ଆକ୍ରୋଶର ନିଆଁ
ଅଗ୍ନିପଥକୁ ୧୫ ରାଜ୍ୟରେ ତୀବ୍ର ବିରୋଧ
ନୂଆଦିଲ୍ଲୀ, ୧୭ା୬: ସେନାରେ ନିଯୁକ୍ତି ପାଇଁ ମଙ୍ଗଳବାର ଘୋଷିତ ‘ଅଗ୍ନିପଥ’ ଯୋଜନାରେ ସରକାର ପ୍ରାର୍ଥୀଙ୍କ ବୟସ ସୀମା ୨ ବର୍ଷ ବଢ଼ାଇବା ସତ୍ତ୍ୱେ ଏହି ଯୋଜନା ବିରୋଧରେ ଯୁବପିଢ଼ିଙ୍କ ଉଗ୍ର ପ୍ରଦର୍ଶନ ଥମିବାର ନାଁ ଧରୁନାହିଁ । ବିହାରରେ କ୍ରମାଗତ ତୃତୀୟ ଦିନ ହିଂସ୍ର ବିକ୍ଷୋଭ ଜାରି ରହିଥିବାବେଳେ ଆକ୍ରୋଶର ନିଅାଁ ଇତିମଧ୍ୟରେ ୧୫ ରାଜ୍ୟକୁ ବ୍ୟାପିଲାଣି । ୟୁପି, ବିହାର ଓ ତେଲେଙ୍ଗାନାରେ ବିକ୍ଷୋଭକାରୀମାନେ ଅନେକ ଟ୍ରେନ୍ ପୋଡ଼ି ଦେଇଛନ୍ତି । ସିକନ୍ଦରାବାଦ ଷ୍ଟେସନରେ ବିକ୍ଷୋଭକାରୀମାନେ ଟ୍ରେନ୍ ବଗିରେ ନିଅାଁ ଲଗାଇବା ସହ ଯାତ୍ରୀଙ୍କ ଉପରକୁ ଟେକା ପଥର ଫିଙ୍ଗିବାରୁ ପୁଲିସ ଲାଠି ଚାର୍ଜ ଓ ଫାୟାରିଂ କରିଛି । ଏଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବିହାରର ବିହିୟା ଷ୍ଟେସନ ଟିକେଟ୍ କାଉଣ୍ଟରରେ ନିଅାଁ ଲଗାଇ ଉପଦ୍ରବକାରୀମାନେ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବହୁ ସ୍ଥାନରେ ରେଳ ଟ୍ରାକ୍ ଓ ରାଜପଥ ଅବରୋଧ କରାଯାଇଛି । ଶୁକ୍ରବାର ସୁଦ୍ଧା ୯୪ ମେଲ୍ ଏକ୍ସପ୍ରେସ୍ ଓ ୧୪୦ ପାସେଞ୍ଜର ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ଏଥିରେ ଓଡିଶା ଦେଇ ଯାଉଥିବା ୬ ଟ୍ରେନ୍ ଅନ୍ତର୍ଭୁକ୍ତ । ଆନେ୍ଦାଳନ ଯୋଗୁ ମୋଟ୍ ୩୪୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ବିରୋଧୀ ଦଳଙ୍କ ସମର୍ଥନକ୍ରମେ ଆନେ୍ଦାଳନକାରୀମାନେ ଶନିବାର ବିହାରରେ ବନ୍ଦ ଡାକରା ଦେଇଛନ୍ତି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବା ଦେଖି ଗୁଇନ୍ଦା ଏଜେନ୍ସିମାନେ ଚେତାବନୀ ଦେବା ପରେ କେନ୍ଦ୍ର ସରକାର ଏବେ ଆଲର୍ଟ ମୋଡ୍ରେ ଅଛନ୍ତି ।
ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ପଞ୍ଜାବ, ହରିଆଣା, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଓଡ଼ିଶାରେ ଛାତ୍ର ବିକ୍ଷୋଭ ତେଜିଛି । ଅନେକ ରାଜ୍ୟରେ ଆନେ୍ଦାଳନକାରୀମାନେ ହିଂସାକାଣ୍ଡ କରିଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି ।
ଅଗ୍ନିପଥକୁ ତୀବ୍ର ବିରୋଧ ଅବସରରେ ଆମ୍ ଆଦ୍ମୀ ପାର୍ଟି, ଜେଡିୟୁ ଆଦି ଦଳ ଏହି ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ସୋମବାର ଠାରୁ ଅଗ୍ନିପଥ ଯୋଜନା ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥଳସେନା ପକ୍ଷରୁ ସୂଚନା ଦିଆଯାଇଛି । ସେନାଧ୍ୟକ୍ଷ ଜେନେରାଲ୍ ମନୋଜ ପାଣ୍ଡେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ପାଇବାକୁ ଥିବା ଅଗ୍ନିବୀରମାନଙ୍କ ତାଲିମ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ ଏବଂ ସେମାନେ ୨୦୨୩ ମଧ୍ୟଭାଗରୁ ସକ୍ରିୟ ସେବାରେ ସାମିଲ ହେବେ । ସେହିପରି ବାୟୁସେନା ଜୁନ୍ ୨୪ରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ।