ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବାୟତଙ୍କ ସହ ଆଲୋଚନା

ପାଖେଇ ଆସୁଛି ଘୋଷଯାତ୍ରା
ପୁରୀ (ବୁ୍ୟରୋ): ଆସନ୍ତା ୧ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା । ଗତ ଦୁଇବର୍ଷ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ । ଠାକୁରଙ୍କ ଯାତ୍ରା ଓ ନୀତିକାନ୍ତି ମୁଖ୍ୟ । ମାତ୍ର ମହାପ୍ରଭୁଙ୍କ ଯାତ୍ରା ସହ ନୀତିକାନ୍ତି କିଭଳି ସଠିକ୍ ସମୟରେ ସମାପନ ହେବ ଏବଂ ଲକ୍ଷାଧିକ ଭକ୍ତ ସୁବିଧାରେ ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିବେ ତାହା ପ୍ରଶାସନ ଲାଗି ବଡ଼ ଚାଲେଞ୍ଜ । ହେଲେ ଏହାକୁ ଶୃଙ୍ଖଳିତ କରିବା ଲାଗି ଜିଲ୍ଲାପାଳ ସମର୍ଥ ବର୍ମା ଉଦ୍ୟମ ଜାରି ରଖିଛନ୍ତି । ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ ଭାବେ ରଥ ଯାତ୍ରା ସମୟରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ଭକ୍ତନିବାସରେ ଶ୍ରଦ୍ଧାଳୁମାନେ ଯେଭଳି ସୁବିଧାରେ ରହିପାରିବେ, ତତ୍ସହିତ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ କୋଭିଡ୍ର ବୁଷ୍ଟର ଡୋଜ୍ ପ୍ରଦାନ ପ୍ରକ୍ରିୟା ଶେଷ ହେବ ଏବଂ ସେବାୟତମାନଙ୍କୁ ପାସ୍ ବ୍ୟବସ୍ଥା, ସୁବିଧାରେ ଯେଭଳି ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ମିଳିବ ସେ ନେଇ ଆଲୋଚନା କରିଛନ୍ତି । ଯେଉଁଥିରେ କିଛି ସମସ୍ୟା ନ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ପ୍ରଶାସନର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ସେହିପରି ପରିଚାଳନା କମିଟି ସଦସ୍ୟ ଯାତ୍ରା ଓ ଠାକୁରଙ୍କ ନୀତିକାନ୍ତି କିଭଳି ସଠିକ୍ ସମୟରେ ସମାପନ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଘୋଷ ଯାତ୍ରାକୁ ୧୦ଦିନ ବାକି ରହିଥିବା ବେଳେ ଟ୍ରାଫିକ୍ କଟକଣା ପୁଲିସ ଲାଗି ବଡ଼ ଚାଲେଞ୍ଜ । ଏନେଇ ଏକ ବୈଠକ ଏସ୍ପି କନୱାର ବିଶାଲ ସିଂହ ତାଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ବୈଠକରେ ଛତିଶା ନିଯୋଗର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଯାତ୍ରା ସମୟରେ ମୁତୟନ ହୋଇଥିବା ପୁଲିସ ଅଧିକାରୀମାନେ କିଭଳି ସେବାୟତମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଯାତ୍ରା ସମୟରେ ଯେପରି ଟ୍ରାଫିକ୍ ପରିଚାଳନାରେ ସେବାୟତମାନେ ଅସୁବିଧାରେ ନ ପଡ଼ିବେ ସେ ନେଇ ଏସ୍ପି ଶ୍ରୀ ସିଂହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ରଥଯାତ୍ରା ଦିନ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା ସେବାୟତ ସାହି ଗୁଡ଼ିକରେ ବାରିକେଡ୍ କିଭଳି କରାଯିବ, ଏହି ସମୟରେ ସେବାୟତଙ୍କ ସହ ତାଙ୍କ ପରିବାର ସଦସ୍ୟମାନେ ଯିବାଆସିବାରେ ଅସୁବିଧା ନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ନିଯୋଗର ସମସ୍ତ ସଦସ୍ୟମାନେ ଆଲୋଚନାରେ ସହମତି ପ୍ରକାଶ କରିଥିଲେ । ଯାତ୍ରାକୁ ଶୃଙ୍ଖଳିତ ସମାପନ କରିବାକୁ ସମସ୍ତେ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଦେବସ୍ନାନ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୃଙ୍ଖଳିତ ସମାପନ କରିଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଇଥିଲେ ଏସ୍ପି । ବୈଠକରେ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *