କେନ୍ଦ୍ରର ଅଗ୍ନିପଥ, କଂଗ୍ରେସର ସତ୍ୟାଗ୍ରହ

ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାରଙ୍କ ନବଘୋଷିତ ‘ଅଗ୍ନିପଥ’ ଯୋଜନା ସମ୍ପ୍ରତି ଦେଶବ୍ୟାପୀ ତୀବ୍ର ବିରୋଧାଭାସର ଶିକାର ହୋଇଛି । ଏପ୍ରକାର ଏକ ଅଦୂରଦ୍ରଷ୍ଟିତାପୂର୍ଣ୍ଣ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦେଶର ପ୍ରାୟ ସବୁସ୍ତରରୁ ସରକାରଙ୍କ ଉପରେ ଚାପ ପକାଯାଉଛି । ଦେଶର ବିଭିନ୍ନ ରାଜ୍ୟରେ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳୁଛି । ଭାରତୀୟ ରେଳବିଭାଗର ପ୍ରାୟ ୭ଠଠ କୋଟି ଟଙ୍କାର ସମ୍ପତ୍ତିକୁ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଛନ୍ତି । ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଭଳି ଅନେକ ରାଜ୍ୟରେ ସ୍ଥିତି ଅଣାୟତ୍ତ ସ୍ଥିତିରେ ରହିଛି । ଅନ୍ୟପକ୍ଷେ ଏହାକୁ ଏକ ରାଜନୈତିକ ମୁଦ୍ଦା କରିଦେଇଛନ୍ତି ବିରୋଧୀ ଦଳ ସମୂହ । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧାଭାସ ମଧ୍ୟରେ ବିରୋଧୀ ଦଳ ନିଆଁରେ ଘିଅ ଢ଼ାଳିବା ଭଳି ଆଚରଣ ପ୍ରଦର୍ଶନ କରିବାରେ ଲାଗିଛନ୍ତି ।
ପ୍ରାପ୍ତ ସୂଚନାନୁସାରେ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନା ବିରୋଧରେ ତଥା ଏପ୍ରକାର ଏକ ଦିଗହୀନ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଦାବିରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି । ଶାନ୍ତିପୂର୍ଣ୍ଣ ଉପାୟରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିରୋଧରେ ପ୍ରତିବାଦ ପ୍ରଦର୍ଶନ ଉଦେ୍ଦଶ୍ୟରେ କଂଗ୍ରେସ ନେତାମାନେ ସତ୍ୟାଗ୍ରହରେ ବସିଛନ୍ତି । ପ୍ରିୟଙ୍କା ଗାନ୍ଧୀ, ସଚିନ୍ ପାଇଲଟ୍ଙ୍କ ଭଳି କଂଗ୍ରେସର ଅନେକ ଯୁବନେତାଙ୍କ ସହ ଅଶୋକ ଗେହଲଟ୍, ସଲମାନ୍ ଖୁର୍ସିଦ୍ଙ୍କ ଭଳି ଦଳର ବରିଷ୍ଠ ନେତାମାନେ ଏକତ୍ର ସତ୍ୟାଗ୍ରହ କରୁଛନ୍ତି । ପ୍ରିୟଙ୍କା ଗାନ୍ଧୀ ନିଜ ସମ୍ବୋଧନରେ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିବା ସହ ଯଥାଶୀଘ୍ର ଏପ୍ରକାର ଯୋଜନାକୁ ପ୍ରତ୍ୟାହାର କରିବାକୁ ନଚେତ୍ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି । ସେହିପରି ସଚିନ୍ ପାଇଲଟ୍ ମଧ୍ୟ ନୂଆ ସଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ’ ଏବଂ ପ୍ରଧାନମନ୍ତ୍ରୀଙ୍କ ବିମାନ ଖର୍ଚ୍ଚ ଉପରେ କେନ୍ଦ୍ର ସରକାର ଦେଶବାସୀଙ୍କ ଝାଳବୁହା ଧନକୁ ଖର୍ଚ୍ଚ କରୁଥିବା ବେଳେ ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତକୁ ଅଗ୍ନିପଥ ଭଳି ଯୋଜନା ଆଳରେ ନଷ୍ଟ କରିଦେବାକୁ ବସିଛି । ପ୍ରକାଶ, ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି । ଅନ୍ୟପକ୍ଷେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପୋଷ୍ଟ କରି ବିଜେପି ସରକାରକୁ କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ।
ରାହୁଲ ନିଜ ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି, କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶର ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି, ଯୁବଗୋଷ୍ଠୀଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି । ମୋଦି ସରକାର ଶାସନର ୮ ବର୍ଷ ମଧ୍ୟରେ ୧୬ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ନିଜେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ରାସ୍ତା କଡ଼ରେ ‘ପକୁଡି ଛାଣିବା’ ପାଇଁ ଜ୍ଞାନ ବାଣ୍ଟୁଛନ୍ତି । ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ଦାୟୀ । ଯୁବଗୋଷ୍ଠୀଙ୍କ ଆଶାକୁ ଧୂଳିସାତ୍ କରିବା ଭଳି ଯୋଜନାକୁ କଦାପି ଲାଗୁ କରିବାକୁ ଦିଆଯିବ ନାହିଁ ।’
ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନା କୌଣସି ପରିସ୍ଥିତିରେ ମଧ୍ୟ ପ୍ରତ୍ୟାହାର ହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିସାରିଛନ୍ତି । ସୁତରାଂ ସମ୍ପ୍ରତି ଯୁବଗୋଷ୍ଠୀଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସମ୍ପର୍କୀତ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଆଯାଇଛି । କେତେକାଂଶରେ ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ ମଧ୍ୟ କରାଯାଉଛି । ତେବେ ଏହା ମଧ୍ୟ ସତ୍ୟ ଯେ, ଅଗ୍ନିପଥ ଯୋଜନାରେ ୪ବର୍ଷୀୟ ନିଯୁକ୍ତି ବ୍ୟବସ୍ଥାକୁ ନେଇ ସେନାରେ ଭର୍ତ୍ତି ହେବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶସେବା କରିବାର ଆଶା ରଖିଥିବା ପ୍ରତ୍ୟେକ ଯୁବକ/ଯୁବତୀ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ସୁତରାଂ ଏପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ଯୋଜନାରେ ଅନ୍ୟ କେତେକ ପରିବର୍ତ୍ତନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *