‘ମୋ ଝିଅକୁ ସନ୍ତୋଷ ମାରିଛି’
ଜଗତସିଂହପୁର (ଆପ୍ର): ମୋର ଏକ ମାତ୍ର ଝିଅ ରଶ୍ମୀରେଖା । ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲା । ଇତି ମଧ୍ୟରେ ଅନେକ ଟେଲି ଧାରାବାହିକ କରିବା ସହିତ ୨୦ରୁ ଊଦ୍ଧ୍ୱର୍ ଓଡ଼ିଆ ଆଲ୍ବମ କରି ନିଜର ପରିଚୟ ସୃଷ୍ଟି କରିଥିଲା । ନିକଟରେ ଜୀ-ସାର୍ଥକର ଏକ ଧାରାବାହିକ ‘କେମିତି କହିବି କହ’ ସଫଳତାର ଶେଷ କରିଛି । ହେଲେ, ତାକୁ ବଦନାମ କରି ବଳପୂର୍ବକ ଶଙ୍ଖା ସିନ୍ଦୁର ପିନ୍ଧାଇ ଶେଷରେ ବାଡ଼େଇ ବାଡ଼େଇ ମାରିଦେବା ସହ ଘର ଭିତରେ ଟାଙ୍ଗି ଦେଲା ସନ୍ତୋଷ । ଏଭଳି ଭୋ ଭୋ ହୋଇ କାନ୍ଦି କାନ୍ଦି ରଶ୍ମୀରେଖାଙ୍କ ମା’ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଅଁରା ପଞ୍ଚାୟତ ସଂଙ୍କେତପାଟଣାର ରଞ୍ଜନ କୁମାର ଓଝାଙ୍କ ଝିଅ ରଶ୍ମୀରେଖା ଓଝା(୨୨) +୨ ପାସ୍ କରି ଖୋର୍ଦ୍ଧା ଅଞ୍ଚଳର ରାଜା ନାମକ ଏକ ଯୁବକ ସହିତ ପରିଚିତ ହୋଇଥିଲେ ଏବଂ ଅଭିନୟ ପାଇଁ ଭୁବନେଶ୍ୱର ଆସିଥିଲେ । ତେବେ ଅଭିନେତ୍ରୀଙ୍କ ପରିବାର ଲୋକେ ରାଜା-ରଶ୍ମୀରେଖା ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ରହିଥିବା ଜାଣିଥିଲେ । ଏହାର କିଛିଦିନ ପରେ ସେ ଏକ ଫାଇନାନ୍ସ କମ୍ପାନୀରେ ଯୋଗ ଦେଇଥିବା ବେଳେ ସେଠାରେ ରାଉରକେଲାର ସନ୍ତୋଷ କୁମାର ପାତ୍ର ନାମକ ଜଣେ କର୍ମଚାରୀଙ୍କ ସହ ଭେଟ ହୋଇଥିଲା । କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିବାବେଳେ ସେମାନେ ଭୁବନେଶ୍ୱର ନୟାପଲ୍ଲୀରେ ଘରର ତଳ ମହଲ୍ଲାରେ ଏକା ରଶ୍ମୀରେଖା ରହୁଥିବା ବେଳେ ଉପର ମହଲ୍ଲାରେ ସନ୍ତୋଷ ରହୁଥିଲା । ତେବେ ରାଜା ଓ ରଶ୍ମୀରରେଖାର ସମ୍ପର୍କକୁ ନେଇ ସନ୍ତୋଷ ବିରୋଧ କରୁଥିବା ବେଳେ ଉଭୟ ସନ୍ତୋଷ ଓ ରଶ୍ମୀରେଖାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ସନ୍ତୋଷ ରଶ୍ମୀରେଖାର ପରିବାଙ୍କୁ ହଠାତ୍ ଫୋନ ମାଧ୍ୟମରେ ତୁମର ଝିଅ ଆଉ ନାହିଁ, ଦଉଡି ଦେଇ ଦେଇଛି ବୋଲି ଜଣାଇଥିଲା । ତେବେ ପୁଲିସ୍ ଏବଂ ପରିବାର ଲୋକେ ପହଞ୍ଚô ଟେବୁଲ ଉପରେ ଏକ ସୁଇସାଇଡ୍ ନୋଟ୍ ପାଇଥିଲେ । ଏ ସମ୍ପର୍କରେ ସନ୍ତୋଷକୁ ପଚାରା ଯାଇଥିବା ବେଳେ ଆମ ଦୁଇ ଜଣଙ୍କ ବିବାହ କରିଥିବା ସନ୍ତୋଷ ପରିବାର ଲୋକଙ୍କୁ କହିଥିଲେ । ତେବେ ରଶ୍ମୀରେଖାର ଏ ସମସ୍ତ ରହସ୍ୟକୁ ସହଜରେ ହଜମ ନକରି, ପରିବାର ଲୋକେ ତାଙ୍କ ଝିଅକୁ ସନ୍ତୋଷ ମାରି ଦେଇଥିବା ଦାବି କରୁଛନ୍ତି । ଅପର ପକ୍ଷରେ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ତଦନ୍ତ ଜାରି ରଖିଛି ।