କ୍ରମାଗତ ୨ୟ ଦିନରେ ୧୨ ହଜାର ସଂକ୍ରମଣ
ନୂଆଦିଲ୍ଲୀ (ଏଜେନ୍ସି): କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତୃତୀୟ ଲହର ଭଳି ୪ର୍ଥ ଲହରରେ ସଂକ୍ରମଣ ତୀବ୍ର ଗତିରେ ବୃଦ୍ଧି ପାଇବା ସହିତ କ୍ରମାଗତ ଦ୍ୱିତୀୟ ଦିନରେ ଏହା ୧୨ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୪୭ ନୂଆ ସଂକ୍ରମିତ ଚିହ୍ନଟଠ ହୋଇଛନ୍ତି । ଗୁରୁବାର ମଧ୍ୟ କୋଭିଡ-୧୯ ସଂକ୍ରମଣ ୧୨, ୨୧୩ ଥିଲା । ଗତ ୨୪ ଘଣ୍ଟାରେ ୧୪ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶରେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪କୋଟି ୩୨ଲକ୍ଷ ୭୦ ହଜାର ୫୭୭ରେ ପହଞ୍ଚିଛି । ସେହିପରି ମୃତୁ୍ୟ ସଂଖ୍ୟା ୫ଲକ୍ଷ ୨୪ ହଜାର ୮୧୭କୁ ବୃଦ୍ଧି ପାଇଛି । ଏଥିସହିତ ୪ କୋଟି୨୬ ଲକ୍ଷ ୮୨ ହଜାର ୬୯୦ ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ମୋଟ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୬୩ ହଜାର ୬୩ ରହିଛି । ଗତ ୨୪ଘଣ୍ଟାରେ ୭,୯୮୫ ଜଣ ସୁସ୍ଥ ହୋଇଛନ୍ତି ଓ ଆରୋଗ୍ୟ ହାର ରହିଛି ୯୮.୬୫% । ସେହିପରି ଦୈନିକ ପଜିଟିଭ୍ ହାର ୨,୩୫% ଓ ସାପ୍ତାହିକ ପଜିଟିଭ୍ ହାର ୨.୩୮ % ଥିବା ଜଣାପଡ଼ିଛି ।
ଏପର୍ଯ୍ୟନ୍ତ ଦେଶରେ ୧୯୫.୬୭ ଡୋଜ୍ ଟିକା ଦିଆଯାଇଛି । ୪ଥଁ ଲହର ଆରମ୍ଭ ହୋଇଥିବାରୁ ଟିକାକରଣ ଅଧିକ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ୮୯% ବୟସ୍କଙ୍କୁ ଟିକା ଦିଆଯାଇଛି । ୧୮ରୁ ୫୯ ବର୍ଷ ବୟସର ଲୋକଙ୍କୁ ୩୬ ଲକ୍ଷ ୬୧ ହଜାର ୮୯୯ ଡୋଜ୍ ଟିକା ଦିଆଯାଇଛି । ଟେଷ୍ଟିଂ, ଟ୍ରିଟ୍ମେଣ୍ଟ ଓ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପୂର୍ବଭଳି ଏଥର ମଧ୍ୟ ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୫୫ ନୂଆ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରେ ୧୩୨୩ ଓ ପଶ୍ଚିମବଙ୍ଗରେ ପ୍ରାୟ ୨ଶହ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଗତ ୧୦ ଦିନରେ ୭୧୦୦ କୋଭିଽ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।