ଶିକ୍ଷକ ଅଭାବରୁ ସଂସ୍କୃତ ବିଦ୍ୟାପୀଠ ବନ୍ଦ
ଧାମନଗର (ଆପ୍ର): ସରକାର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କରୁଛନ୍ତି । ଶ୍ରେଣୀଗୃହ ସାଙ୍ଗକୁ ଛତା, ଜୋତା, ସାଇକେଲ ଓ ରନ୍ଧାଖାଦ୍ୟ ଦେଇ ସ୍କୁଲ୍ ଆସିବାକୁ ଛତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ାଉଛନ୍ତି । ହେଲେ ଧାମନଗର ବ୍ଲକ୍ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଖଡ଼ିପଦା ପଞ୍ଚାୟତର ମହାପୁରୁଷ ଆଶ୍ରମ ସଂସ୍କୃତ ବିଦ୍ୟାପୀଠ ୧୯୭୬ ମସିହାରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସ୍ଥାପିତ କରିଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ବିଧାୟକ ହୃଦାନନ୍ଦ ମଲ୍ଲିକ ମଧ୍ୟ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ପଢ଼ାଇବାରେ ଏହି ସ୍କୁଲ ସୁଯୋଗ ଦେଉଥିଲା । ଏପରିକି ଅନେକ ଛାତ୍ରଛତ୍ରୀ ସଂସ୍କୃତ ପଢ଼ି କୃତିତ୍ୱ ହାସଲ କରିଛନ୍ତି ।
ବିଦ୍ୟାଳୟରେ ପ୍ରଥମରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାଯାଇଥିଲା । ନିକଟରେ ଥିବା ମହାପୁରୁଷ ଆଶ୍ରମର ଅନାଥ ବାଳାଶ୍ରମର ପିଲାଙ୍କ ସହିତ ଆଖପାଖର ଖଡ଼ିପଦା, କାଳିଆପାଳ, ଆନନ୍ଦପୁର, ପାହଡ଼ପୁର, କୋରକଦା ଆଦି ଅଞ୍ଚଳରେ ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଉଥିଲେ । ସେଠାରେ ୨ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଜଣେ ଶିକ୍ଷକ ଅବସର ନେଲା ପରେ ଆଉଜଣେ ହେଡ୍ ପଣ୍ଡିତ ବିଦ୍ୟାଳୟ ଚଳାଉଥିଲେ । ହେଲେ ସେ ଅବସର ନେଲାପରେ ବିଦ୍ୟାଳୟରେ ତାଲା ପଡ଼ିଥିଲା । ଆଉ ନୂତନ ଶିକ୍ଷକ ନିଯୁକ୍ତି ହେଲେ ନାହିଁ । ବାଧ୍ୟ ହୋଇ ଉକ୍ତ ବିଦ୍ୟାଳୟରେ ପାଠ ପଢୁଥିବା ବିଦ୍ୟାର୍ଥୀ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇଲେ । ଉକ୍ରଳ ସଂସ୍କୃତି ଶିକ୍ଷା ଅଧୀକ୍ଷକ ପୁରୀ ଦ୍ୱାରା ଚାଲିଥିବା ବେଳେ ଏହାର ଦାୟିତ୍ୱ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିଲା । ତେବେ ଏଠାରେ ଶିକ୍ଷକ ଅବସର ନେବାପରେ ସମସ୍ତ ସାମଗ୍ରୀ ନିକଟସ୍ଥ ଧୂଷୁରୀ ସଂସ୍କୃତ ବିଦ୍ୟାଳୟକୁ ହସ୍ତାନ୍ତର କରି ଦିଆଯାଇଥିଲା । ଏହି ବିଦ୍ୟାଳୟ ଏବେ ତାଲା ପଡ଼ିବା ସହ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।