ଏସ୍ପିଙ୍କୁ ନ୍ୟାୟ ଭିକ୍ଷା କଲେ ପରିବାର
ଅଜାତିରେ ବିବାହ କରିବାରୁ ସାମାଜିକ ବାସନ୍ଦ
ବ୍ରହ୍ମପୁର (ବୁ୍ୟରୋ): ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଏକ ବ୍ୟାଧି ଭଳି ମାଡି ଚାଲିଛି । କିଛିମାସ ଭିତରେ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା ସାମ୍ନାକୁ ଆସିଲାଣି । କେଉଁଠି ଅଜାତିରେ ବିବାହକୁ ନେଇ ବାସନ୍ଦ ତ ଆଉ କେଉଁଠି ରାଜନୈତିକ ଉଦେ୍ଦଶ୍ୟ ରଖି ବାସନ୍ଦ ଦେଖିବାକୁ ମିଳୁଛି । ଏହି ମର୍ମରେ ଗୁରୁବାର ଦିଗପହଣ୍ଡି ଥାନା ଅଧୀନ ମୌଳାଭଞ୍ଜାରେ ଜଣେ ମହିଳା ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ କରି ବ୍ରହ୍ମପୁର ଏସ୍ପି ଡା.ଶ୍ରବଣା ବିବେକ ଏମ୍ଙ୍କ ନିକଟରେ ଗୁହାରୀ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।
ଦିଗପହଣ୍ଡି ଥାନା ଅଧୀନ ମୌଳାଭଞ୍ଜା ଗ୍ରାମର କାଳୁଚରଣ ବେହେରାଙ୍କ ଝିଅ ରୋଜାଲିନୀ ଅନ୍ୟ ଜାତିରେ ଗତ ୨ବର୍ଷ ପୂର୍ବେ ବିବାହ କରିଥିଲେ । ଅନ୍ୟଜାତିରେ ବିବାହ କରିଥିବା ହେତୁ ତାଙ୍କୁ ନିଜ ଗ୍ରାମର କୁଳ ସମାଜ ଗାଁରୁ ସାମାଜିକ ବାସନ୍ଦ କରିଥିବା ନେଇ ଅଭିଯୋଗ ହୋଇଛି । ଚଳିତ ପଞ୍ଚାୟତ ନିର୍ବାଚନରେ ରୋଜାଲିନୀ ମୌଳାଭଞ୍ଜା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱତା କରିଥିବା ବେଳେ ପ୍ରଚାର ସମୟରେ ନିଜ ବାପ ଘରକୁ ଯାଇଥିଲେ । ଅନ୍ୟଜାତିରେ ବିବାହ କରିଥିବା ସତ୍ତ୍ୱେ କାହିଁକି ସେ ନିଜ ଘରକୁ ସେ ଆସିଥିଲେ ବୋଲି କୁଳ ସମାଜ ତାଙ୍କ ପରିବାର ଲୋକଙ୍କୁ ଗତ ମାର୍ଚ୍ଚ ମାସରୁ ବାସନ୍ଦ କରିଥିବା ନେଇ ରୋଜାଲିନୀ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ଗାଁରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଭାଗନେବାକୁ ତାଙ୍କ ପରିବାରକୁ କୁଳ ସମାଜ ବାରଣ କରୁଛି । ଏହାକୁ ପ୍ରତିବାଦକରି କାଳୁଚରଣ ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ କୁଳ ସମାଜର ସଭାପତିଙ୍କୁ ଡାକି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ତେଣୁ ରୋଜାଲିନୀ ଓ ତାଙ୍କ ପରିବାର ଲୋକେ ଶୁକ୍ରବାର ବ୍ରହ୍ମପୁର ଏସ୍ପିଙ୍କୁ ସାକ୍ଷାତ କରିଥିଲେ । ରୋଜାଲିନୀଙ୍କ ଅନ୍ୟଜାତିରେ ବିବାହ ଓ ରାଜନୈତିକ ଉଦେ୍ଦଶ୍ୟ ରଖି ତାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଏସ୍ପିଙ୍କ ନିକଟରେ କହିଥିଲେ ରୋଜାଲିନୀଙ୍କ ବାପା କାଳୁଚରଣ । ସାମାଜିକ ବାସନ୍ଦ ପ୍ରଥାକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛି । ଏହାକୁ ଅବମାନନା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଥିଲେ ।