ଅଣଟିକସ ରାଜସ୍ୱ ୫ଠ% ବୃଦ୍ଧି

ଭୁବନେଶ୍ୱର (ତଥ୍ୟ): ରାଜ୍ୟର ଅଣଟିକସ ରାଜସ୍ୱ ଆଦାୟ ମେ’ ମାସ ଶେଷ ପର୍ଯ୍ୟନ୍ତ ପାଖାପାଖି ୫୦.୭୦ ପ୍ରତିଶତ ବୃଦ୍ଧି ପାଇଛି । ଖଣିଜ କ୍ଷେତ୍ରରୁ ଆଦାୟ ରାଜସ୍ୱ ବୃଦ୍ଧି ଫଳରେ ଏହା ସମ୍ଭବ ହୋଇପାରିଛି । ମେ’ ଶେଷ ସୁଦ୍ଧା ଖଣି ଓ ଖଣିଜ କ୍ଷେତ୍ରରୁ ଅଣଟିକସ ରାଜସ୍ୱ ବାବଦରେ ୮୧୯୬.୧୮ କୋଟି ଟଙ୍କା ଆଦାୟ ହୋଇଛି । ଗତବର୍ଷର ଏହି ସମୟରେ ଏ ବାବଦରେ ମିଳିଥିଲା ୫୭୬୮.୭୭ କୋଟି ଟଙ୍କା । ସେହିଭଳି ଖଣି ଏବଂ ଖଣିଜ ଶିଳ୍ପରୁ ମେ’ ଶେଷ ସୁଦ୍ଧା ଆଦାୟ ରାଜସ୍ୱ ପରିମାଣରେ ୪୨.୮ ପ୍ରତିଶତ ଅଭିବୃଦ୍ଧି ହୋଇଛି ।
୨୦୨୨-୨୩ ବର୍ଷର ବଜେଟ୍‌ ଆକଳନ ସମୟରେ ଖଣି ରାଜସ୍ୱ ବାବଦରେ ୪୩,୪୪୪ କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ଥିବାବେଳେ ମେ’ ଶେଷ ସୁଦ୍ଧା ୮୧୯୬.୧୮ କୋଟି ଟଙ୍କା ମିଳିଥିବା ଇସ୍ପାତ ଓ ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କୋଭିଡ ମହାମାରୀ ଯୋଗୁ ୨୦୨୦-୨୧ ବର୍ଷର ମେ’ ଶେଷ ସୁଦ୍ଧା ଖଣିଜ କ୍ଷେତ୍ରରୁ ମାତ୍ର ୭୪୬.୭୦ କୋଟି ଟଙ୍କା ଆଦାୟ ହୋଇଥିଲା । ଇସ୍ପାତ ଓ ଖଣି ବିଭାଗର ଠିକଣା ପଦକ୍ଷେପ ଯୋଗୁଁ ଚଳିତବର୍ଷ ଏହି କ୍ଷେତ୍ରରୁ ଅଣଟିକସ ରାଜସ୍ୱ ଆଦାୟ ପରିମାଣ ୨୦୨୦-୨୧ ମେ’ ତୁଳନାରେ ୬୭୨.୫୭ ପ୍ରତିଶତ ଅଧିକ ରହିଛି ।
କେବଳ ମେ’ ମାସରେ ଖଣି କ୍ଷେତ୍ରରୁ ରାଜକୋଷକୁ ଆସିଛି ୪୪୩୮.୭୯ କୋଟି ଟଙ୍କା । ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ସାମଗ୍ରୀର ବଜାର ବଢି ଚାଲିଥିବାରୁ ଏହି କ୍ଷେତ୍ରରୁ ଆଦାୟ ରାଜସ୍ୱ ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଓଡିଶା ଗୋଟିଏ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇଥିବାବେଳେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ଖଣିଜ ସାମଗ୍ରୀର ଦର ବଢି ଚାଲିଛି । ତେବେ ମେ’ ମାସ ଶେଷ ସୁଦ୍ଧା ରାଜ୍ୟର ମୋଟ୍‌ ଅଣଟିକସ ରାଜସ୍ୱ ଆଦାୟ ପରିମାଣ ୯୨୫୨.୬୭ କୋଟି ଟଙ୍କା ହୋଇଛି, ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୫୦.୭୯ ପ୍ରତିଶତ ଅଧିକ । ୨୦୨୧-୨୨ ଆର୍ଥିକ ବର୍ଷରେ ଖଣି ଏବଂ ଖଣିଜରୁ ୪୮,୬୪୧.୭୭ କୋଟିର ରାଜସ୍ୱ ଆଦାୟ ହୋଇଥିବାରୁ ଏହି ସଫଳତାକୁ ଦୃଷ୍ଟିରେ ରାଜ୍ୟ ସରକାର ଏଥର ୪୩,୪୪୪ କୋଟି ଟଙ୍କାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।
ଉଲ୍ଲେଖନୀୟ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ ମହାମାରୀ ସତ୍ତ୍ୱେ ରାଜ୍ୟ ସରକାର ଖଣି ଓ ଖଣିଜ କ୍ଷେତ୍ରରୁ ୧୩,୬୦୪.୮୯ କୋଟି ଟଙ୍କାର ରାଜସ୍ୱ ପାଇଥିଲେ । ଏହି ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମେ’ ସୁଦ୍ଧା ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ଆଦାୟ କ୍ଷେତ୍ରରେ ରାଜ୍ୟର ୩୮.୭୬ ପ୍ରତିଶତ ଅଭିବୃଦ୍ଧି ହୋଇଛି । ରାଜ୍ୟ ସରକାର ମେ’ ସୁଦ୍ଧା ୧୫,୯୫୦.୯୪ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି, ଯାହାକି ଗତବର୍ଷର ଏହି ସମୟ ସୁଦ୍ଧା ୧୧,୪୯୫.୭୪ କୋଟି ଟଙ୍କା ଥିଲା । ୨୦୨୨-୨୩ ବର୍ଷରେ ମେ’ ସୁଦ୍ଧା ନିଜସ୍ୱ ଟିକସ ବାବଦରେ ୬୬୯୮.୨୭ କୋଟି ଟଙ୍କା ମିଳିଛି ଯାହାକି ୨୦୨୧-୨୨ ମଇ ସୁଦ୍ଧା ଥିଲା ୫୩୫୯.୪୬ କୋଟି ଟଙ୍କା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *