ଅନ୍ୟ ଗୋଷ୍ଠୀ ବାଦିଆମ୍ବଗାଁର ଦାଣ୍ଡରେ ଥିବା ଏକ ବାଇକ୍ ପୋଡ଼ି ଦେଇଥିଲେ । ବାଇକ୍ ପୋଡ଼ିବା ନେଇ ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଜଣେ ଯୁବକଙ୍କୁ ଅପରପକ୍ଷ ଗୋଷ୍ଠୀର ଯୁବକମାନେ ଘରକୁ ନେଇ ବାନ୍ଧି ପକାଇଥିଲେ । ଏହାକୁ କେନ୍ଦ୍ର କରି ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ କେହି ଗୁରୁତର ହୋଇ ନ ଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ହିଞ୍ଜିଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଚଳାଇଛି । କିଛି ଦିନର ନିରବତା ପରେ ପୁଣି ଥରେ ରାଜନୈତିକ ଶତ୍ରୁତାକୁ ନେଇ ଅଶାନ୍ତ ହୋଇଛି ହିଞ୍ଜିଳି ଥାନା ଆମ୍ବଗାଁ ପଞ୍ଚାୟତ । ପୁଲିସ ଗ୍ରାମରୁ କିଛି ଲୋକଙ୍କୁ ପଚରା ଉଚରା କରୁଥିବା ବେଳେ କେହି ଲିଖିତ ଅଭିଯୋଗ ପ୍ରଦାନ କରି ନ ଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନୁ୍ୟ ଦାସ କହିଛନ୍ତି ।