୧୮ ଜିଲ୍ଲାକୁ ବର୍ଷା ଆଲର୍ଟ
ଖୁବ୍ଶୀଘ୍ର ପୂରା ରାଜ୍ୟକୁ ଅଗ୍ରସର ହେବ ମୌସୁମୀ
ଭୁବନେଶ୍ୱର,୧୮ା୬(ବୁ୍ୟରୋ): ବର୍ତ୍ତମାନ ସୁଦ୍ଧା ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇପାରି ନାହିଁ । ତଥାପି ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଏପରିସ୍ଥିତିରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ ୧୯ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶନିବାର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଝଡ଼ବର୍ଷା ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୮ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ।ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବଜ୍ରପାତ ଓ କଟକର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହୋଇପାରେ । ଅନ୍ୟପକ୍ଷରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲା ଗୁଡ଼ିକର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏବେ ଉପକୂଳମୁହାଁ ହୋଇଛି ମୌସୁମୀ । ଖୁବ୍ଶୀଘ୍ର ଉପକୂଳ ସମେତ ଆଭ୍ୟନ୍ତର ଓଡ଼ିଶାକୁ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ୧୮ ଜିଲ୍ଲା, ୨୦ ତାରିଖରେ ୨୨ ଜିଲ୍ଲା, ୨୧ ତାରିଖରେ ୧୮ ଏବଂ ୨୨ ତାରିଖରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି । ଅନ୍ୟପଟେ ଆସନ୍ତା ୨୪ ତାରିଖ ବେଳକୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବର୍ଷାର ପରିମାଣ ବଢ଼ିବ ବୋଲି ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗର ବିଶେଷଜ୍ଞ ଆକଳନ କରିଛନ୍ତି ।
ଶନିବାର ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ଂ ତଳକୁ ରହିଥିବା ଜଣାପଡ଼ିଛି । ସେଥିରୁ ଟିଟିଲାଗଡରେ ପାରଦ ୩୬.୮ଂ ରେକର୍ଡ କରାଯାଇଛି । ସେହିପରି ମାଲକାନଗିରି ୩୮.୫ଂ, ସୋନପୁର ୩୮.୩ଂ, ବଲାଙ୍ଗିର ୩୭ଂ, ତାଳଚେର ୩୪.୭ଂ, ଭବାନୀପାଟଣା ୩୩.୬ଂ, ବରଗଡ ୩୩.୪ଂ, ହୀରାକୁଦ ୩୩.୩ଂ, ସମ୍ବଲପୁର ୩୨.୮ଂ, ଝାରସୁଗୁଡା ୩୨ଂ, କେନ୍ଦୁଝର ଓ ସୁନ୍ଦରଗଡରେ ୩୪ଂ ତାପମାତ୍ରା ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୬.୪ଂ ଏବଂ କଟକରେ ୩୪.୨ଂ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି ।