ଭାରତ ମାଗିଲା ୭ଲକ୍ଷ କୋଟି କ୍ଷତିପୂରଣ
ଆମେରିକା ଭଳି ଧନୀ ରାଷ୍ଟ୍ର ଦେବେ ଜରିମାନା
ନୂଆଦିଲ୍ଲୀ (ଏଜେନ୍ସି): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ୱ ପାଇଁ ଏକ ମହାବିପଦ ହୋଇ ଉଭା ହୋଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପାୟନ, ମୌସୁମୀରେ ଅନିୟମିତତା, ଅତ୍ୟଧିକ ଗରମ ନଚେତ୍ ଅତ୍ୟଧିକ ବର୍ଷା, ବନ୍ୟା, ହିମସ୍ଖଳନ, ସମୁଦ୍ରଜଳସ୍ତର ବୃଦ୍ଧି ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବା ଆରମ୍ଭ ହୋଇଯାଇଛି । ତେବେ ସଦ୍ୟ ସାମ୍ନାକୁ ଆସିଥିବା ଏକ ରିପୋର୍ଟକୁ ନେଇ ପୁଣିଥରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଭଳି ଏକ ବୃହତ୍ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁସାରେ ଏବେ ପୁଣିଥରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଅନ୍ତର୍ଜାତୀୟ ମଞ୍ଚରେ ଆଲୋଚନା ହୋଇଥିବା ଏବଂ ଏଥିରେ ଭାରତ ଆମେରିକା ଭଳି ବିକଶିତ ତଥା ବୃହତ୍ ଅର୍ଥନୀତି ସମ୍ପତ୍ତି ଦେଶଙ୍କ ଠାରୁ ୭ଲକ୍ଷ କୋଟି ଜରିମାନା ଅର୍ଥ ଦାବି କରିଥିବା ଜାଣିବାକୁ ମିଳିଛି । ଭାରତର ଏପ୍ରକାର ବିବୃତି ଏବେ ଅନ୍ତର୍ଜାତୀୟ ମହଲରେ ଏକ ବଡ଼ ହଲଚଲ୍ ସୃଷ୍ଟି କରିଦେଇଛି ।
ଭାରତରେ ପ୍ରତ୍ୟେକ ବର୍ଷ ଭୀଷଣ ଗରମ ଯୋଗୁ ହାରାହାରି ୮୩ହଜାର ଲୋକ ପ୍ରାଣ ହରାଉଛନ୍ତି । ସେହିପରି ଅତ୍ୟଧିକ ଥଣ୍ଡା କାରଣରୁ ପ୍ରତ୍ୟେକ ବର୍ଷ ୬.୩ଠ ଲକ୍ଷ ଲୋକ ମୃତୁ୍ୟବରଣ କରୁଛନ୍ତି । ପାଣିପାଗ ବା ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ପ୍ରତ୍ୟେକ ବର୍ଷ ୫ଠଲକ୍ଷ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହେଉଛନ୍ତି । ତେବେ ଭାରତବାସୀ ଭୋଗୁଥିବା ଏପ୍ରକାର ସ୍ଥିତି ପାଇଁ ଭାରତର କୌଣସି ଦୋଷ ନାହିଁ । ବରଂ ଆମେରିକା ତଥା ଅନ୍ୟ ପାଶ୍ଚାତ୍ୟ ଦେଶଙ୍କ କୁକର୍ମ ଯୋଗୁ ଭାରତୀୟ ଏପ୍ରକାର ଦଶା ଭୋଗୁଛନ୍ତି । ଜର୍ମାନର ବୋନ୍ ସହରରେ ଗ୍ଲୋବାଲ୍ କ୍ଲାଇମେଟ୍ ଚେଞ୍ଜ୍ (ବିଶ୍ୱ ଜଳବାୟୁ ପରିବର୍ତ୍ତନ) ସମ୍ପର୍କରେ ଆୟୋଜିତ ଶିଖର ସମ୍ମିଳନୀରେ ଏପ୍ରକାର ସ୍ଥିତି ପାଇଁ ଧନୀ ଦେଶଗୁଡ଼ିକୁ ସିଧାସଳଖ ଦାୟୀ କରିବା ସହ ଏଥିପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ଜରିମାନା ଅର୍ଥ ପୈଠ କରିବା ଉଚିତ୍ ବୋଲି ଦାବି ଉପସ୍ଥାପନ କରିଥିବା ଜାଣିବାକୁ ମିଳିଛି ।
ଆମେରିକା ଭଳି ଧନୀ ଦେଶଗୁଡ଼ିକ ସମ୍ମୁଖରେ ଭାରତ ଯୁକ୍ତି ବାଢ଼ିଛି ଯେ, ବାୟୁମଣ୍ଡଳରେ ବଢ଼ୁଥିବା ଅଙ୍ଗାରକାମ୍ଳ ସ୍ତର ପାଇଁ ମୁଖ୍ୟତଃ ଧନୀ ରାଷ୍ଟ୍ରଗୁଡ଼ିକ ଦାୟୀ । ଧନୀ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ହିଁ ବାୟୁମଣ୍ଡଳକୁ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ ହୋଇଆସୁଛି ଏବଂ ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନ ସହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଛି । ସୁତରାଂ ଏସବୁ ଦେଶଙ୍କ ପାଇଁ ଅନ୍ୟ ଦେଶଗୁଡ଼ିକ (ଅପେକ୍ଷାକୃତ୍ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ରାଷ୍ଟ୍ର) ପ୍ରଭାବିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଧନୀ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ରାଷ୍ଟ୍ରଙ୍କୁ କ୍ଷତିପୂରଣ ଦେବା ଉଚିତ୍ । ପ୍ରକାଶ ଯେ, ପୂର୍ବରୁ ଭାରତ ସର୍ବାଧିକ କୋଇଲା ବ୍ୟବହାର କରୁଥିବା ଏବଂ ଏହାଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଉଥିବା ଆମେରିକା ସମେତ ଅନ୍ୟ ବିକଶିତ ତଥା ଧନୀ ରାଷ୍ଟ୍ରଗୁଡ଼ିକ ଅଭିଯୋଗ କରିଆସୁୂଥିଲେ । କିନ୍ତୁ ଜୁନ୍ ୬ତାରିଖରୁ ୧୬ ତାରିଖ ଯାଏ ଜର୍ମାନୀରେ ଅନୁଷ୍ଠିତ ହୋଇଯାଇଥିବା ଶିଖର ସମ୍ମିଳନୀରେ ଭାରତ,ଏହି ଅଭିଯୋଗକାରୀ ଧନୀ ରାଷ୍ଟ୍ରଗୁଡ଼ିକଙ୍କୁ ହିଁ ସେମାନଙ୍କ ଅସଲ ଛବି ଦେଖାଇଦେଇଛି । ଭାରତ ପକ୍ଷରୁ ଲାନ୍ସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟକୁ ଏହି ପରିପ୍ରେକ୍ଷୀରେ ଉପସ୍ଥାପନ କରାଯାଇଥିଲା । ଏଥିରେ ଭାରତ ବିରୋଧରେ ସର୍ବାଧିକ ଅଭିଯୋଗ ଉଠାଉଥିବା ଆମେରିକା ହିଁ ବାୟୁମଣ୍ଡଳକୁ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ପ୍ରମାଣ ସହିତ ଉପଲବ୍ଧ ରହିଛି । ଲାନ୍ସେଟ୍ ରିପୋର୍ଟ ଅନୁସାରେ ଆମେରିକା ହିଁ ସର୍ବାଧିକ (୪ଠ%) ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଦେଶ । ଏହି ପରିପ୍ରେକ୍ଷୀରେ ଭାରତ ଦର୍ଶାଇଛି ଯେ, ବିଶ୍ୱର ୧ଠ% ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ୫୨% ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ବେଳେ ବାକି ୯ଠ% ଜନସଂଖ୍ୟା ପୂର୍ଣ୍ଣ ଦେଶଗୁଡ଼ିକ ୪୮% ଅଙ୍ଗାରକାମ୍ଳ ନିର୍ଗମନ କରୁଛନ୍ତି ।
ପ୍ରକାଶ, ୨ଠଠ୯ରେ ଦକ୍ଷିଣଆଫ୍ରିକାର କୋପନହେଗନ୍ ସହରରେ ଆୟୋଜିତ ଶିଖର ସମ୍ମିଳନୀ ଅବସରରେ ଧନୀ ଦେଶଗୁଡ଼ିକ, ଭାରତ ଭଳି ଅନ୍ୟ ବିକାଶଶୀଳ ଦେଶଗୁଡ଼ିକୁ ବାର୍ଷିକ ମୋଟ୍ ୭.୮ଠ ଲକ୍ଷ କୋଟି ଜରିମାନା ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅର୍ଥକୁ ଅଙ୍ଗାରକାମ୍ଳ ସ୍ତର ହ୍ରାସ କରିବା ପରିପ୍ରେକ୍ଷୀରେ ବିନିଯୋଗ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଧନୀ ଦେଶଗୁଡ଼ିକ ଜରିମାନା ଅର୍ଥ ପୈଠ କରିବା ପ୍ରତିଶ୍ରୁତିରୁ ଓହରିଯାଇଥିଲେ । ସୂଚନାଯୋଗ୍ୟ, ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକ ନିଜ ଅର୍ଥନୀତିକୁ ସୁଦୃଢ଼ କରିବା ପପରିପ୍ରେକ୍ଷୀରେ ପରିବେଶ ପ୍ରଦୂଷଣ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ହିଁ ଅଣଦେଖା କରିଦେଉଛନ୍ତି । ଶିଳ୍ପୋଦ୍ୟୋଗ ପରିମାଣ ବୃଦ୍ଧି ଠାରୁ ଆରମ୍ଭ କରି ପ୍ରାୟ ସବୁକିଛି କରୁଛନ୍ତି ଯାହାକି ଏହି ସବୁ ଦେଶଗୁଡ଼ିକୁ ପୁଞ୍ଜିଗତସ୍ତରରେ ତ ଅଧିକରୁ ଅଧିକ ସମ୍ବୃଦ୍ଧ କରୁଛି କିନ୍ତୁ ପରୋକ୍ଷରେ ଅତ୍ୟଧିକ ଅଙ୍ଗାରକାମ୍ଳ ଉତ୍ପାଦନ ପୂର୍ବକ ବାୟୁୂମଣ୍ଡଳକୁ ରୁଗ୍ଣ କରିଦେଉଛନ୍ତି । ପରିଣାମସ୍ୱରୂପ ବିଶ୍ୱ ତାପାୟନ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଭଳି ଅବାଞ୍ଝôତ ସମସ୍ୟା ବିଶ୍ୱ ସମ୍ମୁଖରେ ସୃଷ୍ଟି ହେବାରେ ଲାଗିଛି । ଏହା ଉପରେ ଅନ୍ତର୍ଜାତୀୟ ମଞ୍ଚରେ ଅନେକ ସମୟରେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଆସୁଛି । ଜଳବାୟୁ ପରିବର୍ତ୍ତନଜନିତ ଭୟାବହ ସ୍ଥିତି ସମ୍ପର୍କରେ ମଧ୍ୟ ପରିବେଶବିତ୍ ପୂର୍ବାନୁମାନ ଲଗାଇଆସୁଛନ୍ତି । କିନ୍ତୁ ଏସବୁଥିରୁ କୌଣସି ସୁଫଳ ମିଳିନାହିଁ । ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ବଡ଼ ବଡ଼ ଅନ୍ତର୍ଜାତୀୟ ସଂଗଠନ ଉଦ୍ବେଗ ପ୍ରକାଶ କରିଆସୁଛନ୍ତି ଏବଂ ସବୁ ଦେଶଙ୍କୁ ଏସମ୍ପର୍କରେ ସଚେତନ ତଥା ସମ୍ବେଦନ ରହିବାକୁ ପରାମର୍ଶ ଦେଇଆସୁଛନ୍ତି । ସବୁ ଦେଶ ନିଜ ହିସାବରେ ମଧ୍ୟ ଅପେକ୍ଷାକୃତ କମ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଆସୁଛନ୍ତି । ତେବେ ହାତଗଣତି କିଛି ଦେଶଙ୍କୁ ବାଦ୍ ଦେଲେ ଅନ୍ୟ ଦେଶଗୁଡ଼ିକ ସେପରି କିଛି ବି କରିନାହାନ୍ତି । ଫଳତଃ ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଏବେ ଦେଶ-ଦେଶ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କେବଳ ଆରୋପ-ପ୍ରତ୍ୟାରୋପ ନୁହେଁ, ବରଂ ଏବେ ଏଥିପାଇଁ ଗୋଟିଏ ଦେଶ ଅନ୍ୟ ଦେଶଙ୍କ ଉପରେ ଜରିମାନା ଅର୍ଥ ଦାବି କରିବା ଆରମ୍ଭ କରିଦେଇଛନ୍ତି ।