ରାହୁଲଙ୍କୁ ପୁଣି ଇଡି ତଲବ
ନୂଆଦିଲ୍ଲୀ,୨ଠା୬: ନ୍ୟାସନାଲ୍ ହେରାଲ୍ଡ ଧନଶୋଧନ ମାମଲାରେ ରାହୁଲ ଗାନ୍ଧି ସୋମବାର ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) କାର୍ଯ୍ୟାଳୟରେ ଜେରାର ସମ୍ମୁଖୀନ ହେବା ପରେ ପୁନର୍ବାର ତାଙ୍କୁ ମଙ୍ଗଳବାର ହାଜର ହେବା ଲାଗି ତଲବ କରାଯାଇଛି । ଗତ ସପ୍ତାହରେ ସୋମବାର, ମଙ୍ଗଳବାର ଓ ବୁଧବାର କ୍ରମାଗତ ୩ଦିନ ଏବଂ ଆଜି (ସୋମବାର) ଇଡି ଅଧିକାରୀମାନେ ରାହୁଲଙ୍କୁ ପ୍ରାୟ ୪୦ଘଣ୍ଟା ଜେରା କଲେଣି ।
ମଙ୍ଗଳବାର ୫୨ତମ ଜନ୍ମଦିନ ପାଳିବା ପରେ ରାହୁଲ ଦିନ ୧୧ଟା ୫ ମିନିଟ୍ରେ ଇଡି ମୁଖ୍ୟାଳୟରେ ପହଞ୍ଚôଥିଲେ । ରାଜନୈତିକ ଦୃଷ୍ଟିରୁ ଏହା ସମ୍ବେଦନଶୀଳ ମାମଲା ହୋଇଥିବାରୁ ଇଡିର ପ୍ରଶ୍ନ ଓ ରାହୁଲଙ୍କ ଉତ୍ତର ପ୍ରଘଟ କରାଯାଉନାହିଁ । ତେବେ ଧନଶୋଧନ ପାଇଁ ଏହା ଫିଟ୍ କେସ୍ ବୋଲି ଇଡି ପକ୍ଷରୁ କୁହାଯାଇଛି ।
ସେହି ଏକା ମାମଲାରେ ରାହୁଲଙ୍କ ମା’ତଥା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆସନ୍ତା ୨୩ରେ ଇଡି ଜେରାର ସମ୍ମୁଖୀନ ହେବାକୁ ପଡିବ । ପ୍ରଥମେ ଜୁନ୍ ୮ରେ ହାଜର ହେବା ଲାଗି ତାଙ୍କୁ ନୋଟିସ୍ ଦିଆଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ତାରିଖ ବଦଳିଲା ।
ସୋନିଆ ସୋମବାର ହସ୍ପିଟାଲ୍ରୁ ଫେରି ଆସିଛନ୍ତି । ଦଳର ମହାସଚିବ ଜୟରାମ ରମେଶ ଟୁଇଟ୍ ମାଧ୍ୟମରେ କହିଛନ୍ତି ସୋନିଆଙ୍କୁ ଘରେ ବିଶ୍ରାମ ନେବା ଲାଗି ସାର୍ ଗଙ୍ଗାରାମ ହସ୍ପିଟାଲ୍ର ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଜଟିଳତା ଦେଖାଦେବାରୁ ୭୫ବର୍ଷୀୟା ସୋନିଆଙ୍କୁ ଜୁନ୍ ୧୨ରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ଇଡି କାର୍ଯ୍ୟାନୁଷ୍ଠାନ ଏବଂ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ କର୍ମକର୍ତ୍ତାମାନେ ସୋମବାର ନୂଆଦିଲ୍ଲୀର ଯନ୍ତର-ମନ୍ତରଠାରେ ସତ୍ୟାଗ୍ରହ କରିବା ମଧ୍ୟରେ ଦଳର କେତେକ କର୍ମକର୍ତ୍ତା, ଯଥା- ମଲ୍ଲିକାର୍ଜ୍ଜୁନ ଖଡ୍ଗେ, ଅଧୀର ରଞ୍ଜନ ଚୌଧରୀ, ପି.ଚିଦମ୍ବରମ୍, ଜୟରାମ ରମେଶ ପ୍ରମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଦଳର ବରିଷ୍ଠ ନେତାମାନେ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପ୍ରଦଯାତ୍ରାରେ ଯାଇଥିଲେ । ସୋମବାର କଂଗ୍ରେସ ସାଂସଦମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିବା ଖବର ମିଳିଛି ।
ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି ବିଜେପି ଅଗ୍ନବୀର ନିଯୁକ୍ତି ବାହାନାରେ ୪୬ହଜାର ଯୁବକଙ୍କୁ ଆର୍ଏସ୍ଏସ୍ରେ ଯୋଡିବାକୁ ଚାହୁଁଛି । ସେଥିଲାଗି ଅଗ୍ନିବୀରମାନଙ୍କ ପାଇଁ ୪ବର୍ଷ ତାଲିମ୍ ଓ ଷ୍ଟାଇପେଣ୍ଡ ଦେଇ ସେମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବ୍ୟସ୍ତ ରଖିବାକୁ ଚାହୁଁଛି ।