ଏ ବର୍ଷ ୧୭ ଫସଲ ବୀମାଭୁକ୍ତ

ଭୁବନେଶ୍ୱର (ବୁ୍ୟରୋ): ଚଳିତବର୍ଷ ଖରିଫ୍ ଋତୁରେ ୮ଟି ଫସଲ ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି ।
ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ଚଢ଼ା ଚଳିତବର୍ଷ ପାଇଁ ଫସଲ ବୀମା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବୀମା ସର୍ତ୍ତ ଅନୁସାରେ କ୍ଷତି ପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମା ରାଶି ଯୋଗାଇ ଦେବା ପାଇଁ ମୁଖ୍ୟ ସଚିବ ବୀମା କମ୍ପାନୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେ କହିଥିଲେ ଯେ କୃଷକଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଗ୍ରହଣୀୟ ନୁହେଁ । କୃଷକଙ୍କ ବ୍ୟାଙ୍କ୍ ଖାତାକୁ ବୀମାରାଶି ପଠାଇବାରେ କୌଣସି ପ୍ରକାର ଅବହେଳାକୁ ସରକାର ଗୁରୁତ୍ୱର ସହ ବିଚାର କରିବେ । ଶସ୍ୟ-ୱାରୀ ଚାଷ ହୋଇଥିବା କ୍ଷେତର ପରିମାଣ ଏବଂ ଅମଳ ହାର ନିର୍ଦ୍ଧାରଣ ନିମନ୍ତେ ଆଧୁନିକ ସାଟେଲାଇଟ୍ ଗବେଷଣା କୌଶଳ ଗୁଡିକ ପ୍ରୟୋଗ କରିବାକୁ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ଏଥିପାଇଁ ଏକ ସମନ୍ୱିତ ବୈଷୟିକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାମାଣିତ ହୋଇଥିବା ସାଟେଲାଇଟ୍ କୌଶଳ ଗୁଡିକୁ ଓଡ଼ିଶା କୃଷି ଜଳବାୟୁ ଅନୁସାରେ ନବୀକୃତ କରିବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିଦେ୍ର୍ଦଶ ଦେଇଥିଲେ । ଅଗାମୀ ବର୍ଷଠାରୁ ସାଟେଲାଇଟ୍ କୌଶଳ ଭିତ୍ତିରେ ରାଜ୍ୟର ସବୁ ଅଞ୍ଚଳରେ ଶସ୍ୟ-ୱାରୀ ଚାଷ ଜମିର ପରିମାଣ ଏବଂ ଅମଳ ହାର ଆକଳନ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା ।
ଚଳିତବର୍ଷ ଖରିଫ୍ ଋତୁରେ ଧାନ, ଚିନା ବାଦାମ, ମକା, ହରଡ, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ ଟି ଫସଲକୁ ବୀମାଭୁକ୍ତ କରାଯିବ । ସେହିପରି ରବି ଋତୁରେ ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ । ସାଧାରଣତଃ ଧାନ ଫସଲ ପାଇଁ ଏକ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ-ଧାନ ଫସଲ ପାଇଁ ଏକ ବ୍ଳକ୍କୁ ବୀମା-ୟୁନିଟ୍ ଭାବେ ବିଚାର କରାଯିବ । ଚଳିତବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ପସଲ ବୀମା ପଞ୍ଜୀକରଣର ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା । ଚାଷ ପାଇଁ ଋଣ ନେଉଥିବା ଚାଷୀଙ୍କର ବୀମା ସଂପୃକ୍ତ ବ୍ୟାଙ୍କ୍ ମାଧ୍ୟମରେ ହେବ । ଯେଉଁମାନେ ଚାଷ-ଋଣ ନେଉନାହାନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର, ନିଜର ସେଭିଙ୍ଗ୍ସ୍ ଆକାଉଣ୍ଟ୍ ଥିବା ବ୍ୟାଙ୍କ୍ ବା ସଂପୃକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫସଲବୀମା ଇନ୍ସୁ୍ୟରାନ୍ସ କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ନିଜ ନିଜ କ୍ଷେତରେ କରୁଥିବା ଉପଯୁକ୍ତ ଫସଲର ବୀମା କରାଇପାରିବେ ।
ଡେପୁଟେସନ୍ରେ ଯାଉଥିବା କୃଷି ନିଦେ୍ର୍ଦଶକ ମୁଥୁ କୁମାର ଜଣାଇଥିଲେ ଯେ ରାଜ୍ୟରେ ଶସ୍ୟ ବୀମା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁସାରେ କରାଯାଉଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି । ସାଧାରଣତଃ ବୀମା ପ୍ରିମିୟମ୍ ଶତକଡ଼ା ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି ଏବଂ ସଂପୃକ୍ତ କୃଷକ ଶତକଡ଼ା ୨ ଭାଗ ଦିଅନ୍ତି । ୨୦୨୧ ମସିହା ଖରିଫ୍ ଋତୁରେ ପ୍ରାୟ ୧୨. ୩୦ ଲକ୍ଷ ଚାଷୀଙ୍କର ୧୦.୫୦ ଲକ୍ଷ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *