ସୁପ୍ରିମ୍କୋର୍ଟରେ ଅଗ୍ନିପଥ
ନୂଆଦିଲ୍ଲୀ, ୧୮ା୬: ‘ଅଗ୍ନିପଥ’ ବିରୋଧୀ ଆନେ୍ଦାଳନ ଦିନକୁ ଦିନ ତେଜୁଥିବାବେଳେ କେନ୍ଦ୍ର ସରକାର କୌଣସି ପରିସ୍ଥିତିରେ ଏହାକୁ ପ୍ରତ୍ୟାହାର କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଅପରପକ୍ଷେ ଅଧିକାଂଶ ବିରୋଧୀ ଦଳ, ଏପରିକି ଶାସକ ଏନ୍ଡିଏର କେତେକ ସହଯୋଗୀ ଦଳ ଏହି ନୂଆ ଯୋଜନାକୁ ଖୋଲାଖୋଲି ଭାବେ ଅଗ୍ରାହ୍ୟ କରି ବିକ୍ଷୋଭକାରୀ ଛାତ୍ରମାନଙ୍କୁ ସମର୍ଥନ ଜ୍ଞାପନ କରିବା ଯୋଗୁଁ ଆନେ୍ଦାଳନ ଆଗାମୀ ଦିନରେ ବ୍ୟାପକ ହେବା ଆଶଙ୍କା ପ୍ରକାଶ ପାଇଛି । ଅଗ୍ନିପଥ ବିବାଦ ସୁପ୍ରିମ୍କୋର୍ଟରେ ପହଞ୍ଚôଛି । ଶନିବାର ଶୀର୍ଷ ଅଦାଲତରେ ଆଡ୍ଭୋକେଟ୍ ବିଶାଲ ତିୱାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍)ରେ କେନ୍ଦ୍ର ସରକାର ସମେତ ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିଆଣା, ବିହାର ଓ ତେଲେଙ୍ଗାନା ସରକାରଙ୍କୁ ପକ୍ଷ କରାଯାଇଛି । ଗଣହିସାଂକାଣ୍ଡର ତଦନ୍ତ ପାଇଁ ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସ୍ଆଇଟି) ଗଠନ ସହ ଅଗ୍ନିପଥ ଯୋଜନା ପାଇଁ ସର୍ବୋଚ୍ଚ ଅଦାଲତର କୌଣସି ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ ଲାଗି ନିବେଦନ କରାଯାଇଛି । କମିଟିଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନାକୁ ସ୍ଥଗିତ ରଖିବା ଲାଗି ସେଥିରେ ଆବେଦନ କରାଯାଇଛି ।
ରାଜସ୍ଥାନରେ ଏନ୍ଡିଏର ସହଯୋଗୀ ଦଳ ଆର୍ଏଲ୍ପିର ନେତା ହନୁମାନ ବେନିୱାଲ୍ ପ୍ରଥମରୁ ଅଗ୍ନିପଥକୁ ବିରୋଧ କରିଆସୁଛନ୍ତି । ବିହାରରେ ‘ଅଗ୍ନିପଥ’ ଯୋଗୁଁ ବିଜେପି ଓ ତାର ସହଯୋଗୀ ଜେଡିୟୁ ମୁହାଁମୁହିଁ ହୋଇଛନ୍ତି । ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସ୍ୱାଲ୍ ରାଜ୍ୟରେ ଯୁବକମାନଙ୍କ ହିଂସ୍ର ବିକ୍ଷୋଭ ଉପରେ ବିବୃତି ଦେଇ ପୁଲିସ-ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜୟସ୍ୱାଲ୍ ଶନିବାର କହିଛନ୍ତି ବିରୋଧ କରିବାରେ କିଛି ଭୁଲ୍ ନାହିଁ, କିନ୍ତୁ ପ୍ରଶାସନର ଇସାରାରେ ବିଜେପି ନେତାଙ୍କୁ ଟାର୍ଗେଟ୍ କରିବା ଠିକ୍ ନୁହେଁ । ଭାରତରେ ଯାହା ହେଉନି ବିହାରରେ ତାହା ହେଉଛି । ଆମ ନେତାମାନଙ୍କ ଉପରେ ଆକ୍ରମଣ ହେଉଥିବାବେଳେ ପୁଲିସ ମୂକ ଦର୍ଶକ ସାଜିଛି । ଉଲ୍ଲେଖଯୋଗ୍ୟ ଯେ ବିଜେପି ଅଧ୍ୟକ୍ଷଙ୍କ ଏହି ବିବୃତି ପରେ ବିହାରର ୧୦ ଜଣ ବିଜେପି ନେତାଙ୍କ ସୁରକ୍ଷା ବଢାଇ ସେମାନଙ୍କୁ ୱାଇ କାଟିଗରୀ ସିକ୍ୟୋରିଟି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଜୟସ୍ୱାଲ୍ଙ୍କୁ ଜବାବ ଦେବାକୁ ଯାଇ ଜେଡିୟୁ ଅଧ୍ୟକ୍ଷ ରଞ୍ଜୀବ ରଞ୍ଜନ କହିଛନ୍ତି, ଅଗ୍ନିପଥ ଯୋଜନା ସମ୍ବନ୍ଧୀୟ ସନେ୍ଦହ ଦୂର କରିବା ପରିବର୍ତ୍ତେ ନୀତୀଶ କୁମାରଙ୍କ ପ୍ରଶାସନ ବିରୋଧରେ ବିଜେପି ଅଭିଯୋଗ କରୁଛି । ବିଜେପି ଶାସିତ ରାଜ୍ୟଗୁଡିକରେ ହିଂସା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି? ଆମେ କ’ଣ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇବା ଠିକ୍ ହେବ?
ଗତ ସପ୍ତାହରେ ଆର୍ଏସ୍ଏସ୍ ମୁଖପତ୍ର କୁହାଯାଉଥିବା ଅର୍ଗାନାଇଜରରେ ନୀତୀଶ କୁମାରଙ୍କ ‘ସୁଶାସନ’କୁ ତାଚ୍ଛଲ୍ୟ କରାଯାଇଥିଲା । ପରେ ପରେ ଆସିଲା ଅଗ୍ନିପଥ ଯୋଜନା । ବିହାରୀ ଯୁବକମାନେ ଉଗ୍ର ବିକ୍ଷୋଭ କରିବା ମଧ୍ୟରେ ବିଜେପି ନେତାମାନଙ୍କୁ ଆକ୍ରମଣ କରିବାକୁ ପଛାଇଲେ ନାହିଁ । ରାଜ୍ୟ ପୁଲିସ୍ ପ୍ରଶାସନ ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେଇପାରିଲା ନାହିଁ । କେବଳ ଅଗ୍ନିପଥ ନୁହେଁ, ପ୍ରତ୍ୟେକ ପ୍ରସଙ୍ଗରେ ବିଜେପି ଓ ଜେଡିୟୁ ମଧ୍ୟରେ ଅସହମତି ସୃଷ୍ଟି ହେଉଛି । ଦୁଇପକ୍ଷ ନେତା ପରସ୍ପର ବିରୋଧରେ ବିବୃତି ଦେଉଛନ୍ତି । ଏହିସବୁ ଦୃଷ୍ଟିରୁ ବିଜେପି ଓ ଜେଡିୟୁ ମେଣ୍ଟ ଖୁବ୍ଶୀଘ୍ର ଭାଙ୍ଗିଯିବା ଆଶଙ୍କା ପ୍ରକାଶ ପାଇଛି ।
ଶନିବାର ରାଜସ୍ଥାନ କ୍ୟାବିନେଟ୍ରେ ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଏକ ପ୍ରସ୍ତାବ ପାରିତ ହୋଇଛି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଧ୍ୟ ଅଗ୍ନିପଥ ସ୍କିମ୍ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
ଶନିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଗ୍ନିପଥ-ବିରୋଧୀ ଆନେ୍ଦାଳନକୁ ସମର୍ଥନ ଜଣାଇଛନ୍ତି । ତାଙ୍କ ତରଫରୁ କଂଗ୍ରେସ ମହାସଚିବ ଜୟରାମ ରମେଶ ଯୁବପିଢି ଉଦେ୍ଦଶ୍ୟରେ ସମ୍ବୋଧିତ ଏକ ପତ୍ର ଜାରି କରିଛନ୍ତି । ହସ୍ପିଟାଲ୍ରେ ଥିବା ସୋନିଆଙ୍କ ଉକ୍ତ ପତ୍ରରେ କୁହାଯାଇଛି ଯେ, ଅଗ୍ନିପଥ ଯୋଜନା ମୋଦି ସରକାରଙ୍କ ଏକ ଦିଶାହୀନ ପଦକ୍ଷେପ । ଏହି ଯୋଜନା ନେଇ ଅନେକ ପୂର୍ବତନ ପ୍ରତିରକ୍ଷାଧିକାରୀ ଓ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ସେନାରେ ଲକ୍ଷାଧିକ ପଦ ଖାଲି ହେବା ସତ୍ତ୍ୱେ ଗତ ତିନିବର୍ଷ ଭିତରେ ସେଗୁଡିକୁ ପୂରଣ କରାଯାଇ ନାହିଁ । ଏୟାରଫୋର୍ସରେ ନିଯୁକ୍ତି ପାଇଁ ପରୀକ୍ଷା ଦେଇ ଫଳ ଅପେକ୍ଷାରେ ଥିବା ଯୁବକଯୁବତୀଙ୍କ ପ୍ରତି ସୋନିଆ ସହାନୁଭୂତି ବ୍ୟକ୍ତ କରିବା ସହ କହିଛନ୍ତି ଆନେ୍ଦାଳନକାରୀ ଯୁବକମାନଙ୍କ ପଛରେ ଭାରତୀୟ ଜାତୀୟ କଂଗ୍ରେସ ଦୃଢ ଭାବେ ଛିଡା ହୋଇଛି । ଅଗ୍ନିପଥ ପ୍ରତ୍ୟାହାର ପାଇଁ କଂଗ୍ରେସ ସଂଘର୍ଷ କରିବ ବୋଲି ସୋନିଆ ପ୍ରତିଶ୍ରୁତି ଦେଇଛନ୍ତି ।