ଅଟକିବନି ଅଗ୍ନିପଥ
ନୂଆଦିଲ୍ଲୀ, ୧୯ା୬: ସେନାରେ ନୂଆ ନିଯୁକ୍ତି ସମ୍ବନ୍ଧୀୟ ଅଗ୍ନିପଥ ଯୋଜନା ବିରୋଧରେ ଅନେକ ରାଜ୍ୟରେ ୫ଦିନ ହେଲା ଉଗ୍ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ କୋଟି କୋଟି ଟଙ୍କାର ସର୍ବସାଧାରଣ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ଏବଂ ତେଲେଙ୍ଗାନା ପୋଲିସ ଗୁଳିରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଥିବାବେଳେ ରବିବାର ସେନାର ତିନି ବାହିନୀ ପକ୍ଷରୁ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ଅଗ୍ନିପଥ ଯୋଜନା ରଦ୍ଦ ହେବ ନାହିଁ । ଏଣିକି କେବଳ ଅଗ୍ନିପଥ ସ୍କିମ୍ରେ ହିଁ ସେନାରେ ନିଯୁକ୍ତି ଦିଆଯିବ । ସୈନିକମାନଙ୍କ ପାଇଁ ଅନୁଶାସନ ବା ଶୃଙ୍ଖଳା ସବୁଠାରୁ ବଡ କଥା । ଆବେଦନକାରୀ ଯୁବକମାନଙ୍କୁ ପୋଲିସ ଭେରିଫିକେସନ୍ ରିପୋର୍ଟ ଦାଖଲ କରିବାକୁ ହେବ ଯେଉଁଥିରେ ଉଲ୍ଲେଖ ଥିବ ଯେ ଅଗ୍ନିପଥ ବିରୋଧୀ ଆନେ୍ଦାଳନ ସମୟରେ ସେମାନେ ପୋଡାଜଳା, ଭଙ୍ଗାରୁଜା ଆଦି ହିଂସାକାଣ୍ଡରେ ସମ୍ପୃକ୍ତ ନଥିଲେ ।
ରବିବାର ପୂର୍ବାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଗ୍ନିପଥ ଯୋଜନାକୁ ନେଇ ଉପୁଜିଥିବା ଭ୍ରମ ଦୂର କରିବା ଉଦ୍ୟମ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସ୍ଥଳ ସେନାର ଆଡ୍ଜୁଟାଣ୍ଟ ଜେନେରାଲ୍ ଲେ.ଜେ. ସି.ବି.ପୁନ୍ନାପ୍ପା, ସାମରିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅରୁଣ ପୁରୀ, ନୌବାହିନୀର ଚିଫ୍ ଅଫ୍ ପର୍ସୋନେଲ୍ ଭାଇସ୍ ଆଡ୍ମିରାଲ୍ ଦିନେଶ କେ.ତ୍ରିପାଠୀ ଏବଂ ଏୟାର ଅଫିସର୍-ଇନ୍-ଚାର୍ଜ ପର୍ସୋନେଲ୍ ଏୟାର ମାର୍ଶଲ ସୂରଜ କୁମାର ଝା କହିଥିଲେ ଯେ, ଦେଶ ସେବାରେ ଯେଉଁ ଅଗ୍ନିବୀର ବଳିଦାନ ଦେବେ, ସେମାନଙ୍କ ପାଇଁ ୧କୋଟି ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା ରହିଛି । ସେବା ସର୍ତ୍ତରେ କୌଣସି ଭେଦଭାବ ରହିବ ନାହିଁ, ଅର୍ଥାତ୍ ନିୟମିତ ସୈନିକଙ୍କୁ ଯେଉଁ ସୁବିଧା ମିଳୁଛି, ଅଗ୍ନିବୀରଙ୍କ ପାଇଁ ସେସବୁ ଉପଲବ୍ଧ ହେବ ।
ଏହି ଅବସରରେ ତିନି ବାହିନୀରେ ନିଯୁକ୍ତି ପ୍ରକ୍ରିୟାର ତାରିଖ ମଧ୍ୟ ଘୋଷଣା କରାଯାଇଛି । ବାୟୁସେନା ଓ ସ୍ଥଳ ସେନାରେ ନିଯୁକ୍ତି ପ୍ରକ୍ରିୟା ଯଥାକ୍ରମେ ଜୁନ୍ ୨୪ ଓ ଜୁଲାଇ ୧ରୁ ଆରମ୍ଭ ହେବ । ଏଥିଲାଗି ପ୍ରଥମେ ଅନ୍ଲାଇନ୍ରେ ପଞ୍ଜୀକରଣ କରାଯାଇ ମାସକ ପରେ ପରେ ଅନ୍ଲାଇନ୍ ପରୀକ୍ଷା ଆରମ୍ଭ କରାଯିବ । ନୌ ସେନାର ଭାଇସ୍ ଆଡମିରାଲ୍ ଡି.କେ.ତ୍ରିପାଠୀ କହିଲେ ଯେ, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୨୫ ସୁଦ୍ଧା ବିଜ୍ଞପ୍ତି ଜାରି ହେବ ଏବଂ ମାସେ ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ଅଗ୍ନିବୀରମାନେ ନଭେମ୍ବର ୨୧ରେ ତାଲିମ୍ କେନ୍ଦ୍ର (ଆଇଏନ୍ଏସ୍ ଚିଲିକା) ରେ ରିପୋର୍ଟ କରିବେ ।