‘ଇଂଲଣ୍ଡ ଗସ୍ତରୁ ବଛାଯିବ ଅସଲି ବିଶ୍ୱକପ୍ ଟିମ୍’

ନୂଆଦିଲ୍ଲୀ, ୧୮ା୬ (ଏଜେନ୍ସି): ଟି-୨୦ ବିଶ୍ୱକପ୍ର ଅସଲି ପ୍ରସ୍ତୁତି ଇଂଲଣ୍ଡ ଗସ୍ତରୁ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ଓ ଆୟରଲାଣ୍ଡ ଗସ୍ତ କେବଳ ଏକ ପ୍ରୟୋଗ । ଇଂଲଣ୍ଡ ଗସ୍ତ ପାଇଁ ଟିମ୍ରେ ବିଶ୍ୱକପ୍ର ସମ୍ଭାବ୍ୟ ଖେଳାଳିମାନଙ୍କୁହିଁ ସାମିଲ୍ କରାଯିବ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ।
ଗାଙ୍ଗୁଲି ଏକ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଓ ଚୟନକାରୀ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ରେ ଟି-୨୦ ବିଶ୍ୱକପ୍ର ସମ୍ଭାବ୍ୟ ଖେଳାଳିମାନଙ୍କର ଚୟନ କରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି-୨୦ ଶୃଙ୍ଖଳା ଓ ଏହାପରେ ଆୟରଲାଣ୍ଡ ଗସ୍ତ ପାଇଁ ଦ୍ରାବିଡ଼ ଓ ତାଙ୍କ ଟିମ୍ ପ୍ରୟୋଗକୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ଚୟନ କରିଥିଲେ । ଏହି ଶୃଙ୍ଖଳାରେ ଯୁବ ଖେଳାଳିମାନଙ୍କୁ ସାମିଲ୍ କରାଯାଇଛି ଏବଂ ସେମାନଙ୍କୁ ସୁଯୋଗ ଦିଆଯାଉଛି ।
ପ୍ରକୃତରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ଏହି ଶୃଙ୍ଖଳାରେ ନିୟମିତ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ଟିମ୍ର ଅଂଶବିଶେଷ ନ ଥିଲେ । ଅନ୍ୟପଟେ ଲୋକେଶ ରାହୁଲ ଓ କୁଲଦୀପ ଯାଦବ ଆଘାତଜନିତ କାରଣରୁ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ରିଷଭ ପନ୍ତ ଅଧିନାୟକତ୍ୱ କରୁଛନ୍ତି । ଅନ୍ୟପଟେ ଆୟରଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ରେ ଟି-୨୦ ଶୃଙ୍ଖଳା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି । ଈଶାନ କିଶନ, ଋତୁରାଜ ଗାଏକୱାଡ଼, ରବି ବିଷ୍ଣୋଇଙ୍କ ଭଳି ଯୁବ ଖେଳାଳି ଟିମ୍ର ଅଂଶବିଶେଷ ହୋଇଛନ୍ତି । ଆଇପିଏଲ୍ରେ ଉତ୍ତମ ପ୍ରଦର୍ଶନ ଭିତ୍ତିରେ ଉମରାନ ମଲିକ ଓ ଅର୍ଶଦୀପ ସିଂହଙ୍କୁ ପ୍ରଥମ ଥର ଟିମ୍ରେ ସାମିଲ୍ କରାଯାଇଥିଲା, ଅବଶ୍ୟ ସେମାନଙ୍କୁ ଏ ଯାବତ୍ ଖେଳିବାର ସୁଯୋଗ ମିଳି ନାହିଁ । ଆଇପିଏଲ୍ରେ ପ୍ରଦର୍ଶନ ଭିତ୍ତିରେ ହାର୍ଦ୍ଦିକ ଓ ଦିନେଶ କାର୍ତ୍ତିକଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *