ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ଟି-୨୦
ବେଙ୍ଗାଲୁରୁ, ୧୮ା୬ (ଏଜେନ୍ସି): ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାର ହେବାକୁ ଥିବା ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତର ଯୁବ ଟିମ୍ ନିଜ ଦୁର୍ବଳତାକୁ ଅତିକ୍ରମ କରି ଐତିହାସିକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଶୃଙ୍ଖଳା ୨-୨ ସ୍ଥିତିରେ ଥିବାରୁ ଭ୍ରମଣକାରୀ ଟିମ୍ ପାଇଁ ମଧ୍ୟ ଏହି ମ୍ୟାଚ୍ ସମାନ ରୂପେ ଗୁରୁତ୍ୱପୂର୍ଣ୍ଣ ।
ଟିମ୍ ଇଣ୍ଡିଆ ଆଠ ଦିନ ମଧ୍ୟରେ ଚାରିଟି ମ୍ୟାଚ୍ ଖେଳିଥିଲା ଏବଂ ଚୂଡ଼ାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖିଥିଲା । ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ଭାରତ ଦମ୍ଦାର ପ୍ରତ୍ୟାବର୍ତ୍ତନ କରି ତୃତୀୟ ମ୍ୟାଚ୍କୁ ୪୮ ରନ୍ ଓ ଚତୁର୍ଥ ମ୍ୟାଚ୍କୁ ୮୨ ରନ୍ରେ ଜିତିଥିଲା । ଏ ଯାବତ୍ ଘରେ କୌଣସି ଅଧିନାୟକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳା ଜିତି ନାହାନ୍ତି । ଅଧିନାୟକ ରିଷଭ ପନ୍ତଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି ।
ଏନ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଯେତେବେଳେ ଉଭୟ ଟିମ୍ ମଇଦାନକୁ ଓହ୍ଲାଇବେ, ଭାରତୀୟ ଟିମ୍ ବିଜୟର ମଜଭୁତ ଦାବିଦାର ରହିବ । ତେମ୍ବା ବାଭୁମା ଯଦି ଆଘାତରୁ ସୁସ୍ଥ ହୋଇପାରିବେନି, ଦକ୍ଷିଣ ଆଫ୍ରିକାକୁ ତାଙ୍କ ଅଭାବ ଅନୁଭୂତ ହେବ । ପୂର୍ବ ଦୁଇ ମ୍ୟାଚ୍ରେ ଅସମାନ ବାଉନ୍ସ କରୁଥିବା ପିଚ୍ରେ ସେମାନେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିଲେ, ଯାହା ଫଳରେ ଭାରତୀୟ ଆକ୍ରମଣ ବେଶ୍ ଶାଣିତ ଜଣାପଡ଼ିଥିଲା । ଏହି ଶୃଙ୍ଖଳାରେ ଭାରତୀୟ ଟିମ୍ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହିଁ, କିନ୍ତୁ ଦୁଇଟି ମ୍ୟାଚ୍ରେ ହାରିବା ପରେ ପ୍ରତ୍ୟାବର୍ତ୍ତନ କରିଥିବା ଯୋଗୁଁ ପ୍ରଶଂସାର ଯୋଗ୍ୟ ।
ପନ୍ତ ଅଧିନାୟକତ୍ୱରେ କୌଣସି କମାଲ୍ କରିପାରି ନାହାନ୍ତି ଏବଂ ତାଙ୍କ ବ୍ୟାଟିଂ ବି ଆଶାଜନକ ହୋଇପାରି ନାହିଁ । ଯଦି ଭାରତ ଏହି ଶୃଙ୍ଖଳା ଜିତେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ସହ ପନ୍ତ ବି ନେତୃତ୍ୱ ଦଳର ଅଂଶବିଶେଷ ହେବେ, କାରଣ ୨୦୨୩ ବିଶ୍ୱକପ୍ ପରେ ଭାରତୀୟ ଟିମ୍ ପୁଣି ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଗତି କରିବ ।
ଦ୍ରାବିଡ଼ ଶୀର୍ଷ-୩ରେ ପରିବର୍ତ୍ତନର ସମ୍ଭାବନା ଉପରେ ବିଚାର କରିପାରନ୍ତି । ଋତୁରାଜ ଗାଏକୱାଡ଼ ବର୍ତ୍ତମାନର ଟେକ୍ନିକ୍ ସହିତ ଉତ୍ତମ ପିଚ୍ରେ ଭଲ ଆକ୍ରମଣ ଆଗରେ ଦୁର୍ବଳ ସାବ୍ୟସ୍ତ ହୋଇଛନ୍ତି । ଈଶାନ କିଶନଙ୍କ ପାଖରେ ସୀମିତ ସଟ୍ ଅଛି । ଶୃଙ୍ଖଳାରେ ସେ ଯଥେଷ୍ଟ ରନ୍ କରିଥିଲେହେଁ ଅଷ୍ଟ୍ରେଲିଆର ପିଚ୍ରେ ଅତିରିକ୍ତ ବେଗ ଓ ବାଉନ୍ସ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଶ୍ରେୟାସ ଆୟର ପୂରା ଶୃଙ୍ଖଳା ଖେଳିବାକୁ ମିଳିଲା, ହେଲେ ସେ ଏହି ସୁଯୋଗର ସଦୁପଯୋଗ କରିପାରି ନ ଥିଲେ । ଭାରତୀୟ ଟିମ୍ ଆଗକୁ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ, ଯେଉଁଥିରେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ ।
ଆଇସିସି ଟୁର୍ଣ୍ଣାମେଣ୍ଟ ଥିବା ବର୍ଷରେ ଦିନେଶ କାର୍ତ୍ତକ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି । ଆୟରଲାଣ୍ଡରେ ସେ ୱିକେଟ୍କିପିଂର ଦାୟିତ୍ୱ ମଧ୍ୟ ତୁଲାଇବେ । ଟି-୨୦ ବିଶ୍ୱକପ୍ରେ ଯଦି ତାଙ୍କୁ ୱିକେଟ୍କିପର୍-ବ୍ୟାଟର୍ର ଭୂମିକା ଦିଆଯାଏ, ତା’ହେଲେ ତାଙ୍କ ବର୍ତ୍ତମାନ ଫର୍ମକୁ ଦେଖିଲେ ଏଥିରେ ଆଶ୍ଚର୍ଯ୍ୟ ବୋଧ ହେବ ନାହିଁ ।
ବୋଲିଂରେ ଭୁବନେଶ୍ୱର କୁମାରଙ୍କୁ ନୂଆ ବଲ୍ରୁ ସୁଇଙ୍ଗ୍ ମିଳୁଛି । ଆଭେଶ ଖାଁ ଭଲ ବାଉନ୍ସର ପକାଉଛନ୍ତି ଏବଂ ସେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ରେ ଟିମ୍ରେ ସ୍ଥାନ ପାଇବାର ଦୃଢ଼ ଦାବିଦାର । ଏହି ଶୃଙ୍ଖଳାରେ ସ୍ପିନର୍ଙ୍କ ପ୍ରଦର୍ଶନ ଆଶା ଅନୁରୂପ ହୋଇପାରି ନାହିଁ । ଅକ୍ଷର ପଟେଲ୍ ବିବିଧତା ଆଣିପାରି ନାହାନ୍ତି ଏବଂ ଚହଲ ମଧ୍ୟ ଲଗାତାର ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *