ଗାଁ ଛାଡ଼ିଲେ ବାସନ୍ଦ ପରିବାର

ପ୍ରଶାସନର ହସ୍ତକ୍ଷେପ ସତ୍ତ୍ୱେ ସମାଧାନ ହୋଇପାରିଲାନି
ପାଟପୁର(ଆପ୍ର): ପଞ୍ଚାୟତ ନିର୍ବାଚନର ୪ ମାସ ପରେ ବି ଲୋକଙ୍କ ରାଗ ଶୁଝିନି । ଗଞ୍ଜାମ ଜିଲ୍ଲାର କିଛି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସାମାଜିକ ବାସନ୍ଦର ଶିକାର ହୋଇଥିବା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଏକ ପରିବାର ନିରାଶ ହୋଇ ଗାଁ ଛାଡ଼ିଛନ୍ତି । ପ୍ରଶାସନର ଉପସ୍ଥିତିରେ ଆୟୋଜିତ ବୈଠକରେ ସମାଧାନ ବାଟ ନ ମିଳିବାରୁ ଏହି ପରିବାର ନ୍ୟାୟ ଆଶାରେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଗାଁର କାଳୁଚରଣ ବେହେରା ଓ ପୁଷ୍ପଲତା ବେହେରାଙ୍କ କନ୍ୟା ରୋଜାଲିନ ବେହେରା ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । କିନ୍ତୁ ଏହି କାରଣରୁ ଗ୍ରାମବାସୀ ଗତ ୨୫ ତାରିଖରେ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ । ଏପରିକି ନିଜ ଭାଇଙ୍କ ଭୋଜିରେ ଖାଇ ବସିଥିବା ସମୟରେ କାଳୁଙ୍କ ଉଠାଇ ଦେଇଥିଲେ । କାଳୁଙ୍କ ପରିବାର ସହ ସଂପର୍କ ନାହିଁ ବୋଲି ଚେତାବନୀ ଦେଇଥିଲେ । କାଳୁଙ୍କ ପରିବାର ବାଧ୍ୟ ହୋଇ ଶୁକ୍ରବାର ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନ କରିଥିଲେ ।
ଏସ୍ପି ଶ୍ରବଣ ବିବେକ ଏମ୍ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସାମାଜିକ ବାସନ୍ଦ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଗତକାଲି ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା, ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ସମାଧାନ ହୋଇପାରି ନ ଥିଲା । କାଳୁଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଏହା କୁଳ ସମାଜରେ ପ୍ରଭାବ ପଡ଼ୁଥିବା ଗ୍ରାମବାସୀ କହିଥିଲେ । ଦୁଇ ପୁତୁରାଙ୍କ ବାହଘର ବେଳେ ଗ୍ରାମରୁ ତଡ଼ା ଖାଇ ପୁଣି ନ୍ୟାୟ ଆଶାରେ କାଳୁ ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *