ନୂଆ ସଂସଦ ଭବନରେ ଶୀତ ଅଧିବେଶନ
ନୂଆଦିଲ୍ଲୀ (ଏଜେନ୍ସି): ଯଦି ସବୁକିଛି ଠିକ୍ ଠାକ୍ ରୁହେ ତେବେ ସଂସଦର ଶୀତକାଳୀନ ଅଧିବେଶନ ନବନିର୍ମିତ ସଂସଦ ଭବନ (ସେଣ୍ଟ୍ରାଲ ଭିଷ୍ଟା)ରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ରବିବାର ଏପ୍ରକାର ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ବାଚସ୍ପତି କହିଛନ୍ତି ନବନିର୍ମିତ ସଂସଦ ଭବନ ସବୁ ଦୃଷ୍ଟିକୋଣରୁ ବେଶ୍ ସୁରକ୍ଷିତ ଏବଂ ଟେକ୍ନୋଲୋଜି ସମ୍ପନ୍ନ । ନୂଆ ସଂସଦ ଭବନରେ ଶୀତ ଅଧିବେଶନ କରାଇବା ପାଇଁ କେନ୍ଦ୍ର ସରକାର ଜୋରସୋରରେ ପ୍ରୟାସ କରୁଛନ୍ତି । ଏହି ସଂସଦ ଭବନ ମାଧ୍ୟମରେ ଆତ୍ମନିର୍ଭର ଭାରତର ସ୍ପଷ୍ଟ ଝଲକ୍ ଦେଖିବାକୁ ମିଳିବ । ଅନ୍ୟପକ୍ଷେ ବାଚସ୍ପତିଙ୍କ ଏହି ସୂଚନା ପରେ ଦେଶରେ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଅବସରରେ ବାଚସ୍ପତି କହିଛନ୍ତି କରୋନା ସଂକ୍ରମଣଜନିତ ଭୟାବହତା ସତ୍ତ୍ୱେ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା ।
ସୂଚନାଯୋଗ୍ୟ, ନୂଆ ସଂସଦ ଭବନର ନାମ ପୂର୍ବତନ ରାଷ୍ଟ୍ରପତି (ଦିବଂଗତ) ଏପିଜେ ଅବଦୁଲ୍ କଲାମଙ୍କ ନାମରେ ନାମକରଣ କରିବାକୁ ବିରୋଧୀ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗତ ମେ’ ମାସରେ ମୋଦି ସରକାରଙ୍କୁ ଏସମ୍ପର୍କରେ ବିଧିବଦ୍ଧ ଲିଖିତ ପ୍ରସ୍ତାବ ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିଲା । କଲାମଙ୍କ ନାଁରେ ନାମକରଣ କରି ଦେଶକୁ ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ଦେବାକୁ ବିରୋଧୀ, କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଆସୁଛି । ତେବେ ବିରୋଧୀଙ୍କ ଏହି ପ୍ରସ୍ତାବ ସମ୍ପର୍କରେ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ନୂଆ ବିଲ୍ଡିଂ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି ।
ପ୍ରକାଶ, ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ପ୍ରଥମରୁ ସମାଲୋଚନା କରିଆସୁଛନ୍ତି । ଦେଶବାସୀଙ୍କ କଷ୍ଟଉପାର୍ଜିତ ଅର୍ଥକୁ କେନ୍ଦ୍ର ସରକାର ନିଜ ମହତ୍ତ୍ୱାକାଂକ୍ଷା ତଥା ବିଳାସବ୍ୟସନ ପାଇଁ ବରବାଦ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ।