ପୁଣି ଲାଗୁ ହେଲା ମହାମାରୀ ଆଇନ
ଭୁବନେଶ୍ୱର,୧୯ା୬(ବୁ୍ୟରୋ): ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା । ଶନିବାର ରାଜ୍ୟରୁ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି । ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ଜଣେ, କଟକରୁ ୩ ଜଣ, ଗଞ୍ଜାମରୁ ଜଣେ, ଜଗତ୍ସିଂହପୁରରୁ ୨ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨୬ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ଜଣେ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୨ ଜଣ ଓ ଷ୍ଟେଟ୍ପୁଲ୍ରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୮, ୮୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨, ୭୯, ୪୩୩ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ମହାମାରୀ ଆଇନକୁ ଲାଗୁ କରିଛନ୍ତି । ଓଡ଼ିଶାରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଚଳିତବର୍ଷ ମାର୍ଚ୍ଚ ୨୮ତାରିଖରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ରୁ ‘କୋଭିଡ୍’କୁ ମହାମାରୀକୁ ବାଦ୍ ଦେବା ନେଇ ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟ ସରକାର ‘କୋଭିଡ ସଂକ୍ରମଣର ଭୟାବହତା’କୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୩ତାରିଖରେ ଏହାକୁ ମହାମାରୀ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଜାରି ନିଦେ୍ର୍ଦଶନାମାରେ କୋଭିଡ୍ ସଂକ୍ରାନ୍ତ ମାନବସମ୍ବଳ ବାବଦ ଖର୍ଚ୍ଚକୁ ପବ୍ଲିକ ହେଲଥ ରେସପନ୍ସ ଫଣ୍ଡ (ପିଏଚଆରଏଫ)ରୁ ତୁଲାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
କୋଭିଡ୍ ସର୍ଭିଲାନ୍ସ ଓ ଟେଷ୍ଟିଂ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗାଡ଼ି (୬ ବ୍ଲକରୁ ଅଧିକ ହେଲେ ୨ଟି ଗାଡ଼ି) ନିୟୋଜିତ କରିବାକୁ ବିଭାଗ କହିଛି । ଅନ୍ୟ ଗାଡ଼ିଗୁଡ଼ିକ ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁସାରେ ଉପଯୋଗ ହେବ । ଯଦି ଅଧିକ ସଂଖ୍ୟକ ଗାଡ଼ି ଭଡ଼ାରେ ଆସିଥିବ ସେଗୁଡ଼ିକୁ ତୁରନ୍ତ ହଟାଇବାକୁ କୁହାଯାଇଛି । ଓଡ଼ିଶା ରାଜ୍ୟ ଔଷଧ ନିଗମ ପ୍ରତିମାସରେ ନିଜର ଚେନ୍ ମାଧ୍ୟମରେ ଜିଲ୍ଲାଗୁଡ଼ିକୁ ରାପିଡ୍ ଆଣ୍ଟିଜେନ୍ କିଟ୍, ଭିଟିଏମ ଓ ଆରଟିପିସିଆର କିଟ୍ ଯୋଗାଣ ସୁନିଶ୍ଚିତ କରିବେ । ଯଦି ଜିଲ୍ଲାସ୍ତରରେ ଏହି ଉପକରଣ ଅଭାବ ପଡ଼େ ତା’ହେଲେ ସମ୍ପୃକ୍ତ ଔଷଧ ନିଗମର ଜେନେରାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରି ଭୁବନେଶ୍ୱରକୁ ଗାଡ଼ି ପଠାଇ ଏସବୁ ଉପକରଣ ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି । ସେହିପରି ଜିଲ୍ଲାଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କରିବାକୁ କୁହାଯାଇଛି । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେବା ଉଚିତ୍ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଟିପିସିଆର ଟେଷ୍ଟ ନିମନ୍ତେ ସ୍ୱାବ ସଂଗ୍ରହର ସୁବିଧା ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶ ଦେଇଛି । ରାପିଡ୍ ଆଂଟିଜେନ୍ ଟେଷ୍ଟ ଓ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ନିମନ୍ତେ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲାସ୍ତରରେ ସମସ୍ତ କୋଭିଡ୍ ସଂକ୍ରାନ୍ତ ତଥ୍ୟ ଅନଲାଇନରେ ଅପଲୋଡ୍ ଜାରି ରଖିବାକୁ କୁହାଯାଇଛି । ତେବେ ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ମହାମାରୀ ଆଇନ ବଳବତ୍ତର ରହିଥିବା ସ୍ୱାସ୍ଥ୍ୟ ବିଭାଗ ତା’ର ନିଦେ୍ର୍ଦଶନାମାରେ ଉଳ୍ଲେଖ କରିଛି ।