ମନପ୍ରୀତ ଭାରତୀୟ ହକି ଦଳର କ୍ୟାପ୍ଟେନ

କମନ୍ୱେଲ୍ଥ ଗେମ୍ସ
ନୂଆଦିଲ୍ଲୀ,୨୦ା୬ (ଏଜେନ୍ସି): ହକି ଇଣ୍ଡିଆ ସୋମବାର ଦିନ କମନ୍ୱେଲ୍ଥ ଗେମ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ଘୋଷଣା କରିଛି । ଟୋକିଓ ଅଲିମ୍ପିକ୍ସରେ ଦଳର ଅଧିନାୟକ ଦାୟିତ୍ୱ ତୁଲେଇଥିବା ମନପ୍ରୀତ୍ ସିଂହଙ୍କୁ ପୁଣି ଥରେ ଅଧିନାୟକ ଭାବେ ଦେଖିବାକୁ ମିଳିବ । ତାଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଟିମ୍ ୪୧ ବର୍ଷର ପ୍ରତୀକ୍ଷା ପରେ ଅଲିମ୍ପିକ୍ରେ ପଦକ ଜିତିପାରିଥିଲା । ଏହି ଟିମ୍ ଟୋକିଓରେ ବ୍ରୋଞ୍ଜ ପଦକ ଜିତିବାର ସୌଭାଗ୍ୟ ପାଇପାରିଥିଲା । ଅନୁଭବୀ ଗୋଲ୍କିପର୍ ପିଆର୍ ଶ୍ରୀଜେଶ୍, କୃଷ୍ଣ ବାହାଦୂର ଥାପା ଆହତ ଯୋଗୁ ଟିମ୍କୁ ଫେରିପାରିଛନ୍ତି ।
ଦଳରେ ପ୍ରତିରକ୍ଷା, ମିଡ୍ଫିଲ୍ଡ ଏବଂ ଫରୱାର୍ଡରେ ଅନୁଭବୀ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ଏହି ଟିମ୍ରୁ ଡ୍ରେଗ୍ ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହଙ୍କୁ ବାଦ୍ ଦିଆଯାଇଛି । ସେ ଡ୍ରେଗ୍ ଫ୍ଲିକ୍ ଜରିଆରେ ସାରା ବିଶ୍ୱର ଗୋଲ୍କିପର୍ଙ୍କୁ ମାତ୍ ଦେଇପାରନ୍ତି । ଆହତ ଯୋଗୁ ରୂପିନ୍ଦର ବାଦ୍ ପଡ଼ିଥିବା କୁହାଯାଉଛି । ସେ ଏସିଆ କପ୍ ପୂର୍ବରୁ ଆହତ ହୋଇପଡ଼ିଥିଲେ । ଯେଉଁ କାରଣରୁ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ପଡ଼ିଥିଲା । ତାଙ୍କ ବଦଳରେ ଡ୍ରେଗ୍ ଫ୍ଲିକର୍ ହରମନ୍ପ୍ରୀତ୍ ସିଂହଙ୍କୁ ସୁଯୋଗ ଦିଆଯାଇଛି । ହରମନ୍ପ୍ରୀତ୍ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରେ ସବୁଠୁ ଅଧିକ ଗୋଲ୍ ଦେଇଥିବାବେଳେ ତାଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ତେବେ ଓଡ଼ିଶାରୁ କେବଳ ଅମିତ୍ ରୋହିଦାସ କମନୱେଲ୍ଥ ଗେମ୍ସ ପାଇଁ ଟିମ୍ରେ ସ୍ଥାନ ପାଇଛନ୍ତି ।
ସୂଚନାଯୋଗ୍ୟ, କମନ୍ୱେଲ୍ଥ ଗେମ୍ସ ୨୮ ଜୁଲାଇରୁ ୮ ଅଗଷ୍ଟ ଯାଏଁ ବର୍ମିଂହାମ୍ରେ ଖେଳାଯିବ । ଭାରତୀୟ ଟିମ୍କୁ ପୁଲ୍-ବି’ରେ ଇଂଲଣ୍ଡ, କାନାଡ଼ା, ୱେଲ୍ସ ଏବଂ ଘାନା ସହ ଖେଳିବାକୁ ହେବ । ଟିମ୍ ଇଣ୍ଡିଆ ୩୧ ଜୁଲାଇରେ ଘାନା ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ତେବେ ୨୦୧୮ କମନ୍ୱେଲ୍ଥ ଗେମ୍ସରେ ଟିମ୍ ଇଣ୍ଡିଆ ଚତୁର୍ଥ ସ୍ଥାନ ଅକ୍ତିଆର କରିଥିଲା ।
ଘୋଷିତ ହୋଇଥିବା ଦଳରେ ଗୋଲ୍କିପର୍ ଭାବେ ପିଆର୍ ଶ୍ରୀଜେଶ୍, କୃଷ୍ଣ ବାହାଦୂର ପାଠକ, ଡିଫେଣ୍ଡର୍ ବରୁଣ କୁମାର, ସୁରେନ୍ଦ୍ର କୁମାର, ହରମନ୍ପ୍ରୀତ୍ ସିଂହ (ଉପଅଧିନାୟକ), ଅମିତ୍ ରୋହିଦାସ, ଜୁଗରାଜ ସିଂହ, ଜରମନପ୍ରୀତ୍ ସିଂହ, ମିଡ୍ଫିଲ୍ଡର୍ ମନପ୍ରୀତ୍ ସିଂହ (ଅଧିନାୟକ), ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଶମଶେର୍ ସିଂହ, ଆକାଶଦୀପ ସିଂହ, ନୀଳାକାନ୍ତା ଶର୍ମା, ଫର୍ୱାର୍ଡ ମନଦୀପ୍ ସିଂହ, ଗୁରଜଣ୍ଟ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକଙ୍କୁ ସ୍ଥାନ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *