ଚଳିତବର୍ଷ ଅଧିକ ନିଯୁକ୍ତି ସୁପାରିସ

ରାଜ୍ୟପାଳଙ୍କୁ ଓଡ଼ିଶା ଲୋକସେବା ଆୟୋଗ ରିପୋର୍ଟ ପ୍ରଦାନ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୧-୨୨ର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି । ଅଧ୍ୟକ୍ଷ ଡ. ମହାନ୍ତି ଓଡ଼ିଶା ଲୋକସେବା ଆୟୋଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ୨୦୨୧-୨୨ରେ ଆୟୋଗ ପ୍ରଥମ କରି ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଥିଲେ ।
କୋଭିଡ୍ ସମେତ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆୟୋଗ ଘୋଷିତ ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରିଥିବା ପ୍ରକାଶ କରି ଅଧ୍ୟକ୍ଷ ଡ. ମହାନ୍ତି ଏହି ସମୟରେ ଗ୍ରୁପ୍ ‘ଏ’ ଓ ‘ବି’ ରେ ୨୨୭୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିବା ସହ ୨୨ଟି ସରକାରୀ ବିଭାଗରେ ୧୫୩୬ ପଦୋନ୍ନତିକୁ ଆୟୋଗ ସ୍ୱୀକୃତି ଦେଇଥିବା କହିଥିଲେ । ଏହି ସମୟରେ ୨୨୪ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଏସଲା କରାଯାଇଛି । ଆୟୋଗ ଏହି ସଫଳତାରେ ଉତ୍ସାହିତ ହୋଇ ୨୦୨୨-୨୩ ପାଇଁ ୨୬ଟି ସରକାରୀ ବିଭାଗରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଚାକିରି ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି ।
ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶୀଘ୍ର ଫଳ ପ୍ରକାଶନ ଉପରେ ଆୟୋଗ ଗୁରୁତ୍ୱ ଦେଉଥିବା ପ୍ରକାଶ କରି ଅଧ୍ୟକ୍ଷ ଡ. ମହାନ୍ତି କହିଲେ ଯେ, ଚୟନ ପ୍ରକ୍ରିୟାରେ ବ୍ୟାପକ ପ୍ରବିଧିର ପ୍ରୟୋଗ ଓ ଶୀଘ୍ର ଫଳ ପ୍ରକାଶନକୁ ଅଗ୍ରାଧିକାର ଦିଆଯାଉଛି । ଅନ୍ଲାଇନ ପୋର୍ଟାଲ ଓ ସମନ୍ୱିତ ନିଯୁକ୍ତି ପରିଚାଳନା ପଦ୍ଧତିର ଉନ୍ନତିକରଣ କରି ଏହାକୁ ବ୍ୟବହାରୀମାନଙ୍କ ପାଇଁ ସହଜ ଓ ସରଳ କରିବା ପାଇଁ ପ୍ରୟାସ କରାଯାଉଛି । ଚଳିତ ବର୍ଷ ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶନ ଲକ୍ଷ୍ୟରେ ‘ଅନ୍ସ୍କ୍ରିନ୍’ ମୂଲ୍ୟାୟନ ପଦ୍ଧତିର ପ୍ରଚଳନ କରାଯାଉଛି । ଆୟୋଗ ଚଳିତବର୍ଷ ସର୍ବାଧିକ ନିଯୁକ୍ତି ସୁପାରିଶ କରିବେ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆୟୋଗଙ୍କ ସଂସ୍କାରମୂଳକ ଓ ପ୍ରଗତିଶୀଳ କାର୍ଯ୍ୟର ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ ଓ ଅନ୍ତର୍ଭୁକ୍ତି କରିବାକୁ ପରାମର୍ଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *