ରାଷ୍ଟ୍ରପତି ପ୍ରାର୍ଥôତ୍ୱକୁ ଫାରୁକ୍ଙ୍କ ନା

ଶ୍ରୀନଗର (ଏଜେନ୍ସି): ସମ୍ପ୍ରତି ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଜାରି ରହିଥିବା ବେଳେ ଦେଶର ଦୁଇ ବରିଷ୍ଠ ନେତା ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ନା’ କହିସାରିଲେଣି । ପ୍ରଥମେ ଏନ୍ସିପି ନେତା ଶରଦ ପାୱାର ବିରୋଧୀ ଦଳଙ୍କ ପକ୍ଷରୁ ମିଳିତ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ୍ରସ୍ତାବକୁ ମନା କରିଦେଇଥିଲେ । ଏବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ମଧ୍ୟ ରାଷ୍ଟ୍ରପତି ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜମ୍ମୁ-କାଶ୍ମୀରକୁ ଏବେ ତାଙ୍କର ଆବଶ୍ୟକତା ରହିଛି । ରାଜନୀତିରେ ସକ୍ରିୟ ରହି ସେ ଜମ୍ମୁ କାଶ୍ମୀରବାସୀଙ୍କ ପାଇଁ ଆହୁରି ଅଧିକ କିଛି ଯୋଗଦାନ ଦେବାକୁ ଚାହାନ୍ତି ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି । ଜମ୍ମୁ-କାଶ୍ମୀର ସମ୍ପ୍ରତି ଏକ ଖରାପ ସମୟ ଦେଇ ଗତି କରୁଛି । ତେଣୁ ଏହି ସମୟରେ ସେ ରାଜ୍ୟବାସୀଙ୍କୁ କଦାପି ଛାଡିପାରିବେ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ ଫାରୁକ୍ କହିଛନ୍ତି ।
ପ୍ରକାଶ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବିରୋଧୀ ଦଳ ଏକଜୁଟ୍ ହୋଇ ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ସୁତରାଂ ବିରୋଧୀ ଦଳ ନେତାମାନେ ଏକଜୁଟ୍ ହୋଇ ସର୍ବପ୍ରଥମେ ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଏଥିପାଇଁ ପ୍ରସ୍ତାବ ଦେଇଥିଲେ । ଏନେଇ ଅନେକ ଆଲୋଚନା, ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । କିନ୍ତୁ ପାୱାର ନିଜେ ରାଷ୍ଟ୍ରପତି ଦୌଡରେ ନଥିବା ସ୍ପଷ୍ଟ କରିବା ପୂର୍ବକ ସବୁ କଳ୍ପନାଜଳ୍ପନାର ଅବସାନ କରିଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିରୋଧୀଙ୍କ ଦ୍ୱିତୀୟ ପସନ୍ଦ ଭାବେ ଫାରୁକ୍ଙ୍କ ନାମ ପ୍ରସ୍ତାବିତ ହୋଇଥିଲା । ତେବେ ଶନିବାର ଫାରୁକ୍ ଅବଦ୍ଦୁଲା ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହ ବିରୋଧୀ ଦଳ ଏକଜୁଟ୍ ହୋଇ େ ଯଉଁ ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରିବେ ସେ ଏବଂ ତାଙ୍କ ଦଳ ସେହି ବ୍ୟକ୍ତିଙ୍କ ରାଷ୍ଟ୍ରପତି ପ୍ରାର୍ଥôତ୍ୱକୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷେ ବିରୋଧୀ ମଞ୍ଚ, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କୁ ଚୟନ କରିଥିବାରୁ ସେ ନିଜକୁ ଗର୍ବିତ ତଥା ସମ୍ମାନିତ ଅନୁଭବ କରୁଥିବା ଫାରୁକ୍ ଅବଦ୍ଦୁଲ୍ଲା କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *