ଅଗ୍ନିପଥ: ଜଳୁଛି ଦେଶ

ନୂଆଦିଲ୍ଲୀ, ୧୬ା୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ବୁଧବାର ବିହାରରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଗୁରୁବାର ୟୁପି, ହରିଆଣା, ହିମାଚଳ, ରାଜସ୍ଥାନ, ଉତ୍ତରାଖଣ୍ଡ ଆଦି ୭ ରାଜ୍ୟକୁ ବ୍ୟାପିଛି । ବିହାର ଓ ୟୁପିର ୧୭ରୁ ଅଧିକ ଜିଲ୍ଲାରେ ସେନାରେ ଯୋଗଦେବା ଲାଗି ଆଶାୟୀମାନେ ପୋଡ଼ାଜଳା କରିଛନ୍ତି । ଦିଲ୍ଲୀ-ହାୱଡ଼ା ମୁଖ୍ୟ ରେଳପଥର ବକ୍ସର ଓ ଆରା ଷ୍ଟେସନ୍ରେ ପର୍ଯ୍ୟାପ୍ତ ରେଳ ସମ୍ପତ୍ତି ନଷ୍ଟ ହୋଇଛି । ୪ ରେଳ ଡ଼ିଭିଜନ୍ ଅନ୍ତର୍ଗତ ୭ଟି ରୁଟ୍ରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ବିକ୍ଷୋଭକାରୀମାନେ ଛପରା, କୈମୁର ଓ ଗୋପାଳଗଂଜଠାରେ ତାଣ୍ଡବ ରଚିଛନ୍ତି । ସେମାନେ ୫ଟି ଟ୍ରେନ୍ ପୋଡ଼ିଦେବା ସହ ୧୨ଟି ଟ୍ରେନ୍ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆରାଠାରେ ଉପଦ୍ରବକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ୍କୁ ଟିୟର ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା । ବିକ୍ଷୋଭକାରୀମାନେ ବିଜେପିର ଦୁଇଜଣ ବିଧାୟକଙ୍କ ଉପରେ ଆକ୍ରମଣ କରିଥିବା ଖବର ମିଳିଛି । ଛପରା ସଦର ବିଜେପି ବିଧାୟକ ସିଏନ୍ ଗୁପ୍ତାଙ୍କ ଘରେ ଭଙ୍ଗାରୁଜା କରାଯାଇଛି । ଆଉ ଜଣେ ବିଧାୟକ କରୁଣା ଦେବୀଙ୍କ ଉପରେ ଆକ୍ରମଣ ହୋଇଛି । ନୱାଦାଠାରେ ବିଜେପି ଅଫିସ୍କୁ ପୋଡ଼ି ଦିଆଯାଇଛି ।
ସେନାରେ ନିଯୁକ୍ତି ଆଶାରେ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚଳାଇଆସୁଥିବା ହରିଆଣା ରୋହତକର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଖବର ମିଳିଛି । ରାଜ୍ୟର ପଲୱଲଠାରେ ହିଂସ୍ର ବିକ୍ଷୋଭରେ ୧୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଉପଦ୍ରବକାରୀମାନେ ୩ଟି ପୁଲିସ୍ ଗାଡି ପୋଡି ଦେବା ସହ ପୁଲିସ୍ଙ୍କ ୨୦ଟି ଗୁଳି ଛଡାଇ ନେଇଛନ୍ତି ।
ବ୍ୟାପକ ବିରୋଧ ପରିପ୍ରେକ୍ଷୀରେ ଅଗ୍ନିପଥ ଯୋଜନାର ପୁନର୍ବିଚାର ପାଇଁ କେନ୍ଦ୍ର ଉପରେ ଚାପ ବଢ଼ିବାରେ ଲାଗିଛି । କଂଗ୍ରେସ ପକ୍ଷରୁ ଏହି ନୂଆ ଯୋଜନାକୁ ତୀବ୍ର ବିରୋଧ କରାଯାଇଛି । ଦଳର ନେତା ରାହୁଲ ଗାନ୍ଧୀ ଅଗ୍ନିପଥକୁ ରଦ୍ଦ କରିବା ଲାଗି ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ମୋଦି ସରକାର ଯୁବପିଢ଼ିର ଧୈର୍ଯ୍ୟର ଅଗ୍ନିପରୀକ୍ଷା ନ କରନ୍ତୁ । ବିହାରରେ ବିଜେପିର ସହଯୋଗୀ ଜେଡିୟୁ ମଧ୍ୟ ଯୋଜନାର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି ।
ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂହ କହିଛନ୍ତି ଅଗ୍ନିପଥ ଯୋଜନା କାରଣରୁ ବିହାର ସମେତ ସାରା ଦେଶର ଯୁବପିଢ଼ି ତଥା ଛାତ୍ରଛାତ୍ରୀଙ୍କ ମନରେ ନିରାଶା ଓ ଅସନ୍ତୋଷ ଜନ୍ମିଛି । ନିଜ ଭବିଷ୍ୟତ ଅନ୍ଧକାରମୟ ବୋଲି ସେମାନେ ଭାବୁଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏହି ଯୋଜନାର ପୁନର୍ବିଚାର କରିବା ଆବଶ୍ୟକ କାରଣ ଏହା ଦେଶର ପ୍ରତିରକ୍ଷା ଓ ସୁରକ୍ଷା ସମ୍ବନ୍ଧୀୟ ପ୍ରସଂଗ । ବିହାର ବିଜେପିର ଅନେକ ନେତା ଅଗ୍ନିପଥର ପକ୍ଷପାତି ନୁହନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *