ଦୁଇ ଗାଁ ମଧ୍ୟରେ ବିବାଦ: ଜଳ ଯାତ୍ରା ଠପ୍

-୩୫ ମୌଜା କମିଟି ତରଫରୁ ଧାରଣା – ବ୍ଲକ ଅଚଳ କରିବାକୁ ଚେତାବନୀ
ବ୍ରହ୍ମଗିରି (ଆପ୍ର): ସାମାନ୍ୟ ବଚସାକୁ କେନ୍ଦ୍ରକରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ର ତିତିପ ଓ ଆଳୁପାଟଣା ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ଶୁକ୍ରବାର ୩୫ ମୌଜା କମିଟିର ସମ୍ପାଦକ ବଟକୃଷ୍ଣ ତରେଇଙ୍କୁ ଆଳୁପାଟଣା ଗ୍ରାମର କିଛି ଯୁବକ ସାତପଡ଼ାରେ ମାଡ଼ ମାରିବା ପରେ ଚିଲିକାରେ ଭସା ପୋଲ, ଡଙ୍ଗା ସହ ସମସ୍ତ ଜଳଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରାଯାଇଛି । ଫଳସ୍ୱରୂପ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖିନ ହେବା ସହିତ ବ୍ରହ୍ମଗିରିରେ ଅଲାରନାଥ ଦର୍ଶନରୁ ବହୁ ଶ୍ରଦ୍ଧାଳୁ ବଞ୍ଚିତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଗତ ମହାବିଷୁବ ସଂକ୍ରାନ୍ତିରେ ଦେଉଳପଡ଼ାରେ ଅନୁଷ୍ଠିତ ଦ୍ୱିତୀୟ ବାଲିଯାତ୍ରାରେ ଆଳୁପାଟଣା ଓ ତିତିପ ଗାଁର କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ବିବାଦ ଘନେଇବାରୁ ୩୫ ମୌଜା ସଭାରେ ଆଲୋଚନା ହୋଇଥିଲା ହେଲେ ସମାଧାନ ହୋଇପାରି ନ ଥିଲା । ଚିଲିକା ମଧ୍ୟରେ ଥିବା ୩୫ ମୌଜାର ଲୋକେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ସାତପଡ଼ା ଦେଇ ଯାଇଥାନ୍ତି । ଏହାର ସୁଯୋଗ ନେଇ ଆଳୁପାଟଣାର କିଛି ଯୁବକ ସାତପଡ଼ାରେ ୩୫ ମୌଜାର ଲୋକଙ୍କୁ ମାଡ଼ ମାରିଥିଲେ । କିନ୍ତୁ ସମାଧାନ ପାଇଁ ୩୫ ମୌଜାର ନେତୃବୃନ୍ଦ ପ୍ରଶାସନର ସହଯୋଗ ନେଇଥିଲେ । ବହୁବାର ଆଲୋଚନା ପରେ ମଧ୍ୟ ବିବାଦର ସମାଧାନ ହୋଇ ପାରି ନ ଥିଲା । ଗତ ୧୬ ତାରିଖରେ ୩୫ ମୌଜା କମିଟି ତରଫରୁ କିଛି ସଦସ୍ୟ ଏକ ଯାତ୍ରା ପାର୍ଟିକୁ ଆଡ୍ଭାନ୍ସ ଦେବା ପାଇଁ ଗମ୍ଭାରୀ ଗାଁ ଯାଇଥିଲେ । ସେଠାରେ ସମ୍ପାଦକ ବଟକୃଷ୍ଣ ତରେଇଙ୍କୁ ଆଳୁପାଟଣାର କିଛି ଯୁବକ ଗାଡ଼ିରୁ ଓହ୍ଲାଇ ଦେଇ ମାଡ଼ ମାରିବା ସହିତ ତାଙ୍କୁ ଗାଁକୁ ନେଇ ଦୁଆର ଦୁଆର ବୁଲାଇଥିଲେ । ଏହାକୁ ନେଇ ଉତ୍ତେଜନା ଆହୁରି ବଢ଼ିଥିଲା ।
ଏହାପୂର୍ବରୁ ତିତିପର ବୃନ୍ଦାବନ ବାରିକଙ୍କୁ ସାତପଡାରେ କିଛି ଲୋକ ଉଠବସ କରାଇଥିଲେ । ସେହିଭଳି ଉଆସପଦର, ଗଉଡ଼ନୂଆଗାଁର ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଚିଲିକା ଯାତ୍ରାରୁ ସାତପଡ଼ାରେ ଓହ୍ଲାଉଥିବା ଲୋକଙ୍କ ଆଧାରକାର୍ଡ ଦେଖି ଚିହ୍ନଟ କରି ମାଡ଼ ମାରୁଥିଲେ ମଧ୍ୟ ସାତପଡ଼ା ପୁଲିସ ନିରବ ରହୁଥିବା ଅଭିଯୋଗ ହୋଇଛି । ଏଭଳି ଅମାନୁଷିକ ଆଚରଣର ବିଚାର ନ ହେବା ଯାଏ ଚିଲିକାରେ ଜଳଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବ୍ଲକ୍ର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ୩୫ ମୌଜା ତରଫରୁ ପ୍ରଶାସନକୁ ନିବେଦନ କରାଯାଇଥିବା ଜଣାପଡ଼ିଛି । ଏଥିସହିତ ୩୫ ମୌଜାର ୨୪୭୨ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ ଜହ୍ନିକୁଦା ଘାଟରେ ଧାରଣା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି । ୩୫ ମୌଜା ସଭାପତି ଦାମୋଦର ବିଶ୍ୱାଳ, ସମ୍ପାଦକ ବଟକୃଷ୍ଣ ତରେଇ, ଅଶୋକ କୁମାର ସାମନ୍ତସିଂହାର, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ତରେଇ ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଧାରଣାରେ ବସିଛନ୍ତି । ତହସିଲ୍ଦାର ଉଲ୍ଲାସ କୁମାର ସେଠୀ, ବିଡିଓ ମନୋଜ କୁମାର ନାୟକ, କୃଷ୍ଣପ୍ରସାଦ ଥାନା ଇନ୍ସପେକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ ୩୫ ମୌଜା ନେତାଙ୍କ ସହ ଆଲୋଚନା କରିଛନ୍ତି । ରଥଯାତ୍ରା ପରେ ଆଲୋଚନା କରିବା ପାଇଁ ପ୍ରଶାସନ ସମୟ ମାଗିଥିବା ବେଳେ କମିଟି ରାଜି ହୋଇ ନାହିଁ । ଏ ସଂକ୍ରାନ୍ତରେ ତହସିଲ୍ଦାର ଶ୍ରୀ ସେଠୀଙ୍କୁ ପଚାରିବାରେ ସେ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଗୋଚର କରିଥିବା କହିଛନ୍ତି । ନ୍ୟାୟ ନ ମିଳିବା ଯାଏଁ ଏହି ଧାରଣା ଚାଲିବା ସହ ବ୍ଲକ୍ର ସମସ୍ତ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଖୁବ୍ଶୀଘ୍ର ବିବାଦ ସମାଧାନ କରି ଜଳଯାତ୍ରା ଆରମ୍ଭ କରିବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *