ଜିଡିପିର ୬% କ୍ଷତି
ସିଏଏ, କିଷାନ, ପୟଗମ୍ବର, ଅଗ୍ନିପଥ ହିଂସା
ନୂଆଦିଲ୍ଲୀ, ୧୭ା୬: ୱାଶିଂଟନ୍ ଭାରତରେ କ୍ରମାଗତ ହିଂସା କାଣ୍ଡ ବୃଦ୍ଧି ଯୋଗୁ ଦେଶର ଆର୍ଥିକ କ୍ଷତି ସେହି ଅନୁପାତରେ ବଢ଼ି ଚାଲିଛି । ସିଏଏ/ଏନ୍ଆର୍ସି, କୃଷକ ଆନେ୍ଦାଳନ ଓ ପୟଗମ୍ବର ବିବାଦ ପରେ ଏବେ ସେନାରେ ୪ ବର୍ଷିଆ ନିଯୁକ୍ତି ସମ୍ପର୍କିତ ଅଗ୍ନିପଥ ଯୋଜନା ଯୋଗୁ ଅନେକ ରାଜ୍ୟରେ ବଡ଼ ଧରଣର ଛାତ୍ର ଆନେ୍ଦାଳନ ଓ ହିଂସାକାଣ୍ଡ ଉପୁଜିଛି । ଏହି ସବୁ କାରଣରୁ ବୈଶ୍ୱିକ ଶାନ୍ତି ସୂଚକାଙ୍କ (ଗ୍ଲୋବାଲ୍ ପିସ୍ ଇଣ୍ଡେକ୍ସ)ର ୧୩୫ତମ ସ୍ଥାନରେ ରହିଛି ଭାରତ ।
କିଛି ବର୍ଷ ହେଲା ଦେଶରେ ପୂର୍ବୋକ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ବିଭିନ୍ନ ଇଲାକାରେ କର୍ଫୁ୍ୟ କଟକଣା ଜାରି ସହ ଇଣ୍ଟରନେଟ୍ ସଟ୍ଡାଉନ୍ ଆଦି ପଦକ୍ଷେପ ନେବାକୁ ସରକାର ବାଧ୍ୟ ହୋଇଛନ୍ତି । କ୍ରମାଗତ ହିଂସାତ୍ମକ ବିକ୍ଷୋଭ ଯୋଗୁ ଭାରତର ୬୪୬ ବିଲୟନ୍ ଡଲାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି ଯାହାକି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬ ପ୍ରତିଶତ । ଏହି ଅର୍ଥରେ ଦେଶର ବଜେଟ୍କୁ ବଢ଼ାଇ ଅନେକ କଲ୍ୟାଣମୂଳକ ଯୋଜନା ଲାଗୁ କରାଯାଇ ପାରିଥାନ୍ତା ବୋଲି ୨୦୨୨ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ହିଂସାତ୍ମକ ଆନେ୍ଦାଳନ ଛଡ଼ା ଆତଙ୍କବାଦୀ ଓ ନକ୍ସଲ ଆକ୍ରମଣ କାରଣରୁ ମଧ୍ୟ ଭାରତର ଆର୍ଥିକ ପ୍ରଗତି ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛି ।
୧୬୩ ଦେଶକୁ ନେଇ ପ୍ରସ୍ତୁତ ଏହି ସୂଚୀରେ ଚୀନ ଓ ପାକିସ୍ତାନ ଯଥାକ୍ରମେ ୫୪ ଓ ୧୩୮ତମ ସ୍ଥାନରେ ଅଛନ୍ତି ।
ସୂଚକାଙ୍କରେ ଆଇସ୍ଲାଣ୍ଡ୍ ଶୀର୍ଷରେ ଥିବା ସ୍ଥଳେ ସବା ତଳେ ରହିଛି ଆଫଗାନିସ୍ତାନ । ତେଣୁ ଆଇସ୍ଲାଣ୍ଡ୍ ପୃଥିବୀର ସବୁଠାରୁ ଶାନ୍ତି ଦେଶ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛି ନୁ୍ୟଜିଲାଣ୍ଡ ଓ ଆୟର୍ଲାଣ୍ଡ । ଆଫଗାନିସ୍ତାନ ସବୁଠୁ ଅଶାନ୍ତ ଦେଶ । ଆଫଗାନିସ୍ତାନ ଉପରେ ଅଛନ୍ତି ୟମନ୍ ଓ ସିରିଆ । ଏହି ତିନି ଦେଶ ଆତଙ୍କବାଦ ଓ ଗୃହ ଯୁଦ୍ଧର ସାମ୍ନା କରୁଛନ୍ତି ।
ବୈଶ୍ୱିକ ଶାନ୍ତି ସୂଚକାଙ୍କ ୨୦୨୨ ରିପୋର୍ଟ ଅନୁଯାୟୀ, ହିଂସା ପ୍ରଭାବିତ ଦେଶ ସଂଖ୍ୟା ୨୯ରୁ ବଢ଼ି ୩୮ ହେଲାଣି । କିନ୍ତୁ ଆଭ୍ୟନ୍ତରୀଣ ସଂର୍ଘଷରେ ମୃତ ଲୋକଙ୍କ ସଂଖ୍ୟା ୨୦୧୭ ପରଠାରୁ କମିଛି । ଆଫ୍ରିକା ପରେ ଦକ୍ଷିଣ ଏସିଆ ଦୁନିଆର ଦ୍ୱିତୀୟ ଅଶାନ୍ତ କ୍ଷେତ୍ର ପାଲଟିଛି । ସିରିଆ, ଦକ୍ଷିଣ ସୁଡାନ ଓ ମଧ୍ୟ ଆଫ୍ରିକୀୟ ଗଣ ରାଜ୍ୟରେ ହିଂସା ଯୋଗୁ ସର୍ବାଧିକ ଆର୍ଥିକ କ୍ଷତି ହୋଇଛି । ଆଇସ୍ଲାଣ୍ଡ୍, କୋସୋବ ଓ ସୁଇଜରଲାଣ୍ଡ୍ ସବୁଠାରୁ କମ୍ ପ୍ରଭାବିତ ଦେଶ ।