ରୋମରେ ମୁଖ୍ୟମନ୍ତ୍ରୀ
ସ୍ୱାଗତ କଲେ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ
ଭୁବନେଶ୍ୱର,୨ଠା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ସୋମବାର ଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସୋମବାର ରୋମ୍ରେ ପହଞ୍ଚିବା ପରେ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ନୀନା ମଲ୍ହୋତ୍ରା ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
୧୦ ଦିନିଆ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅନେକ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ମୁଖ୍ୟାଳୟ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ସେଠାରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଉଦ୍ବୋଧନ ଦେବେ । ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତା ନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ର ଦେବେ । ଏଥିସହ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଫ୍ରାନ୍ସିସ୍ଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ତାରିଖ ଅପରାହ୍ନ ୩ଟା ୨୫ରେ ରୋମ୍ରୁ ଦୁବାଇ ଅଭିମୁଖେ ଗସ୍ତ କରିବେ ।
ଦୁବାଇରେ ୨୯ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବେ । ୩୦ତାରିଖ ଅପରାହ୍ନରେ ୩ଟା ୨୫ମିନିଟରେ ଦୁବାଇରୁ ନୂଆଦିଲ୍ଲୀ ଆସିବେ । ସେଠାରୁ ରାତି ୯ଟା ୩୦ମିନିଟରେ ନୂଆଦିଲ୍ଲୀରୁ ଆସି ରାତି ସାଢ଼େ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡ଼ିଛି ।