କିଙ୍ଗ୍ପିନ୍ ସହ ୫ ଗଲେ ଜେଲ୍
କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ
ପୁରୀ/ପିପିଲି (ବୁ୍ୟରୋ/ଆପ୍ର): ପୁରୀ ସହର ସମେତ ଜିଲ୍ଲା ହେବ ନିଶାମୁକ୍ତ । ଏହି ଅଭିଯାନକୁ ଶତପ୍ରତିଶତ ସଫଳ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ଏସ୍ପି କନୱାର ବିଶାଲ ସିଂହ । ଶନିବାର ପିପିଲି ଥାନା ପୁଲିସ ଜଣେ କିଙ୍ଗ୍ପିନ୍ ଆନ୍ତଃଜିଲ୍ଲା ନିଶା ବ୍ୟବସାୟୀ ସମେତ ୫ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ୫ ଜଣଙ୍କ ମଧ୍ୟରେ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଜେଲ ହାଜତକୁ ପଠାଯାଇଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ନୃସିଂହପୁରର ମୁର୍ଶିଦ୍ ଖାନ୍(ଜୁମା) (କିଙ୍ଗ୍ପିନ୍), ଇମ୍ରାନ ଶାହା, ଜବିଦ୍ ଶାହା, ଏସ୍ କେ ସଜିଦ୍ ଅଲ୍ଲୀ । ଏମାନଙ୍କ ଠାରୁ ପୁଲିସ ୯୭୮ ଗ୍ରାମ୍ ବ୍ରାଉନ୍ ସୁଗର, ବାଇକ୍ ଓ ୩୫୦୦ ଟଙ୍କା ଜବତ କରାଯାଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ।
ଶ୍ରୀ ବରାଳ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀକୁ ନିଶାମୁକ୍ତ କରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତ ରବିବାର ସନ୍ଧ୍ୟାରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଉତ୍ତରାଛକ ବଡରଠାରେ ଏମାନେ ବ୍ରାଉନ୍ ସୁଗର ବ୍ୟବସାୟ କରିବା ଲାଗି ନେଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏନେଇ ପିପିଲି ଥାନା ଅଧିକାରୀ ଅଭିମନୁ୍ୟ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଉତ୍ତରା ଛକଠାରେ ବାଇକ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପୁଲିସ ସେମାନଙ୍କଠାରୁ ବ୍ରାଉନ୍ ସୁଗର ପାଇଥିଲା । ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ତଦନ୍ତପରେ ଜାଣିବାକୁ ପାଇଥିଲା ସେମାନଙ୍କ ମଧ୍ୟରୁ ଜଣେ ଆନ୍ତଃଜିଲ୍ଲା ନିଶା ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ତିନିଜଣ ସହଯୋଗୀ ଓ ଅନ୍ୟ ଜଣେ ନାବାଳକ ସମ୍ପୃକ୍ତ ରହିଥିବା ସ୍ପଷ୍ଟ ହୋଇଛି । ପରେ ଏନେଇ ପୁଲିସ ନିଜଆଡୁ ୨୮୫/୨୨ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ସାମ୍ମାଦିକ ସମ୍ମିଳନୀରେ ପିପିଲି ଥାନା ଅଧିକାରୀ ଅଭିମନୁ୍ୟ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।