ପ୍ରତିବର୍ଷ ଅବସର ନେବେ ୩୭ ହଜାର ଅଗ୍ନିବୀର
ନୂଆଦିଲ୍ଲୀ, ୧୯ା୫: ମାତ୍ର ୪ବର୍ଷର ଚାକିରି ପରେ ବେରୋଜଗାର ହେବା ଆଶଙ୍କାରେ ଯୁବପିଢୀ ଅଗ୍ନିପଥ ଯୋଜନା ବିରୋଧରେ ଆନେ୍ଦାଳନ ଜାରି ରଖିଛନ୍ତି । ଏହି ଯୋଜନାକୁ ରବ୍ଦ କରି ପୁରୁଣା ନିୟମ ଅନୁଯାୟୀ ସେନାରେ ନିଯୁକ୍ତି ଆରମ୍ଭ କରିବାକୁ ଦାବି କରିଛନ୍ତି । ଅବସର ଗ୍ରହଣ ପରେ ଅଗ୍ନିବୀରମାନଙ୍କୁ ବିଭିନ୍ନ ବିଭାଗରେ ଥଇଥାନ କରାଯିବ ବୋଲି କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟ ସରକାରମାନେ ଆଶ୍ୱାସନା ଦେଇଥିଲେ ହେଁ ଆନେ୍ଦାଳନକାରୀମାନଙ୍କ ମନ ବୁଝୁନାହିଁ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ଅଛନ୍ତି ୨୬ ଲକ୍ଷ ଅବସରପ୍ରାପ୍ତ ସୈନିକ । ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ଆର୍ମିରୁ, ୨.୨୪ ଲକ୍ଷ ଏୟାର ଫୋର୍ସରୁ ଓ ୧.୩୩ ଲକ୍ଷ ନୌସେନାରୁ ସେବାନିବୃତ ହୋଇଛନ୍ତି । ୨୦୧୯ ଜୁନ୍ ୩୦ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ମାତ୍ର ୬୮୫୦ ଜଣଙ୍କୁ ଗ୍ରୁପ୍ ଏ, ବି, ସି ଓ ଡି ଅନ୍ତର୍ଗତ କେନ୍ଦ୍ରୀୟ ସଶସ୍ତ୍ରବଳ, ବ୍ୟାଙ୍କ ପିଏସ୍ୟୁ ଓ ବିଭିନ୍ନ ବିଭାଗରେ ଚାକିରି ମିଳିଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୨୦୧୯ ସୁଦ୍ଧା ମାତ୍ର ୧୪୧୬୫ ପୂର୍ବତନ ସୈନିକ ଚାକିରି ପାଇଛନ୍ତି ।
ଅଗ୍ନିପଥ ସ୍କିମ୍ ଅନୁସାରେ ପ୍ରତିବର୍ଷ ପ୍ରାୟ ୫୦ ହଜାର ସୈନିକ ନିଯୁକ୍ତି ପାଇବେ । ପ୍ରଥମ ବ୍ୟାଚ୍ ୨୦୨୩ରେ ନିଯୁକ୍ତି ପାଇବେ । ଚାରିବର୍ଷ ପରେ ଅର୍ଥାତ୍ ୨୦୨୭ରେ ୨୫ ପ୍ରତିଶତ (ପ୍ରାୟ ୧୦-୧୨ ହଜାର) ଅଗ୍ନିବୀରଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ମିଳିବ । ଅବଶିଷ୍ଟ ୭୫ ପ୍ରତିଶତ (୩୫-୩୭.୫ ହଜାର) ଜବାନ ରିଟାର୍ଡ କରିବେ । ଏଥିରୁ ସ୍ପଷ୍ଟରେ ୨୦୨୭ ପରେ ପ୍ରତିବର୍ଷ ପ୍ରାୟ ୩୭ ହଜାର ଅଗ୍ନିବୀରଙ୍କୁ ଅବସର ଦିଆଯିବ ।
ପୁରୁଣା ନିୟମ ଅନୁଯାୟୀ ପାରାମିଲିଟାରୀ ଫୋର୍ସରେ ସହକାରୀ କମାଣ୍ଡର ସ୍ତର ପର୍ଯ୍ୟନ୍ତ ୧୦ ପ୍ରତିଶତ ପଦରେ ପୂର୍ବତନ ସୈନିକମାନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଉଛି । ସେହିପରି ଗ୍ରୁପ୍ ସି’ରେ ୧୦ ପ୍ରତିଶତ, ଗ୍ରୁପ୍ ଡି’ରେ ୨୦ ପ୍ରତିଶତ ପ୍ରତ୍ୟକ୍ଷ ନିଯୁକ୍ତି ବ୍ୟବସ୍ଥା ଅଛି । ଅବସରପ୍ରାପ୍ତ ସୈନିକମାନଙ୍କ ଥଇଥାନ ପାଇଁ ରିଟେଲ୍ ପମ୍ପ ଆବଣ୍ଟନ, ସିଏନ୍ଜି ଷ୍ଟେସନ୍ ପରିଚାଳନା, ଏଲ୍ପିଜି ଡିଷ୍ଟି୍ରବୁଟର, ସିକୁ୍ୟରିଟି ଏଜେନ୍ସି ସ୍ଥାପନ, ମଦର ଡାଏରୀ ମିଲ୍କ ବୁଥ୍ ଓ ସରକାରୀ ପନିପରିବା/ଫଳ ଦୋକାନ ଖୋଲିବା ଇତ୍ୟାଦିରେ ସେମାନଙ୍କୁ ପ୍ରାଥମିକତା ଦିଆଯାଉଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ମଧ୍ୟ ଅବସରପ୍ରାପ୍ତ ସୈନିକମାନଙ୍କୁ ନିଯୁକ୍ତି ସୁବିଧା ମିଳୁଛି ।