ଟିମ୍ ଇଣ୍ଡିଆର ବିଦେଶ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୦ା୬ (ଏଜେନ୍ସି): ଦକ୍ଷିଣ ଆଫି୍ରକା ବିପକ୍ଷ ୫ ଟି-୨୦ ମ୍ୟାଚ୍ ସିରିଜ୍ ୨-୨ରେ ଶେଷ ହେବା ପରେ ଟିମ୍ ଇଣ୍ଡିଆର ଘରୋଇ ଅଭିଯାନ ଶେଷ ହୋଇଯାଇଛି । ଏହାପରେ ଭାରତୀୟ ଦଳ ଆସନ୍ତା ୪ରୁ ୫ ମାସ ଯାଏଁ ସମୁଦାୟ ୬ଟି ଦେଶ ଗସ୍ତ କରିବେ, ଯାହାର ଆରମ୍ଭ ଆର୍ୟରଲାଣ୍ଡରୁ ହେବାକୁ ଯାଉଛି । ଏହି ଅବସରରେ ଦଳ ଦୁଇଟି ଘରୋଇ ସିରିଜ୍ ମଧ୍ୟ ଖେଳିବ । ଭାରତର ଏହି ବିଦେଶ ଗସ୍ତ ଚଳିତ ମାସ ୨୬ ଜୁନ୍ରୁ ଆରମ୍ଭ ହେବାକୁ ଥିବାବେଳେ ଆର୍ୟରଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚ୍ ସିରିଜ୍ ଖେଳିବ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ୨୮ ଜୁନ୍ରେ ଖେଳାଯିବ ।
ଆର୍ୟରଲାଣ୍ଡ ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡରେ ଭାରତ ଏକ ଟେଷ୍ଟ ମ୍ୟାଚ୍ ବ୍ୟତୀତ ୩ଟି ଲେଖାଏଁ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ଉଭୟ ଦଳ ମଧ୍ୟରେ ଏହି ଗସ୍ତ ୧ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଚାଲୁ ରହିବ । ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ କି୍ରକେଟ୍ ଟିମ୍ ଇଂଲଣ୍ଡ ପହଞ୍ଚିସାରିଛି । ଇଂଲଣ୍ଡ ପହଞ୍ଚିଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା, ଚେତେଶ୍ୱର ପୂଜାରା ସାମିଲ୍ ଅଛନ୍ତି ।
ଇଂଲଣ୍ଡ ପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଗସ୍ତ କରିବ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ଗସ୍ତରେ ଟିମ୍ ପ୍ରଥମେ ଦିନିକିଆ ମ୍ୟାଚ୍ ୨୨ ଜୁଲାଇରେ ଖେଳିବ । ସେହିଭଳି ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ସିରିଜ୍ ବ୍ୟତୀତ ୫ ଟି-୨୦ ମ୍ୟାଚ୍ ଖେଳାଯିବ । ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହେବା ପରେ ଭାରତ ଶ୍ରୀଲଙ୍କା ଗସ୍ତ କରିବ, ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଟି-୨୦ ଏସିଆ କପ୍ ଖେଳିବ । ଆସନ୍ତା ସେପ୍ଟେମ୍ବରରେ ଏସିଆ କପ୍ର ଆୟୋଜନ କରାଯିବ । ଏସିଆ କପ୍ ପରେ ଭାରତ ଅଷ୍ଟ୍ରେଲିଆ ସହ ଏକ ଘରୋଇ ସିରିଜ୍ ଖେଳିବ । ଘରୋଇ ସିରିଜ୍ରେ ଭାରତ ୪ଟି ଟେଷ୍ଟ ଏବଂ ୩ ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଥିବାବେଳେ ସେପ୍ଟେମ୍ବର-ଅକ୍ଟୋବରରେ ଏହାର ଆୟୋଜନ କରାଯିବ । ପରେ ପରେ ଭାରତୀୟ କି୍ରକେଟର୍ମାନେ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ଉଲ୍ଲେଖଯୋଗ୍ୟ, ଟି-୨୦ ବିଶ୍ୱକପ୍ ଅକ୍ଟୋବର-ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ ।
ପରେ ପରେ ଟିମ୍ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବ । ବାଂଲାଦେଶରେ ଟିମ୍ ଇଣ୍ଡିଆ ଦୁଇଟି ଟେଷ୍ଟ ଏବଂ ୩ଟି ଏକଦିବସୀୟ ମ୍ୟାଚ୍ ସିରିଜ୍ ଖେଳିବ । ଏହାପରେ ବର୍ଷର ଶେଷ ଆଡ଼କୁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ୫ଟି ଏକଦିବସୀୟ ମ୍ୟାଚ୍ ବିଶିଷ୍ଟ ଏକ ଘରୋଇ ସିରିଜ୍ ଖେଳିବ । ଉଭୟ ଦଳ ଏହି ସିରିଜ୍ ପାଇଁ ଡିସେମ୍ବରରେ ସାମ୍ନାସାମ୍ନି ହେବାର ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *