ବର୍ଷା ଛଡ଼ାଇନେଲା ସୁଯୋଗ
ବେଙ୍ଗାଲୁରୁ, ୧୯ା୬ (ଏଜେନ୍ସି): ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଖରେ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଥର ଟି-୨୦ ଶୃଙ୍ଖଳା ଜିତିବାର ସୁଯୋଗ ଥିଲା । ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ମ୍ୟାଚ୍କୁ ସହଜରେ ଜିତିଥିବା ଆୟୋଜକ ଟିମ୍ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲା ଉପରେ ବର୍ଷା ଦାଉ ସାଧିଥିଲା ଏବଂ ସେହି ପ୍ରତୀକ୍ଷିତ ସୁଯୋଗକୁ ଛଡ଼ାଇ ନେଇଥିଲା । ବର୍ଷା ଯୋଗୁଁ ମାତ୍ର ୩.୩ ଓଭର୍ ଖେଳ ସମ୍ଭବ ହୋଇଥିଲା ଏବଂ ଶେଷରେ ମ୍ୟାଚ୍କୁ ବାତିଲ୍ କରାଯାଇଥିଲା । ଏହାଫଳରେ ଶୃଙ୍ଖଳା ୨-୨ ବରାବର ସ୍ଥିତିରେ ଶେଷ ହୋଇଛି । ଭାରତୀୟ ପେସର୍ ଭୁବନେଶ୍ୱର କୁମାର ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
ପୁଣି ଟସ୍ ଜିତିଲା ଦ. ଆଫି୍ରକା
ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବାଭୁମା ଆଘାତ ଯୋଗୁଁ ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ କେଶବ ମହାରାଜ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏନ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ କେଶବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତ୍ରିସ୍ତାନ ଷ୍ଟବ୍ସ, ରୀଜା ହେଣ୍ଡ୍ରିକ୍ସ ଓ କାଗିସୋ ରାବାଡ଼ା ଟିମ୍କୁ ଫେରିଥିବା ବେଳେ ବାଭୁମାଙ୍କ ସମେତ ମାର୍କୋ ଜାନ୍ସେନ୍ ଓ ତାବରେଜ୍ ଶାମ୍ସୀ ବାଦ୍୍ ପଡ଼ିଥିଲେ । ଅନ୍ୟପଟେ, କ୍ରମାଗତ ପଞ୍ଚମ ମ୍ୟାଚ୍ରେ ବି ଟିମ୍ ଇଣ୍ଡିଆ ଅପରିବର୍ତ୍ତିତ ରହିଥିଲା ।
ଏଥି ପୂର୍ବରୁ ଉଭୟ ଟିମ୍ ମଧ୍ୟରେ ୧୯ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା । ସେଥି ମଧ୍ୟରୁ ଟିମ୍ ଇଣ୍ଡିଆ ୧୧ ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଆଠଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା ।
ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରେ ବିଳମ୍ବ
ବର୍ଷା ଯୋଗୁଁ ଆଉଟ୍ଫିଲ୍ଡ ଓଦା ଥିବା ଯୋଗୁଁ ମ୍ୟାଚ୍ ଆରମ୍ଭ ହେବାକୁ ବିଳମ୍ବ ହୋଇଥିଲା । ଟସ୍ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ତେବେ ବର୍ଷା ଛାଡ଼ିବା ପରେ କଭର୍ ଅପସାରିତ ହୋଇଥିଲା । ପ୍ରାୟ ୭ଟା ୫୦ ବେଳକୁ ମ୍ୟାଚ୍ ଆରମ୍ଭ ହୋଇଥିଲା । ମ୍ୟାଚ୍କୁ ୧୯-୧୯ ଓଭର୍ ବିଶିଷ୍ଟ କରାଯାଇଥିଲା ।
ଈଶାନ କିଶନ ଓ ଋତୁରାଜ ଗାଏକୱାଡ଼ ଇନିଂସ୍ ଓପନ୍ କରିଥିଲେ । ପ୍ରଥମ ଓଭର୍ରେ ଈଶାନଙ୍କ ଦୁଇଟି ଛକା ସହ ୧୬ ରନ୍ ହୋଇଥିଲା । ତେବେ ଦ୍ୱିତୀୟ ଓଭର୍ରେହିଁ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଈଶାନ (୭ ବଲ୍ରୁ ୧୫ ରନ୍) ଲୁଙ୍ଗି ଏନ୍ଗିଡ଼ିଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ୠତୁରାଜଙ୍କ ଇନିଂସ୍ ବି ବେଶୀ ବାଟ ଯାଇ ନ ଥିଲା । ସେ ମାତ୍ର ୧୦ ରନ୍ କରି ଏନ୍ଗିଡ଼ିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୨୭ ରନ୍ ମଧ୍ୟରେ ଦୁଇ ଓପନର୍ ପାଭିଲିଅନ୍ ଫେରିଥିଲେ ।
ଏହାପରେ ଶ୍ରେୟାସ ଆୟରଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଅଧିନାୟକ ରିଷଭ ପନ୍ତ । କିନ୍ତୁ ୩.୩ ଓଭର୍ରେ ଟିମ୍ର ସ୍କୋର୍ ୨୮/୨ ହୋଇଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ପୁଣି ବାଧାପ୍ରାପ୍ତ ହୋଇଥିଲା । ଶେଷ ଯାଏଁ ସ୍ଥିତି ଅନୁକୂଳ ନ ହେବାରୁ ଶେଷରେ ମ୍ୟାଚ୍କୁ ବାତିଲ୍ କରାଯାଇଥିଲା ।