ଆର୍ଜେଣ୍ଟିନାଠୁ ହାରିଲା ଭାରତୀୟ ମହିଳା ଟିମ୍

ରୋଟ୍ଟରଡାମ୍, ୧୯ା୬ (ଏଜେନ୍ସି): ଭାରତୀୟ ମହିଳା ହକି ଟିମ୍ ରବିବାର ଏଫ୍ଆଇଏଚ୍ ପ୍ରୋ ଲିଗ୍ ଡବଲ୍-ଲେଗ୍ର ଦ୍ୱିତୀୟ ମ୍ୟାଚ୍ରେ ଅଲିମ୍ପିକ୍ ରୌପ୍ୟ ବିଜେତା ଆର୍ଜେଣ୍ଟିନାଠାରୁ ୨-୩ରେ ପରାଜୟ ବରଣ କରିଛି । ଏହାପୂର୍ବରୁ ଶନିବାର ଭାରତ ପ୍ରଥମ ମ୍ୟାଚ୍ରେ ୨-୧ ପେନାଲ୍ଟି ସୁଟ୍ଆଉଟ୍ରେ ଆର୍ଜେଣ୍ଟିନାକୁ ହରାଇ ସ୍ତବ୍ଧଭରା ବିଜୟ ହାସଲ କରିଥିଲା ।
ଏହି ବିଜୟ ସହ ଆର୍ଜେଣ୍ଟିନା ଏଫ୍ଆଇଏଚ୍ ପ୍ରୋ ଲିଗ୍ ମୁକୁଟ ଜିତିଛି । ଟିମ୍ ୧୬ ମ୍ୟାଚ୍ରୁ ୪୨ ପଏଣ୍ଟ ପାଇ ସର୍ବାଗ୍ରେ ରହିଛି ଏବଂ ଦ୍ୱିତୀୟ ସ୍ଥାନରେ ଥିବା ନେଦରଲାଣ୍ଡ୍୍ସଠାରୁ ୧୦ ପଏଣ୍ଟ ଆଗରେ ଅଛି । ଡଚ୍ ଟିମ୍ର ଆହୁରି ଦୁଇଟି ମ୍ୟାଚ୍ ବାକି ଥିଲେହେଁ ତା’ର ଆଉ ସମ୍ଭାବନା ନାହିଁ । ଭାରତ ନିଜ ପଦାର୍ପଣ ସିଜନ୍ରେ ୧୨ ମ୍ୟାଚ୍ରୁ ୨୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ଟିମ୍ର ମଧ୍ୟ ଆଉ ଦୁଇଟି ମ୍ୟାଚ୍ ରହିଛି । ସବିତା ପୁନିଆଙ୍କ ଟିମ୍ ଜୁନ୍ ୨୧ ଓ ୨୨ରେ ଆମେରିକାକୁ ଭେଟିବ ।
ପ୍ରଥମ ମ୍ୟାଚ୍ ଜିତିବା ପରେ ଆତ୍ମବିଶ୍ୱାସରେ ଭରା ଭାରତୀୟ ଟିମ୍ ଜୋର୍ଦାର ଆରମ୍ଭ କରି ଆର୍ଜେଣ୍ଟିନା ରକ୍ଷଣପନ୍ଥୀ ଉପରେ ଆଦ୍ୟ ଚାପ ପକାଇଥିଲା । ଅତି କମ୍ରେ ପ୍ରଥମ ଦୁଇ କ୍ୱାର୍ଟରରେ କେବଳ ଆକ୍ରମଣରେ ନୁହେଁ, ବ୍ୟାକ୍ଲାଇନ୍ରେ ମଧ୍ୟ ଭାରତୀୟ ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ସବିତା ପୁନିଆଙ୍କ ନେତୃତ୍ୱାଧୀନ ରକ୍ଷଣପନ୍ଥୀ ପ୍ରତିପକ୍ଷର ବହୁ ଆକ୍ରମଣକୁ ବିଫଳ କରିଦେଇଥିଲେ ।
ପ୍ରଥମ କ୍ୱାର୍ଟରରେ ଦୁଇ ଟିମ୍ ମଧ୍ୟରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା, ହେଲେ ଡେଡ୍ଲକ୍ ଭାଙ୍ଗି ନ ଥିଲା । ଦ୍ୱିତୀୟ କ୍ୱାର୍ଟରରେ ୨୩ତମ ମିନିଟ୍ରେ ଭାରତ ଅଗ୍ରଣୀ ହାସଲ କରିଥିଲା । ସଲିମା ଟେଟେ ପାଲଟା ଜବାବ ଦେଇ ସ୍କୋର୍ କରିଥିଲେ । ଏହାର ତିନି ମିନିଟ୍ ପରେ ଭାରତୀୟ ଗୋଲ୍କିପର୍ ସବିତା ଏକ ସୁନ୍ଦର ସେଭ୍ କରିଥିଲେ । ଏହାପରେ ଆର୍ଜେଣ୍ଟିନା ତିନିଟି ସଟ୍ ଲଗାଇଥିଲେ, ହେଲେ କୌଣସି ପ୍ରୟାସ ସବିତାଙ୍କୁ ଚକମା ଦେଇ ପାରି ନ ଥିଲା । ମଧ୍ୟାନ୍ତର ସୁଦ୍ଧା ଭାରତ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଆର୍ଜେଣ୍ଟିନା ତୃତୀୟ କ୍ୱାର୍ଟରର ଅଧିକାଂଶ ସମୟ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା । ଭାରତୀୟ ଖେଳାଳି ପ୍ରତିପକ୍ଷ ଖେଳାଳିଙ୍କ ଗତି ସହିତ ସମକକ୍ଷ ହେବାକୁ ସଂଘର୍ଷ କରିଥିଲେ । ୩୭ତମ ମିନିଟ୍ରେ ସବିତା ପୁନର୍ବାର ଏକ ଗୋଲ୍ ବଞ୍ଚାଇଥିଲେ । କିନ୍ତୁ ଏହାର ଏକ ମିନିଟ୍ ପରେ ଆର୍ଜେଣ୍ଟିନାର ଡେଲ୍ଫାଇନ୍ ଥୋମେ ଗୋଲ୍ ପରିଶୋଧ କରିଥିଲେ ।
ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା, ହେଲେ ଉଦିତା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ । ଏହାପରେ ଆର୍ଜେଣ୍ଟିନା ତିନି ମିନିଟ୍ ମଧ୍ୟରେ ଦୁଇଟି ପିସିରୁ ଦୁଇଟି ଗୋଲ୍ ଦେଇ ୩-୧ରେ ଅଗ୍ରଣୀ ହାସଲ କରିଥିଲା । ୪୧ତମ ମିନିଟ୍ରେ ଇଉଜେନିଆ ତ୍ରିନଚିନେଟ୍ଟି ଓ ୪୩ତମ ମିନିଟ୍ରେ ପୂର୍ବ ମ୍ୟାଚ୍ର ହାଟ୍ରିକ୍ ସ୍କୋରର୍ ଅଗଷ୍ଟିନା ଗୋର୍ଜେଲାନୀ ସ୍କୋର୍ କରିଥିଲେ । ଏହାର ତିନି ମିନିଟ୍ ପରେ ଦୀପ ଗ୍ରେସ୍ ଏକ୍କା ଏକ ପିସିରୁ ଗୋଲ୍ ଦେଇ ସ୍କୋର୍ ବ୍ୟବଧାନକୁ ୨-୩କୁ ହ୍ରାସ କରିଥିଲେ ।
ଏହାପରେ ଭାରତ ସ୍କୋର୍କୁ ସମାନ ସ୍ଥିତିକୁ ଆଣିବା ପାଇଁ ଶେଷ ଯାଏଁ ପ୍ରୟାସ କରିଥିଲା । ୫୫ତମ ମିନିଟ୍ରେ ବନ୍ଦନା କାଟାରିୟା ଗୋଲ୍ର ନିକଟବର୍ତ୍ତୀ ବି ହୋଇଥିଲେ; ହେଲେ ଗୋଲ୍ ହୋଇ ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *