ବିରୋଧୀଙ୍କୁ ମିଳୁନାହାନ୍ତି ଦମ୍ଦାର ପ୍ରାର୍ଥୀ
ନୂଆଦିଲ୍ଲୀ, ୨ଠା୬: ଦେଶର ସର୍ବୋଚ୍ଚ ପଦ (ରାଷ୍ଟ୍ରପତି) ପାଇଁ ନିର୍ବାଚନକୁ ରହିଲା ମାତ୍ର ୨୮ଦିନ । ଜୁଲାଇ ୧୮ରେ ହେବ ମତଦାନ । ଭୋଟ୍ ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ମହଲରେ ତତ୍ପରତା ସେତିକି ବଢୁଛି । କ୍ଷମତାସୀନ ଏନ୍ଡିଏକୁ ଟକ୍କର ଦେବା ଲାଗି ବିରୋଧୀ ପକ୍ଷ ସହମତ ହୋଇଛନ୍ତି, କିନ୍ତୁ ସେମାନଙ୍କୁ ଦମ୍ଦାର ପ୍ରାର୍ଥୀ ମିଳୁନାହାନ୍ତି । ମଙ୍ଗଳବାର ବିରୋଧୀଙ୍କ ମିଳିତ ବୈଠକ ପୂର୍ବରୁ ସୋମବାର ମହାତ୍ମାଗାନ୍ଧୀଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧୀ ପ୍ରାର୍ଥୀ ହେବା ଲାଗି ମନା କରିଦେଇଛନ୍ତି । ଏପର୍ଯ୍ୟନ୍ତ ୪ଜଣ ବରିଷ୍ଠ ରାଜନେତା ଯଥା ଶରଦ ପାୱାର, ଫାରୁକ୍ ଅବଦୁଲ୍ଲା, ଗୋପାଳକୃଷ୍ଣ ଗାନ୍ଧୀ ଓ ଏଚ୍ଡି ଦେବେଗୌଡା ରେସ୍ରୁ ଓହରିଲେଣି । ଏବେ ବିରୋଧୀ ଗୋଷ୍ଠୀ ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବ, ଆର୍ଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ, କେରଳର ସାଂସଦ ଏନ୍କେ ପ୍ରେମଚନ୍ଦ୍ରମ୍ ଓ ଯଶବନ୍ତ ସିହ୍ନାଙ୍କ ନାମ ଉପରେ ମଙ୍ଗଳବାର ବୈଠକରେ ମନ୍ଥନ କରିବେ । ମଙ୍ଗଳବାର ବୈଠକ ଡାକିଛନ୍ତି ଶରଦ୍ ପାୱାର । ସେଥିରେ କିନ୍ତୁ ମମତା ବାନାର୍ଜୀ ଉପସ୍ଥିତ ରହିବେ ନାହିଁ; ଟିଏମ୍ସି ତରଫରୁ ଅଭିଷେକ ବାନାର୍ଜୀ ଯୋଗଦେବେ । କୁହାଯାଉଛି, ମମତା ଏଇ ଭିତରେ ମାନି ସାରିଲେଣି ଯେ ବିରୋଧୀ ଦଳମାନଙ୍କୁ ସେ ଏକଜୁଟ୍ କରିପାରିବେ ନାହଁିଁ । ଅନେକ ବିରୋଧୀ ଦଳ ମମତାଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ । ଏହି କାରଣରୁ ସେ ପାୱାରଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେବେ ନାହିଁ ।
ଏହି ପରିପ୍ରେକ୍ଷୀରେ ଶିବସେନା ଏକ ଯକ୍ଷପ୍ରଶ୍ନ ଉତ୍ଥାପନ କରିଛି: ଯଦି ବିରୋଧୀମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଦେଇନପାରିବେ, ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେବାରେ ସକ୍ଷମ ହେବେ ତ? ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିବ । ଦଳର ମୁଖପତ୍ର ‘ସାମ୍ନା’ରେ ଶିବସେନା ପକ୍ଷରୁ କୁହାଯାଇଛି ଯେ, ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କାର୍ଯ୍ୟ ଯଦି ୬ମାସ ପୂର୍ବରୁ ସମ୍ପନ୍ନ ହୋଇଥାନ୍ତା, ଏହି ନିର୍ବାଚନକୁ ବିରୋଧୀ ଦଳମାନେ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ବୋଲି ଦେଶବାସୀଙ୍କ ନିକଟକୁ ବାର୍ତ୍ତା ଯାଇଥାନ୍ତା । ଲୋକେ ହୁଏତ ପଚାରିବେ ଯଦି ବିରୋଦୀ ମେଣ୍ଟ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦମ୍ଦାର ପ୍ରାର୍ଥୀ ଦେଇପାରୁ ନାହିଁ, ୨୦୨୪ରେ ସମର୍ଥ ପ୍ରଧାନମନ୍ତ୍ରୀ ଦେବ କେମିତି?
ଏନ୍ଡିଏ ଏପର୍ଯ୍ୟନ୍ତ କାହାରି ନାମ ପ୍ରସ୍ତାବ କରିନାହିଁ । ତେବେ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ଲାଗି ଏନ୍ଡିଏ ଉଦ୍ୟମ ଜାରି ରଖିଛି । ବିଜେପି ରାଷ୍ଟ୍ରପତି ପଦ ପାଇଁ ୧୦ରୁ ଅଧିକ ବିଶିଷ୍ଟ ନେତାଙ୍କ ନାମ ଉପରେ ଆଲୋଚନା ଜାରି ରଖିଛି । ବିରୋଧୀ ଓ ଏନ୍ଡିଏର ସହଯୋଗୀ ଦଳମାନଙ୍କ ସମର୍ଥନ ହାସଲ ଦାୟିତ୍ୱ ଦିଆଯାଇଛି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜନାଥ ଇତି ମଧ୍ୟରେ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, ଶରଦ ପାୱାର, ମଲ୍ଲିକାର୍ଜ୍ଜୁନ ଖଡଗେ, ଅଖିଳେଶ ଯାଦବ, ଉଦ୍ଧବ ଠାକ୍ରେ ଓ ନୀତୀଶ କୁମାରଙ୍କ ସହ ଯୋଗାଯୋଗ କରିଛନ୍ତି । ଏହାଛଡା ବିଜେପି ଏକ ମ୍ୟାନେଜ୍ମେଣ୍ଟ ଟିମ୍ ଗଢିଛି ଯାହାର ସମନ୍ୱୟକ ଅଛନ୍ତି ଗଜେନ୍ଦ୍ର ସିଂହ ଶେଖାୱତ୍ । ଏଥିରେ ୧୧ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି ।